ମାଫିଆଙ୍କ ବାଲି ଲୁଟ୍ , ୨ ଟ୍ରାକ୍ଟର ଜବତ, ଜଣେ ଗିରଫ, ଜଣେ ଚମ୍ପଟ

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର, ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀରୁ ବେଆଇନ ଭାବେ ପ୍ରତ୍ୟହ ଶହ ଶହ ହାଇୱା, ଟିପ୍ପର ଓ ଟ୍ରାକ୍ଟର ବାଲି ଚୋରାଚାଲାଣ ହେଉଥିବା ନଜିର ରହିଛି । ଗତ କିଛି ଦିନ ଧରି ମଞ୍ଜୁରୀ ପ୍ରାପ୍ତ ବାଲି ସୈରତ ଗୁଡ଼ିକରେ ବାଲି ଖନନ ଓ ପରିବହନ ବନ୍ଦ ରହିଛି। ଏହାର ଭରପୁର ସୁଯୋଗ ଉଠାଇ ରାଜସ୍ବ ଲୁଟି ଚାଲିଛନ୍ତି ଗାଁ ଗହଳିର କୁଖ୍ୟାତ ବାଲି ମାଫିଆ। ଖଣି ବିଭାଗର ଅଧିକାରୀଙ୍କ ଘନ ଘନ ଚଢ଼ାଉ ଅଭାବରୁ ଗାଁ ଗହଳିର ଛୋଟ ମୋଟ ବାଲି ମାଫିଆ ନଦୀ ଗର୍ଭକୁ ବିଦାରୀ ବିଦାରୀ ଦୈନିକ ମୋଟା ଅଙ୍କର ରାଜସ୍ବ ଗିଳି ଚାଲିଛନ୍ତି।

ମଧ୍ୟ ରାତ୍ରିର ସୁଯୋଗ ନେଇ ଖଣି ବିଭାଗର ଆଖିରେ ଧୂଳିଛାଟି ପ୍ରତ୍ୟହ ରାତିରେ ଶହ ଶହ ଟ୍ରାକ୍ଟର ବାଲି ଗାଁ ଗହଳି ଓ ହିଞ୍ଜିଳିକାଟୁ ସହରର ଗଳି କନ୍ଦିରେ ଚଢ଼ା ଦରରେ ଠୁଳ ହେଉଥିବା ଦେଖାଯାଇଛି । ଏଭଳି ଚୋରା କାରବାର ଉପରେ ପଦକ୍ଷେପ ଗ୍ରହଣ କରିଛି ପୁଲିସ।ସୋମବାର ଭୋର୍ ସମୟରେ ହିଞ୍ଜିଳି ଥାନା ଚାନ୍ଦୁଲି ନିକଟସ୍ଥ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ବୋଝେଇ କରି ଚୋରାଚାଲାଣ କରୁଥିବା ବେଳେ ହିଞ୍ଜିଳି ପୁଲିସ ୨ଟି ବାଲି ବୋଝେଇ ଟ୍ରାକ୍ଟର (ଓଡି୦୭ଜେଡ ୦୮୨୬, ଓଡି୦୭ଏକେ ୭୭୨୬)କୁ ଜବତ କରିଛି ।

ସଂପୃକ୍ତ ଘଟଣାରେ ପୁଲିସ ଜଣେ ଟ୍ରାକ୍ଟର ଚାଳକଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଟ୍ରାକ୍ଟର ଚାଳକ ଗାଡି ଛାଡି ଘଟଣା ସ୍ଥଳରୁ ଚମ୍ପଟ ମାରିଛି। ଗିରଫ ଚାଳକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ଟୁକୁନା ଦାସ (୪୦) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୭୬୫/୨୫ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ଚୋରା ବାଲି ଚାଲାଣ ନେଇ ସହକାରୀ ଖଣି ଅଧିକାରୀ ବିଜୟ କୁମାର ଜେନାଙ୍କ ସହ ଯୋଗାଯୋଗ ବେଳେ ସେ ଆଦୌ ଗୁରୁତ୍ୱ ପ୍ରଦାନ କରି ନ ଥିଲେ।

ଘଟଣାକୁ ଖଣି ଅଧିକାରୀଙ୍କ ନିରବତା ମଧ୍ୟ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଆଗାମୀ ଦିନରେ ସ୍ଥାନୀୟ ଥାନା ଇଲାକାର ଘୋଡାହାଡ ଓ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ କରୁଥିବା ଗାଡି ମାଲିକ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି କହିଛନ୍ତି । ଚଢ଼ାଉରେ ଥାନା ଏସଆଇ ସୁନିଲ କଣ୍ଡାଗୋରୀ, କନେଷ୍ଟବଳ ମନୋଜ ଜେନା, ବିକ୍ରମ ବିଶ୍ବାଳ ଅଂଶ ଗ୍ରହଣ କରିଥିଲେ।

 

Exit mobile version