ସେପ୍ଟେମ୍ବର ୨୩ରେ ବିଧାନସଭା ଘେରାଉ କରିବ ବିଜେଡି
ବିଜେପି କ୍ଷମତାକୁ ଆସିବା ପରଠାରୁ ଗ୍ରାମାଞ୍ଚଳ ବିକାଶ ବାଟବଣା
ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ଭୂମିକାକୁ ଗୌଣ କରୁଛି ବିଜେପି ସରକାର
ଗ୍ରାମସଭା ଓ ପଞ୍ଚାୟତକୁ ହେୟଜ୍ଞାନ କରି ପ୍ରଶାସନର ଦୂରୁପଯୋଗ କରୁଛି ବିଜେପି
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢିକରଣ କରି ଗ୍ରାମାଞ୍ଚଳର ବିକାଶ ଜନସାଧାରଣଙ୍କ ହାତରେ ଦେବା ପାଇଁ ସମ୍ବିଧାନରେ ଉଲ୍ଲେଖ ଥିଲାବେଳେ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ କ୍ଷମତାଲୋଭରେ ପ୍ରତ୍ୟେକ ଦିନ ଏହାକୁ ଉଲ୍ଲଂଘନ କରାଯାଉଛି ବୋଲି ବିଜେଡି କହିଛି । ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ବଡ ବଡ ପ୍ରତିଶ୍ରୁତି ଦେଇଥିବା ବିଜେପି ଦଳ ସରକାରକୁ ଆସିବା ପରେ ପ୍ରତ୍ୟେକ ବିଭାଗରେ ବଜେଟ କାଟ୍ କରୁଛନ୍ତି ।
ପିଏମ୍ ଆବାସ, ଅନ୍ତଃଦ୍ୟୋୟ ଯୋଜନା, ଜଳ ଜୀବନ ମିଶନ, ସର୍ବୋପରି ଗ୍ରାମସଭା ଦ୍ୱାରା ଅନୁମୋଦିତ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ଯୋଜନାବଦ୍ଧ ଭାବେ ହ୍ରାସ କରାଯାଉଛି । ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲାପରିଷଦ ସ୍ତରରେ ବିଧି ବ୍ୟବସ୍ଥାକୁ ଦଳିଚକଟି ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ପଙ୍ଗୁ କରିବା ପାଇଁ ବିଜେପି ବାରମ୍ବାର ଅପଚେଷ୍ଟା କରୁଛି । ନରେଗା ଯୋଜନାରେ ନିୟୋଜିତ ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳୁ ନାହିଁ । ଗ୍ରାମାଞ୍ଚଳରେ ଲୋକଙ୍କ ମନରେ ଥିବା ଆକ୍ରୋଶ ଓ କ୍ଷୋଭକୁ ନେଇ ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ଦିନ ଭୁବନେଶ୍ୱର ଲୋୟର ପିଏମଜି ଠାରେ ସକାଳ ୧୦ ଘଟିକା ସମୟରେ ବିଧାନସଭା ଘେରାଉ କରିବା ପାଇଁ ବିଜୁ ଜନତା ଦଳ ନିଷ୍ପତ୍ତି ନେଇଛି ।
