ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ରବିବାର) ଢେଙ୍କାନାଳ :- ଆଜି ଢେଙ୍କାନାଳ ଜିଲ୍ଲା ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ଢେଙ୍କାନାଳର ଛାତ୍ର ଓଡ଼ିଶାର ସ୍ଵନାମଧନ୍ୟ ପ୍ରଶାସକ, ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ସ୍ବର୍ଗତଃ ବିମଳ କିଶୋର ମିଶ୍ରଙ୍କ ସ୍ମୃତିରେ ତାଙ୍କ ପରିବାର ପକ୍ଷରୁ ପ୍ରଦତ୍ତ ବିମଳ କିଶୋର ମିଶ୍ର ସ୍ମାରକୀ ଶ୍ରେଷ୍ଠ ଛାତ୍ର ସମ୍ମାନ ଶ୍ରୀମାନ ଓଁକାର ମାଝିଙ୍କୁ ପ୍ରଦାନ କରାଯାଇଛି । ଓଁକାର ଚଳିତ ବର୍ଷ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା-୨୦୨୦ରେ ବିଦ୍ୟାଳୟ ତଥା ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ନମ୍ବର ରଖି ଉକ୍ତ ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିଥିଲେ ।
ଏହି ଅବସରରେ ସ୍ବର୍ଗତଃ ମିଶ୍ରଙ୍କର କନିଷ୍ଠ ପୁତ୍ର ତଥା ଓଡ଼ିଶା ସରକାରଙ୍କର ଆଇନ ବିଭାଗର ପ୍ରମୁଖ ସଚିବ ଶ୍ରୀ ଶଶିକାନ୍ତ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀମାନ ମାଝିଙ୍କୁ ସମ୍ମାନ ବାବଦରେ ଏକ ଟ୍ରଫି, ପାଞ୍ଚ ହଜାର ଟଙ୍କାର ଚେକ,ଏକ ମେଡାଲ ଏବଂ ସ୍ବର୍ଗତଃ ବିମଳ ମିଶ୍ରଙ୍କ ଜୀବନ ଚରିତ ‘ଅବିଚଳ ବିମଳ’ ପୁସ୍ତକ ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀମାନ ଓଁକାର ମାଝୀଙ୍କ ପିତା ଆଡ଼ଭୋକେଟ ଅଦ୍ୱେତ ମାଝୀଙ୍କୁ ମଧ୍ୟ ମୁଖ୍ୟଅତିଥି ଶ୍ରୀ ମିଶ୍ର ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ସମ୍ମାନିତ କରିଥିଲେ ।
ଅଭିଭାଷଣରେ କଠିନ ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନାହିଁ, କର୍ମହିଁ ଉପାସନା ଓ ସମସ୍ତ ସଫଳତାର ଚାବିକାଠି ବୋଲି ଦୃଢ଼ ମତପୋଷଣ କରିଥିଲେ । ବିଦ୍ୟାଳୟର ‘ମୋ ସ୍କୁଲ ଅଭିଯାନ’ ଦାୟିତ୍ୱରେ ଥିବା ସଂଯୋଜକ ଡ଼ା. ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଉଷାରାଣୀ ଦେବୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷିକା ଉତ୍ସବରେ ଉପସ୍ଥିତ ଥିଲେ । (ରିପୋର୍ଟ, ଅମର ରଞ୍ଜନ ଦାସ)
