ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ରବିବାର) ହିଂଜିଳିକାଟୁ : – ହିଞ୍ଜିଳି ସହରରେ ଖୁଲମଖୁଲା ପାନୀୟଜଳ ଚୋରୀ ଚାଲିଛି ! ଅଭିଯୋଗ ଯଦିଘାତିକ । ଅଭିଯୋଗର ଫର୍ଦ୍ଦ ସୋସିଆଲ ମିଡିଆରେ ଘୁରିବୁଲି ସରକାରୀ କଳର ଉଦାସୀନତାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହି କାରଣରୁ ସରକାର ନିନ୍ଦିତ ହେବା ଘଟଣାକୁ ସାଧାରଣରେ ସହଜରେ ଗ୍ରହଣ କରାଯାଇପାରୁନି । ଉଠିଥିବା ଅଭିଯୋଗ ପ୍ରକାରେ ହିଞ୍ଜିଳି ମ୍ୟୁନିସିପାଲିଟିର ସମ୍ମୁଖରେ ଥିବା ନବ ନିର୍ମିତ ପୁରୁଣା ବସଷ୍ଟାଣ୍ଡରେ ଥିବା ବ୍ୟବସାୟିକ ତଥା ଜନଗହଳିପୂର୍ଣ ପ୍ରତିଷ୍ଠାନର ଏକ ଫାଷ୍ଟଫୁଡ଼ ଦୋକାନରେ ପାନୀୟ ଜଳ ବ୍ୟବସ୍ଥା ସଙ୍ଗେ ସହରବାସୀଙ୍କୁ ଯୋଗାଯାଉଥିବା ସ୍ୱଚ୍ଛ ପିଇବା ପାଣିକୁ ଚୋରାରେ ସଂଯୋଗ କରାଯାଇଛି । ହୋଟେଲ କ୍ଷେତ୍ର ସଙ୍ଗେ ରୋଷେଇଶାଳା ପାଇଁ ଦୈନିକ ଦରକାର ପଡୁଥିବା ହଜ଼ାର ହଜ଼ାର ଲିଟର ପାଣି ଚୋରାରେ ଆମଦାନୀ ହୋଇ ବ୍ୟବହାର ହେଉଥିବା ଜଣାପଡିଛି । ଜନସ୍ଵାସ୍ଥ୍ୟ ବିଭାଗର ପାନୀୟ ଜଳକୁ ମାଟି ତଳେ ଚୋରାରେ ପାଇପ ସଂଯୋଗ କରାଯାଇ ଦୀର୍ଘ ବର୍ଷ ଧରି ଏଭଳି ବ୍ୟବହାର କରାଯାଉଥିବା ଦେଖି ସହରବାସୀ ଆଶ୍ଚର୍ଯ୍ୟ ହେଉଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଜନସ୍ଵାସ୍ଥ୍ୟ ବିଭାଗର କନିଷ୍ଠଯନ୍ତ୍ରୀ ଶ୍ରୀଧର ଦାସଙ୍କ ପ୍ରତିକ୍ରିୟା ଲୋଡ଼ା ଯାଇଥିଲା।ସେ କିନ୍ତୁ ଅଭିଯୋଗକୁ ହାଲକା ଭାବେ ଗ୍ରହଣ କରି ଏ ସମ୍ପର୍କରେ କିଛି ଜାଣି ନ ଥିବା ସ୍ପଷ୍ଟ କହିଥିଲେ ।
ତେବେ ଅଭିଯୋଗ ସମ୍ପର୍କରେ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପରିବର୍ତ୍ତେ ସମ୍ପୃକ୍ତ ସ୍ଥାନକୁ ତଦାରଖ ଓ ପରିଦର୍ଶନ ନ କରି ବିଭାଗୀୟ ପାଇପରୁ ପାଣି ଚୋରୀ କରାଯାଇ ନ ଥିବା ସଫେଇ ଦେଇଥିଲେ । ବରଂ ରୋଷଇଶାଳା ପଛପଟ ମନ୍ଦିର କୂଅରୁ ମଟର ଲଗାଇ ପାଣି ବ୍ୟବହାର କରାଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଫୋନ ଯୋଗେ କହିଥିଲେ । ଏଠି ପ୍ରଶ୍ନ ଉଠୁଛି , କନିଷ୍ଠ ଯନ୍ତ୍ରୀ ଉପର ଠାଉରିଆ ଭାବେ ଦେଖି ତଦନ୍ତ ସାରିଦେଲେ ନା , ଅଭିଯୋଗ ଆଧାରରେ ମାଟିତଳ ଚୋରୀ ସମ୍ପର୍କରେ ତଦନ୍ତ କଲେ ? ଯଦି କନିଷ୍ଠ ଯନ୍ତ୍ରୀ ସତ କହୁଛନ୍ତି, ଗଣମାଧ୍ୟମ ପ୍ରତିନିଧିଙ୍କ ଫଟୋ ଉତ୍ତୋଳନ ପରେ ହୋଟେଲ ମାଲିକ ତରବରିଆ ଭାବେ ରୋଷଇ ଶାଳାର ଉପରେ ସଂଯୋଗ କରିଥିବା ଦୁଇଟି ପାଣି ଟ୍ୟାଙ୍କ ଖୋଲି ବାହାରକରିବା ପଛରେ କି କାରଣ ରହିଛି। ଯଦି କୂଅ ପାଣି ବ୍ୟବହାର କଥା ସତ , ତେବେ ରୋଷଇ ଶାଳାରୁ ହୋଟେଲକୁ ବିଛାଇଥିବା ବେଳେ ପୋୖର ପରିଷଦରୁ ଅନୁମତି ପତ୍ର ନେଇଛନ୍ତି କି ?? ଆଲୋଚନା, ସମାଲୋଚନା ଅନୁସାରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଜାଣତରେ ହେଉ ବା ଅଜାଣତରେ ବା ଉଦାସୀନତାରୁ , ସେ ମହୋଦୟ କୁଆଡେ ସରକାର ବିରୋଧୀଙ୍କ ସହ ହାତ ମିଳାଇ ସରକାରଙ୍କୁ ବଦନାମ କରିବାକୁ ମସୁଧା କରୁ ନାହାନ୍ତି ତ ??? କାରଣ ହିଞ୍ଜିଳି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହୋଇଥିବା ବେଳେ ଅନିୟମିତତାରେ ତାଙ୍କ ବ୍ୟକ୍ତିଗତ ତଥା ୫ ଟି ସଚିବଙ୍କୁ ବଦନାମ ପାଇଁ ସିଧା ପ୍ରୟାସ ବୋଲି ଆଲୋଚନା ହେଉଛି ।
ତେଣୁ ଏହି ବଦନାମରୁ ଆଗାମୀ ପୋୖର ନିର୍ବାଚନରେ ସରକାରୀ ଦଳର ସଂଗଠନ ଉପରେ ଗଭୀର କୁପ୍ରଭାବ ପକାଇ କ୍ଷତି ଘଟିବା କଥାକୁ ଅସ୍ବୀକାର କରାଯାଇନପାରେ । ସହରର କିଛି ହାତଗଣତି ହୋଟେଲ ମାଲିକ ଏବଂ ଫାଷ୍ଟ ଫୁଡ଼ ବ୍ୟବସାୟୀଙ୍କୁ ସ୍ଥାନୀୟ ଜନସ୍ଵାସ୍ଥ୍ୟ ବିଭାଗର କନିଷ୍ଠ ଓ ବରିଷ୍ଠ ଯନ୍ତ୍ରୀମାନେ ପାଣି ଚୋରିକୁ ପ୍ରୋତ୍ସାହନ ଓ ସହଯୋଗ ଦେବା ଦେଖିଶୁଣି ଅସନ୍ତୋଷରୁ କ୍ଷୋଭ ପ୍ରକାଶ ପାଉଛି। ଏହି ପରିପ୍ରେକ୍ଷୀରେ ହିଞ୍ଜିଳି ପୋୖର ପରିଷଦ ଉପରକୁ ମଧ୍ୟ ଆଙ୍ଗୁଳି ଉଠୁଛି । କାରଣ , ସେହି ଫାଷ୍ଟଫୁଡ଼ ବ୍ୟବସାୟୀ ଜଣକ ପୋୖରପରିଷଦର ପ୍ରାୟ ୪ ଟି ରୁ ଅଧିକ ଦୋକାନ ଗୃହ ଏକାକି ଫୋର୍ଜରୀ ଉପାୟରେ ହାତେଇଥିବା ଚର୍ଚ୍ଚା ଜୋର ଧରିଛି । ଅଭିଯୋଗ ସମ୍ପର୍କରେ ଫାଷ୍ଟଫୁଡ଼ ମାଲିକଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଜନସ୍ଵାସ୍ଥ୍ୟ ବିଭାଗର ନୀରବତା ସ୍ଥାନୀୟ ବେରୋଜଗାର ଯୁବକ ମାନଙ୍କ ମନରେ ପ୍ରତିକ୍ରିୟା ଉଠି ପୋୖର ପରିଷଦକୁ ନିନ୍ଦା କରୁଥିବା ଦେଖିବାକୁ ମିଳିଛି । ତେଣୁ ଉଚ୍ଚ ସ୍ତରୀୟ ତଦନ୍ତରେ ସତ୍ୟତା ଉନ୍ମୋଚନ କରି ମୁନାଫାଖୋରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭିନ୍ନ ମହଲରେ ଦାବୀ ହୋଇଛି । (ହିଞ୍ଜିଳିକାଟୁ /ଶେଷଦେବ ସାହୁ)
