ଗଜପତି : ପ୍ରବଳ ସ୍ରୋତରେ କାର ସହ ଭାସି ଯାଇଥିବା ବ୍ୟବସାୟୀଙ୍କ ଶବ ଦୁଇ ଦିନ ପରେ ଉଦ୍ଧାର

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଗଜପତିରେ ପ୍ରବଳ ବର୍ଷା ଆଉ ଏକ ଜୀବନ ନେଇଛି। ଆର. ଉଦୟଗିରି ଗ୍ରାମର ଯୁବ ବ୍ୟବସାୟୀ ପ୍ରତାପ ପଣ୍ଡା କାର ସହ ପାଣିର ପ୍ରଖର ସ୍ରୋତରେ ଭାସି ଦୁଇଦିନ ହେଲା ନିଖୋଜ ହୋଇଯାଇଥିଲେ । ଗତକାଲି କାଳିଆ ତୋଟା ଝରଣାରୁ କାର୍ ସହ ତାଙ୍କ ଶବକୁ ଉଦ୍ଧାର କରାଯାଇଛି । ପ୍ରତାପ ଗତ ୨ ତାରିଖରେ କାର୍‌ରେ ଘୋଡ଼ାକୋଣ ଗ୍ରାମରୁ ଆର. ଉଦୟଗିରି ଫେରୁଥିଲେ । ନିକଟସ୍ଥ ପୋଲରେ ୩ ରୁ ୪ ଫୁଟ ଉପରେ ପାଣି ଚାଲୁଥିଲା । ଏହାକୁ ଅତିକ୍ରମ କରୁଥିବା ବେଳେ ପ୍ରତାପ ଭାରସାମ୍ୟ ହରାଇ ଭାସି ଯାଇଥିଲେ l

ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, କାର୍‌ଟିକୁ ୨ କିଲୋମିଟର ପର୍ଯ୍ୟନ୍ତ ଭସାଇ ନେଇଥିଲା । ୨ ତାରିଖ ଅପରାହ୍ଣ ସାଢ଼େ ଗୋଟାଏରେ ପ୍ରତାପଙ୍କ ମୋବାଇଲ୍ ସ୍ବିଚ୍ ଅଫ୍ ହୋଇଯାଇଥିବା ବେଳେ ବ୍ୟସ୍ତବିବ୍ରତ ପରିବାରବର୍ଗ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ । ଗତକାଲି ଆର.ଉଦୟଗିରି ଥାନାରେ ପତ୍ନୀ ରୀନା ପଣ୍ଡା ନିଖୋଜ ଏତଲା ଦେଇଥିଲେ l

କାଳିଆତୋଟା ଝରଣାରେ ଭୀଷ୍ମ ପାଇକ ନାମକ ଜଣେ ବ୍ୟକ୍ତି ଗାଧୋଇବା ବେଳେ ତାଙ୍କ ଗୋଡ଼ରେ କାରର କିଛି ଅଂଶ ବାଜିଥିଲା । ଏହାପରେ ପାଣି ଭିତରେ ବୁଡ଼ି ଖୋଜାଖୋଜି କରିବା ବେଳେ କାର୍ ଭିତରୁ ଶବ ଠାବ କରିଥିଲେ। ଦମକଳ ବାହିନୀ ପହଞ୍ଚି ପ୍ରତାପଙ୍କ ଶବକୁ ଉଦ୍ଧାର କରି ପରିବାରବର୍ଗ ଚିହ୍ନଟ କରିଥିଲେ। ଏନେଇ ଆର.ଉଦୟଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଆଜି ତାଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଅନ୍ତିମ ସଂସ୍କାର ହୋଇଥିବା ସୂଚନା ମିଳିଛି l 

Exit mobile version