କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ପିଲାଙ୍କ ଆଖିରେ ଅଠା ପକାଇଦେବା ଘଟଣାରେ କନ୍ଧମାଳ ଜିଲ୍ଲାପାଳ ବଡ଼ ପଦକ୍ଷେପ ନେଇଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ସେବାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ମନୋରଞ୍ଜନ ସାହୁଙ୍କୁ ନିଲମ୍ବନ କଲେ କନ୍ଧମାଳ ଜିଲ୍ଲାପାଳ । ଘଟଣା ଦିନ ପ୍ରଧାନ ଶିକ୍ଷକ ଅନୁପସ୍ଥିତ ଥିବାରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କିଏ ଓ କାହିଁକି ଅଠା ପକାଇଥିଲା ତଦନ୍ତ ଜାରି ରହିବ କହିଲେ ଜିଲ୍ଲାପାଳ । ହଷ୍ଚେଲରେ ଶୋଇଥିବା ବେଳେ ପିଲାଙ୍କ ଆଖିରେ ଅଠା ପକାଯାଇଥିଲା । ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ୭ ଛାତ୍ର ଚିକିତ୍ସାଧୀନ ଥିବାବେଳେ ଜଣେ ଡିସ୍ଚାର୍ଜ ହୋଇଥିବା ଜଣାପଡିଛି।
ସୂଚନାଥାଉକି, ଜିଲ୍ଲା ମଙ୍ଗଳ ବିଭାଗ ଅଧୀନ ରେ ପରିଚାଳିତ ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ସେବାଶ୍ରମରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଚାଲେ। ସେବାଶ୍ରମ ହଷ୍ଟେଲ୍ରେ ୪୦ ଜଣ ଛାତ୍ର ଓ ୧୦୦ ଜଣ ଛାତ୍ରୀ ରହୁଛନ୍ତି । ଗୁରୁବାର ରାତିରେ ଛାତ୍ରମାନେ ଖାଇ ସାରି ଶୋଇବା କକ୍ଷକୁ ଯାଇଥିଲେ । ଅଧିକାଂଶ ଛାତ୍ର ଶୋଇଥିଲେ । ଏହି ସମୟରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର କେତେକ ଛାତ୍ର ୮ ଜଣ ସହପାଠୀଙ୍କ ଆଖିପତାରେ ଫେବିକ୍ୱିକ୍ ଅଠା ଲଗାଇ ଦେଇଥିଲେ ।

