ରୁପ୍ରାକୁ ବ୍ଲକ୍ ଘୋଷଣା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନର୍ଲା ବିଡିଓଙ୍କୁ ଦାବୀପତ୍ର

କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରାଜ୍ୟରେ ବ୍ଳକ ସଂଖ୍ୟା ବୃଦ୍ଧିକୁ ନେଇ ବିଭିନ୍ନ ମହଳରେ କଳ୍ପନା ଜଳ୍ପନା ପରେ ଏବେ ପୁଣି ଥରେ ନୂତନ ବ୍ଳକ ଗଠନ ଦାବିରେ ଜନସାଧାରଣ ଜନମତ ସୃଷ୍ଟି କରିବାରେ ଲାଗିଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳରେ ପୁଣି ଏକ ନୂତନ ବ୍ଳକ ଗଠନ ଦାବି ହେଉଛି। ନୂତନ ବ୍ଳକ ସ୍ଥାପନ ସକାଶେ ଏବେ ପଲମ,ରୁପ୍ରା ଓ ଟକର୍ଲା ଠାରେ ସ୍ଥାନ ନିରୂପଣ ପାଇଁ ଟଣାଓଟରା ଚାଲିଛି।

ଦାବି ପତ୍ର ଦିଆ ସଜବାଜରେ ବ୍ଳକ ଗଠନ ପ୍ରକ୍ରିୟାରେ ନର୍ଲା ବ୍ଲକ ଅଧିନ ରୁପ୍ରା ଏଥିରେ ପଛରେ ପଡି ନାହିଁ।ନର୍ଲା ବ୍ଲକର ଏକ ବୃହତ୍ ଗାଁ ହୋଇଥିବା ବେଳେ ଓଡ଼ିଶା ସରକାରଙ୍କ ନିୟମାବଳୀ ଅନୁଯାୟୀ ଜନସଂଖ୍ୟା, ସରକାରୀ ଜମି ସମେତ ଭୌଗୋଳିକ ଦୃଷ୍ଟିକୋଣରୁ ସମସ୍ତ ପ୍ରକାରର ଗାଇଡଲାଇନ ପୁରଣ କରୁଥିବାରୁ ଓ ଗମନାଗମନ ପାଇଁ ୧୦କିଲୋମିଟର ମଧ୍ୟରେ ରେଳ ଷ୍ଟେସନ ସହ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବାରୁ ରୁପ୍ରାକୁ ନୂତନ ପଞ୍ଚାୟତ ସମିତି ଘୋଷଣା କରିବାକୁ ଦାବି ହେଉଛି ।

ଅତୀତରେ ୧୯୯୫ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଥିଲେ ଅଞ୍ଚଳ ବାସୀ। ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଦସ୍ତଖତ ସଂଗ୍ରହ କରି ରୁପ୍ରା ଆଦର୍ଶ ଯୁବକ ସଂଘ ପକ୍ଷରୁ ଉକ୍ତ ଦାବୀପତ୍ର ପ୍ରଦାନ କରିଥିଲେ। ତେବେ ରୁପ୍ରାକୁ ନୂତନ ପଞ୍ଚାୟତ ସମିତି ଘୋଷଣା ଦାବିନେଇ ଦୀର୍ଘ ବର୍ଷ ହେଲା ଅଞ୍ଚଳ ବାସୀଙ୍କ ପକ୍ଷରୁ ଦାବି ହେଉଥିଲେ ହେଁ ଓଡିଶାର ପୂର୍ବତନ ନବୀନ ପଟ୍ଟନାୟକ ସରକାର ଏଥିପ୍ରତି କର୍ଣ୍ଣପାତ କରି ନ ଥିଲେ।

ଫଳରେ ଓଡିଶାରେ ସରକାର ପରିବର୍ତ୍ତନ ହେବାପରେ ରୁପ୍ରା ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ଗତ ଫେବୃଆରୀ ମାସ ୩ ତାରିଖରେ ମୋହନ ମାଝୀ ସରକାରଙ୍କ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରକୁ ଯାଇ ରୁପ୍ରାକୁ ବ୍ଲକ୍ ଘୋଷଣା ଦାବିନେଇ ପୁଣିଥରେ ଦାବୀପତ୍ର ପ୍ରଦାନ କରିଥିଲେ। ତେବେ ସରକାରଙ୍କ ପକ୍ଷରୁ ପଞ୍ଚାୟତ ଓ ବ୍ଲକ୍ ପୁନର୍ଗଠନ ହେବାନେଇ ମତ ପ୍ରକାଶ ପାଇଥିବାରୁ ରୁପ୍ରା ନୂତନ ବ୍ଲକ୍ ଘୋଷଣା ହେବାନେଇ ଅଞ୍ଚଳ ବାସୀ ଆଶା ପ୍ରକାଶ କରିଛନ୍ତି।

ଏହି ଅବସରରେ ରୁପ୍ରା ବ୍ଲକ୍ କ୍ରିୟାନୁଷ୍ଠାନ କମିଟି ତରଫରୁ ନର୍ଲା ବ୍ଲକର ରୁପ୍ରାକୁ ବ୍ଲକ ଘୋଷଣା ଦାବିରେ ସଭାପତି ପ୍ରିୟରଞ୍ଜନ ବେହେରା ଓ କମିଟିର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ନର୍ଲା ବିଡିଓ ବିପିନ୍ ବିହାରୀ ଦୀପଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଙ୍ଗଳବାର ଦିନ ପ୍ରଦାନ କରିଛନ୍ତି। ତେବେ ରୁପ୍ରା ପରିବର୍ତ୍ତେ ପଲମ ଠାରେ ବ୍ଳକ ସ୍ଥାପନ ନେଇ ଦାବି ଉଠୁଥିବା ବେଳେ ଟକର୍ଲା ଠାରେ ବ୍ଳକ ସ୍ଥାପନ କରାଗଲେ ଏ ଅଞ୍ଚଳର ଲୋକେ ଉପକୃତ ହେବେ ବୋଲି କିଛି ଲୋକ ଦାବି ଉପସ୍ଥାପନ କରୁଥିବା ଯୋଗୁଁ ଆଗାମୀ ଦିନରେ ସରକାର କି ପଦକ୍ଷେପ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା।

Exit mobile version