ଝଡ଼ ବର୍ଷା ରେ କଳିଙ୍ଗା ଘାଟିରେ ଭୁସ୍ଖଳନ : ଯାନବାହାନ ଯାତାୟାତ ରେ ଠପ…

କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  କନ୍ଧମାଳ-ଗଞ୍ଜାମ ଜିଲ୍ଲା ସୀମାନ୍ତ କଳିଙ୍ଗା ଘାଟିରେ ଭୁସ୍ଖଳନ ଘଟି ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଘାଟି ପାଦଦେଶରୁ ପ୍ରାୟ ତିନି କିଲୋମିଟର ଉପରକୁ ବଡ ବଡ ପଥର ଓ ମାଟି ଅତଡା ଖସି ଜାତୀୟ ରାଜପଥ ଉପରକୁ ମାଡି ଆସିଛି । ଏଥିସହ ପ୍ରଵଳ ବେଗରେ ପାହାଡ଼ ପାଣି ମଧ୍ୟ ଉକ୍ତ ସ୍ଥାନ ଦେଇ ପ୍ରବାହିତ ହେଉଛି ।                                                                                                                 ଘାଟି ରାସ୍ତା ଟି ଯାତାୟାତ ପାଇଁ ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ପାଲଟିଛି । ଭୁସ୍ଖଳନ ସ୍ଥାନରେ ପ୍ରାୟ ୫୦ ମିଟର ରାସ୍ତା ଉପରେ ମାଟି ଓ ପଥର ଜମା ହୋଇ ରହିଛି । ମଝିରେ ମଝିରେ ପଥର ମଧ୍ୟ ଖସୁଥିବା ଜଣାପଡିଛି । ଏଥିସହ ଭୁସ୍ଖଳନ ସ୍ଥାନରୁ ଉଭୟ ପଟର କିଛି ସ୍ଥାନରେ ମାଟି ଅତଡା ଖସି ରାସ୍ତା ଉପରକୁ ପଳାଇଆସିଛି ।

ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ କେତେବେଳେ କଣ ଘଟିବ କହିବା ମୁସ୍କିଲ ହୋଇପଡିଛି । ଭୂସ୍ଖଳନ ଯୋଗୁ ଘାଟିର ଉଭୟ ପଟେ ବହୁ ଯାନବାହାନ ଅଟକି ରହିଥିବାବେଳେ ସ୍ଥିତି ସ୍ବାଭାବିକ ହେବା ନେଇ କୌଣସି ପରିସ୍ଥିତି ନଥିବାରୁ ଯାନବାହାନ ଗୁଡିକ ଫେରିଯାଇ ବିକଲ୍ପ ରାସ୍ତାରେ ଯାଇଥିବା ଜଣାପଡିଛି ।

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରିବାରେ ଏହି ଘାଟି ରାସ୍ତାର ବହୁ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଥିବା ବେଳେ ପ୍ରତିଦିନ ଏହି ରାସ୍ତା ଦେଇ ଛୋଟ ବଡ ଶତାଧିକ ମାଲବାହି ଗାଡିଠାରୁ ଆରମ୍ଭ କରି ଯାତ୍ରୀବାହୀ ଗାଡି ଯାତାୟତ କରିଥାଏ । ଏହି ଭୁସ୍ଖଳନ ଫଳରେ ଗମନାଗମନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଥିବା ଏହି ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

ପୁର୍ବରୁ ଏହି ଘାଟିରେ ମାଟି ଅତଡ଼ା ଓ ପଥର ଖସି ରାସ୍ତା ଉପରକୁ ଆସୁଥିବା ବେଳେ ଏତେ ବଡ଼ ଭୁସ୍ଖଳନ ବିଗତ ଦିନରେ ଦେଖିବାକୁ ମିଳିନଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଘାଟି ର ଠାଏଁ ଠାଏଁ ପାହାଡ଼ି ପାଣି ଝରି ଆସୁଥିବାରୁ ପୁଣି କେଉଁଠି ମାଟି ଅତଡ଼ା ଖସିବାର ଆଶଙ୍କା ରହିଛି। ଖବର ପାଇ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବିପଦ ଆଶଙ୍କା ରହିଥିବାରୁ ଉକ୍ତ ସ୍ଥାନକୁ ଯିବାକୁ ବାରଣ କରୁଥିବା ଦେଖିବାକୁ ମିଳିଛି ।

Exit mobile version