ପୁରୀ ଜିଲ୍ଲାସ୍କୁଲ ର ୧୯୭୫ ମସିହା ମାଟ୍ରିକବ୍ୟାଚ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଡିଶାର ପୁରାତନ ତଥା ଐତିହ୍ୟ ସମ୍ପନ୍ନ ବିଦ୍ୟାଳୟ ପୁରୀ ଜିଲ୍ଲା ସ୍କୁଲରୁ ୫୦ ବର୍ଷ ତଳେ ୧୯୭୫ ମସିହାରେ ମାଟ୍ରିକପାସ୍ କରିଥିବା ଛାତ୍ର ଛାତ୍ରୀମାନେ ଶନିବାର ଦିନ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଜିଲ୍ଲାସ୍କୁଲ ମୁକ୍ତମଞ୍ଚରେ ମହାସମାରୋହରେ ପାଳିତ ହୋଇଯାଇଛି | ପୂର୍ବାହ୍ନରେ ଉତ୍ସବ ପାଳନର ଅବ୍ୟବହିତ ପୂର୍ବରୁ ସର୍ବ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

ଏହି ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦାନ କରିଥିବା ଚାରି ଜଣ ପ୍ରାକ୍ତନ ଶିକ୍ଷକ ଓ ଅତିଥିମାନେ ମଂଚାସୀନ ହେବା ପରେ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବଦ୍ଧିତ କରାଯାଇଥିଲା | ଏହି ବ୍ୟାଚ୍ ର ଯେଉଁ ସହପାଠୀମାନେ ଦିବ୍ୟଂଗତ ହୋଇଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା | ପ୍ରାଦେଶିକ ସଂଗୀତ”ବନ୍ଦେ ଉତ୍କଳ ଜନନୀ ‘ ସମବେତ କଣ୍ଠରେ ବ୍ୟାଚର ଛାତ୍ରଛାତ୍ରୀମାନେ ଗାନ କରିଥିଲେ । ସ୍ବାଗତ ସମ୍ଭାଷଣ ଓ ଅତିଥ୍ୟ ପରିଚୟ ପ୍ରଦାନ କରିଥିଲେ ଶରତ କଣ୍ଠ |

ସମ୍ମାନନୀୟ ପ୍ରାକ୍ତନ ଶିକ୍ଷକ ଦିବାକର ମିଶ୍ର, ସୁଧାକର ମହାପାତ୍ର, ଭାବଗ୍ରାହୀ ରାଉତରାୟ ଓ ରମେଶ ଚନ୍ଦ୍ର ମହାପାତ୍ରଙ୍କୁ ମାନପତ୍ର, ଟ୍ରଫି ଓ ସାଲ ପ୍ରଦାନ ପୂର୍ବକ ସମ୍ମାନ ଅର୍ପଣ କରା ଯାଇଥିଲା । ଏହି ଶିକ୍ଷକମାନେ ତାଙ୍କର ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବଚନ ପ୍ରଦାନ କରିବା ପରେ ମଂଚାସୀନ ଅତିଥି ଭାବେ ପୁରୀ ବି. ଇ . ଓ . ତଥା ଜିଲ୍ଲା ସ୍କୁଲ ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥ‌ିବା ପ୍ରମୋଦକୁମାର କର, ସ୍କୁଲର ସମ୍ମାନନୀୟ ଶିକ୍ଷକ ବିଦ୍ୟାଧର ମିଶ୍ର ଏବଂ ସ୍କୁଲର ପୁରାତନ ଛାତ୍ର ସଂଘର ଅଧ୍ୟକ୍ଷ ବିଶିଷ୍ଟ ଶିଳ୍ପପତି ରାଜ କିଶୋର ପାତ୍ର, ଆଲମୁନି କମିଟି ର ସମ୍ପାଦକ ରବି ନାରାୟଣ ସାହୁସେମାନଙ୍କର ଅଭିଭାଷଣ ପ୍ରଦାନ କରିଥିଲେ ।

ଏହା ପରେ ଓଡିଶୀ ନୃତ୍ୟରେ ମଙ୍ଗଳାଚରଣ, ଗୀତଗୋବିନ୍ଦ ପରିବେଷଣ ପରେ ପ୍ରାକ୍ତନ ଛାତ୍ରମାନେ ବିଭିନ୍ନ ସଂଗୀତମାନ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ ।ମଧ୍ୟାହ୍ନ ଭୋଜନ ପରେ ଦୂରଦୂରାନ୍ତରୁ ଆସିଥିବା ଏବଂ ଦୀର୍ଘ ଦିନ ପରେ ମିଳିତ ହୋଇଥିବା ସାଙ୍ଗମାନେ ଅତି ଆନନ୍ଦରେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ ।

ପ୍ରାୟ ସମସ୍ତେ ପରିବାର ସହ ଆସିଥିବାରୁ ଏହି ମିଳନ ପର୍ବ ଅତ୍ୟନ୍ତ ଭାବୋଦ୍ଦୀପକ ହୋଇଥିଲା ।ସୁବର୍ଣ୍ଣ ଜୟନ୍ତୀ କମିଟି ର ସଭାପତି ଲଷ୍ମୀଧର ପୂଜାପଣ୍ଡା ସଭାପତିତ୍ୱ ଓ ମଞ୍ଚ ପରିଚାଳନା କରିଥିଲେ | ଆଲମୁନି କମିଟି ର କୋର୍ଡିନେଟର ମାନସ ରଞ୍ଜନ ପଟ୍ଟନାୟକ, ସୁଧାଂଶୁ ଶେଖର ରାୟ, କମିଟି ର ଆୟୋଜକ ବ୍ୟକ୍ତି ଓ ସହଯୋଗୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ l

Exit mobile version