ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପିତୃପକ୍ଷ ବା ଅପରପକ୍ଷ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ବାର ପରିକ୍ରମା ମାର୍ଗର ପାଚେରୀର ପାଖରେ ବସିଛନ୍ତି ଶହ ଶହ ବ୍ରାହ୍ମଣ । ଛତା ତଳେ ଶ୍ରଦ୍ଧାଳୁଙ୍କ ଶ୍ରାଦ୍ଧ ଓ ପିଣ୍ଡଦାନ କରୁଛନ୍ତି ବ୍ରାହ୍ମଣ ମାନେ । ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ଶ୍ରାଦ୍ଧସ୍ଥଳ । ଶ୍ରଦ୍ଧାଳୁ ମାନଙ୍କ ପିତାମାତାଙ୍କ ତିଥି ଥିବା ଦିନରେ ଶ୍ରାଦ୍ଧ ଓ ପିଣ୍ଡଦାନ କରୁଛନ୍ତି । ଆଶ୍ବିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ଶ୍ରାଦ୍ଧ ଚାଲୁ ରହିବ ।
ଯେଉଁ ମାନେ ତିଥି ଅନୁସାରେ ପିଣ୍ଡଦାନ କରିପାରିବେ ନାହିଁ । ସେମାନେ ମହାଳୟା ଦିନ ଶ୍ରାଦ୍ଧ ଓ ପିଣ୍ଡଦାନ କରିପାରିବେ । ପିତୃପକ୍ଷରେ ପିଣ୍ଡଦାନ କଲେ ପିତୃପୁରୁଷ ସନ୍ତୋଷ ଲାଭ କରି ଘରେ ସୁଖ ସମୃଦ୍ଧି ହେବା ବିଶ୍ବାସ ରହିଛି । ପିତୃଶ୍ରାଦ୍ଧ, ମାତୃଶ୍ରାଦ୍ଧ, ମହାଳୟା ଶ୍ରାଦ୍ଧ ଓ ପୟା ଶ୍ରାଦ୍ଧ ରହିଛି । ମହାଳୟା ଶ୍ରାଦ୍ଧ ପାଇଁ ଶ୍ରଦ୍ଧାଳୁ ମାନେ ପୁରୀ ଆସି ଶ୍ରୀକ୍ଷେତ୍ରରେ ବ୍ରାହ୍ମଣଙ୍କ ହସ୍ତରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ଭିଡ ଦେଖିବାକୁ ମିଳିଛି ।
