ଉଦୟନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ଶାରୋଳ ମହାଭାରତ ସମ୍ପର୍କିତ ଆଲୋଚନାଚକ୍ର

କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କଟକ ଜିଲ୍ଲା ଅନ୍ତର୍ଗତ ଉଦୟନାଥ ସ୍ଵୟଂଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ଅଡଶପୁର ଠାରେ ଶାରୋଳ ମହାଭାରତ ସମ୍ପର୍କିତ ଏକ ଆଲୋଚନା ଓ ପର୍ଯ୍ୟାଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ର ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ,ଅଡଶପୁରର ସ୍ନାତକୋତ୍ତର ଓଡ଼ିଆ ଏବଂ ଇତିହାସ ବିଭାଗର ମିଳିତ ସହଯୋଗରେ ‘ସାରୋଳ ମହାଭାରତ ଏକ ପର୍ଯ୍ୟାଲୋଚନା’ ଶୀର୍ଷକ ଆଲୋଚନାଚକ୍ର ହୋଇଥିଲା ।

ପ୍ରାଚୀପ୍ରଜ୍ଞା ପରିଷଦ (ନଡ଼ିଆଗୁରୁଡି) ଦ୍ୱାରା ପ୍ରାୟୋଜିତ ଏହି ପାଠଚକ୍ରରେ ସଭାପତି ଭାବେ ପ୍ରଫେସର୍ ଖାରବେଳ ମହାନ୍ତି, ମୁଖ୍ୟବକ୍ତା ରୂପେ ସଂସ୍କୃତି ବିଶ୍ଵବିଦ୍ୟାଳୟର ସାରଳା ଚେୟାରର ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ମୁଖ୍ୟଅତିଥି ରୂପେ ରାଜ୍ୟ ଅଭିଲେଖାଗାର ପୂର୍ବତନ ଡାଇରେକ୍ଟର ଡ଼ ଭାଗ୍ୟଲିପି ମଲ୍ଲ ଯୋଗ ଦେଇଥିବାବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ଲୁଲୁମିନା ଦାଶ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ପ୍ରଫେସର ଖାରବେଳ ମହାନ୍ତି ଐତିହାସିକ ଦୃଷ୍ଟିକୋଣରୁ ସାରୋଳ ଦାସଙ୍କ ସମୟକୁ ଦର୍ଶାଇଥିବା ବେଳେ ଡ଼ ଭାଗ୍ୟଲିପି ମଲ୍ଲ ଲିପିତାତ୍ତ୍ବିକ ଦିଗରୁ ସାରୋଳା ସାହିତ୍ୟର ଆଲୋଚନା କରିଥିଲେ। ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ସାରଳା ଦାସଙ୍କ ସଂପର୍କିତ ପ୍ରଚଳିତ ମତାମତକୁ ଗୁରୁତ୍ବ ପ୍ରଦାନ କରିଥିଲେ। ପ୍ରାଚୀପ୍ରଜ୍ଞା ପରିଷଦର ସଭାପତି ବିଶିଷ୍ଟ ପ୍ରାଚୀ ଗବେଷକ ଶ୍ରୀଯୁକ୍ତ ହଂସନାଥ ସାହୁ ସାରୋଳା ଦାସଙ୍କ ଜନ୍ମସ୍ଥାନ ପ୍ରାଚୀ ନଦୀର କଣିହାଁ ଅଞ୍ଚଳ ବୋଲି ଯଥାଯଥ ଯୁକ୍ତି ଉପସ୍ଥାପନ କରିଥିଲେ।

ଅଧ୍ୟାପିକା ଡ଼ ପଦ୍ମିନୀ ପଣ୍ଡା ସାରୋଳ ମହାଭାରତ ଏକ ଦୃଷ୍ଟିପାତ’ ପୁସ୍ତକର ବିଶ୍ଲେଷଣ କରିଥିବା ବେଳେ,ଡ଼ କବିତା ମିଶ୍ର ସାରୋଳ ମହାଭାରତରେ ବର୍ଣ୍ଣିତ ପ୍ରାଚୀ ଉପତ୍ୟକାର ଦେବ ଦେବୀଙ୍କର ବିବରଣୀ ପ୍ରଦାନ କରିଥିଲେ। ଡ଼ ବିରଞ୍ଚି କୁମାର ସାହୁ ସାରୋଳା ଦାସ ବନାମ ସାରଳା ଦାସ ସଂପର୍କିତ ସନ୍ଦର୍ଭ ପାଠ କରିଥିଲେ। ସମୀକ୍ଷକ ଭାବରେ ଇତିହାସ ବିଭାଗର ପ୍ରଫେସର ପ୍ରଶାନ୍ତ ପ୍ରଧାନ ସୂକ୍ଷ୍ମ ସମୀକ୍ଷା କରିଥିଲେ।

ମଞ୍ଚ ଉପସ୍ଥାପନରେ ସହଯୋଗ କରିଥିଲେ ଇତିହାସ ବିଭାଗର ଅଧ୍ୟାପକ ହେମନ୍ତ କୁମାର ସାହୁ। ଓଡ଼ିଆ ବିଭାଗର ଅଧ୍ୟାପିକା ଲିତାରାଣୀ ପ୍ରଧାନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ପ୍ରାଚୀପ୍ରଜ୍ଞା ପରିଷଦର ଟ୍ରଷ୍ଟି ଶ୍ରୀଯୁକ୍ତ ଅଶ୍ବିନୀ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପାଠଚକ୍ରରେ ଓଡ଼ିଆ ଓ ଇତିହାସ ବିଭାଗର ଛାତ୍ରଛାତ୍ରୀ, ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ,

ପ୍ରାଚୀପ୍ରଜ୍ଞା ପରିଷଦର ସଦସ୍ୟମାନେ ଏବଂ ଅନେକ ସାହିତ୍ୟ ଅନୁରାଗୀ ଯୋଗଦାନ କରି ଆଲୋଚନାଚକ୍ରକୁ ସଫଳ କରିଥିଲେ। ସାରୋଳା ଦାସଙ୍କ ସଂପର୍କିତ ଏପରି ଆଲୋଚନା ଓ ଗବେଷଣା ଜାରି ରହୁ ବୋଲି ସମସ୍ତେ ମତପ୍ରକାଶ କରିଥିଲେ। ସାରଳା ଦାସଙ୍କ ସଂପର୍କରେ ଏପରି ଗବେଷଣାତ୍ମକ ଆଲୋଚନା ଓ ପର୍ଯ୍ୟାଲୋଚନ ବିଷୟକୁ ନେଇ ସାହିତ୍ୟ ପ୍ରେମୀମାନେ ଏହାକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

Exit mobile version