କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି :ପ୍ର :- କଟକ ସହରରେ ବାୟୁ ପ୍ରଦୂଷଣର ସ୍ଥିତିକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ କଟକ ସହର ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ ହୋଇଥିଲା । ସହରର ରାସ୍ତାଘାଟ ଧୂଳି ଓ ଧୂଆଁ ଦ୍ୱାରା ଆଚ୍ଛାଦିତ ହେଉଛି । ସଂଧ୍ୟାରେ ବାୟୁ ପ୍ରଦୂଷଣ ସ୍ଥିତି ଅଧିକ ଖରାପ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିଷ୍କ୍ରିୟତାକୁ ? ନେଇ ମଧ୍ୟ ଅଭିଯୋଗ ହୋଇଥିଲା ।
ହାଇକୋର୍ଟ ଏହି ପ୍ରସଂଗକୁ ଗୁରୁତ୍ୱର ସହିତ ଗ୍ରହଣ କରି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରୁ ଜବାବ ତଲବ କରିଛନ୍ତି । କଟକ ସହରରେ ବାୟୁ ପ୍ରଦୂଷଣ ପାଇଁ ଦାୟୀ ବ୍ୟକ୍ତି, କର୍ତ୍ତୃପକ୍ଷ, ଶିଳ୍ପ ସଂସ୍ଥା ବିରୋଧରେ ୨୦୨୫, ଜାନୁଆରିରୁ କଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ନିର୍ଦ୍ଦିଷ୍ଟ ଭାବେ ସତ୍ୟପାଠରେ ଉଲ୍ଲେଖ କରିବାକୁ ବୋର୍ଡର ଆଞ୍ଚଳିକ ଅଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରିବେଶ ନିୟମାବଳୀ ପାଳନ ସୁନିଶ୍ଚିତ କରିବା ପାଇଁ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ଓ ଏହି ଅବଧି ଭିତରେ ନିୟମ ଉଲ୍ଲଂଘନାକାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି ।

