ବେଗୁନିଆ ତହସିଲ କାର୍ଯ୍ୟାଳୟର କର୍ମଚାରୀ ଭିଜିଲାନ୍ସ ରଙ୍ଗେହାତେ ଧରିଛନ୍ତି – ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବେଗୁନିଆ ତହସିଲ କାର୍ଯ୍ୟାଳୟର ଗୋଟିଏ ଡାଟା ଏଣ୍ଟ୍ରି ଅପେରେଟର୍ (DEO) ସ୍ମୃତି ଜୟସିଂହଙ୍କୁ ଓଡ଼ିଶା ଭିଜିଲାନ୍ସ ଦଳ ଆଜି ଲାଞ୍ଚ ନେବା ବେଳେ ରଙ୍ଗେହାତେ ଧରିଛନ୍ତି।ସେ ଗଡମାଣିତ୍ରୀ ଗ୍ରାମର ଶିଶିର ମଙ୍ଗରାଜଙ୍କ ପାଖରୁ ଅନଲାଇନ୍ ଜମି ପରିବର୍ତ୍ତନ ଫାଇଲ ପ୍ରୋସେସ କରିବା ପାଇଁ ୮,୦୦୦ ଟଙ୍କା ଲାଞ୍ଚ ଚାହୁଁଥିଲେ । ସରକାରୀ ନିୟମ ଅନୁଯାୟୀ, ଅଭିଯୋଗକାରୀ ୧ ସେପ୍ଟେମ୍ବର ୨୦୨୫ ରେ ନିଜ ଜମିକୁ କୃଷି ଉଦ୍ଦେଶ୍ୟରୁ ଅକୃଷି ଉଦ୍ଦେଶ୍ୟ ଅର୍ଥାତ୍ ଘରବାରିରେ ପରିବର୍ତ୍ତନ ପାଇଁ ଅନଲାଇନ୍ ଆବେଦନ କରିଥିଲେ।କିନ୍ତୁ ଅଭିଯୁକ୍ତ ସ୍ମୃତି ଜୟସିଂହ ଫାଇଲକୁ ଅଗ୍ରଗତି କରୁନଥିଲେ ଓ ଲାଞ୍ଚ ଚାହୁଁଥିଲେ। ଏହା ପରେ ଅଭିଯୋଗକାରୀ ଭିଜିଲାନ୍ସକୁ ସୂଚନା ଦେଇଥିଲେ ।

ତଦନ୍ତ ଦଳ ଚକ୍ରାନ୍ତ ଅଭିଯାନ କରି ସ୍ମୃତି ଜୟସିଂହଙ୍କୁ ଲାଞ୍ଚ ନେବା ସମୟରେ ଧରି ପକାଇଛନ୍ତି। ତାଙ୍କ ପାଖରୁ ମିଳିଥିବା ୮,୦୦୦ ଟଙ୍କା ଲାଞ୍ଚ ଟଙ୍କା ଜବତ ହୋଇଛି।ଏହି ଘଟଣା ପରେ, ଭିଜିଲାନ୍ସ ଦଳ ତାଙ୍କ ଦୁଇଟି ସ୍ଥାନ ଯଥା ନିଜର ବେଗୁନିଆ ସ୍ଥିତ ବାସଗୃହ ଓ ବରପଦାସ୍ଥିତ ଶ୍ଵଶୁର ଘରେ ଏକାସଙ୍ଗେ ତଲାଶି ଚଳାଇଛନ୍ତି ଓ ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିବା ପାଇଁ ସବୁ ଦିଗରୁ ତଦନ୍ତ ଆରମ୍ଭ ହୋଇଛି । ଶେଷରେ ପ୍ରାରମ୍ଭିକ ଚଢ଼ାଉରୁ ଟଙ୍କା ଘରୁ 240 ଗ୍ରାମର ସୁନା ଅଳଙ୍କାର ସହ ନଗଦ 1 ଲକ୍ଷ 72 ହଜାର ଟଙ୍କା ଜବତ କଲା ଭିଜିଲାନ୍ସ ।

ଏହା ସମ୍ବନ୍ଧରେ ଭୁବନେଶ୍ୱର ଭିଜିଲାନ୍ସ ପୋଲିସ୍ ଷ୍ଟେସନରେ ମାମଲା ନଂ-୨୩ ତା. ୧୪.୧୦.୨୦୨୫, ଧାରା-୭, ଦୁର୍ନୀତି ନିରୋଧ (ସଂଶୋଧନ) ଅଧିନିୟମ, ୨୦୧୮ ଅନୁଯାୟୀରେ ଦାଖଲ ହୋଇଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସ୍ମୃତି ଜୟଶ୍ରୀ ପୂର୍ବରୁ ମଧ୍ୟ ଜାତି, ଆୟ ଓ ବାସସ୍ଥାନ ପ୍ରମାଣପତ୍ର ପାଇଁ ଛାତ୍ର ଛାତ୍ରୀ ଓ ସାଧାରଣ ଲୋକମାନଙ୍କ ଠାରୁ ଲାଞ୍ଚ ଚାହୁଁଥିଲେ। ନ ଦେଲେ ତାହାକୁ ଦୀର୍ଘଦିନ ଧରି କାର୍ଯ୍ୟାଳୟରେ ପକାଇ ରଖୁଥିଲେ।ପଟ୍ଟା ମାମଲାରେ ମଧ୍ୟ ଏପରି ଅଭିଯୋଗ ଥିଲା।ଲୋକମାନଙ୍କ ମତାନୁସାରେ, ସେହି କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ଅନେକ ଅସାଧୁ କାରବାର ଚାଲିଆସୁଛି।ସରକାର ବେଗୁନିଆ ବ୍ଲକକୁ ସ୍ୱଚ୍ଛ କରିବା ପାଇଁ ଏହି ଅଭିଯୋଗଗୁଡ଼ିକୁ କେତେ ଗୁରୁତ୍ୱ ଦିଅନ୍ତି, ସେହି ଦିଗକୁ ଏବେ ସବୁଙ୍କ ଦୃଷ୍ଟି ।

ବୋଲଗଡରୁ ଗଙ୍ଗାଧର ଦାଶ

Exit mobile version