ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦ ପତ୍ର ପାଇଁ ସରକାର ସ୍ଵତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରିବାକୁ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନ ପକ୍ଷରୁ ଦାବି ହୋଇଛି l କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ର ପ୍ରାଙ୍ଗଣରେ ସଂଗଠନର ସାଧାରଣ ପରିଷଦ ବୈଠକରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସମ୍ପାଦକମାନଙ୍କୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯାଉ, ସରକାରୀ ସ୍ଵୀକୃତି ପାଇଁ ଆବେଦନ କରିଥିବା ସମ୍ୱାଦପତ୍ରଗୁଡ଼ିକୁ କୋହଳ ମନୋଭାବ ପ୍ରକାଶ କରି ସରକାରୀ ସ୍ଵୀକୃତି ପ୍ରଦାନ କରାଯାଉ,
ସ୍ଵୀକୃତି ପ୍ରଦାନ କ୍ଷେତ୍ରରେ ସ୍ଵଚ୍ଛତା ଅବଲମ୍ୱନ କରାଯାଉ, ଓଡ଼ିଶାରେ ସାମ୍ୱାଦିକ ଓ ସମ୍ପାଦକମାନଙ୍କ ପାଇଁ ପେନସନ ଓ ସୁରକ୍ଷା ଆଇନ ପ୍ରଣୟନ କରାଯାଉ, ସମ୍ପାଦକମାନଙ୍କୁ ଟୋଲ ଗେଟମାନଙ୍କରେ ନିଃଶୁଳ୍କ ଯାତାୟାତର ବ୍ୟବସ୍ଥା କରାଯାଉ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକ ପ୍ରତି ବିଜ୍ଞାପନ ପ୍ରଦାନ କ୍ଷେତ୍ରରେ ସ୍ଵତନ୍ତ୍ର ନୀତି ନିର୍ଦ୍ଧାରଣ କରାଯାଉ, ସାମ୍ୱାଦିକ ଅଧିସ୍ଵୀକୃତି କମିଟିକୁ କାର୍ଯ୍ୟକ୍ଷମ କରିବା ଇତ୍ୟାଦି ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l
