Home ଓଡ଼ିଶା କଟକ ମହାନଗର ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- କଟକ ସହରରେ ଶାରଦୀୟ ଦୁର୍ଗାପୂଜା ଓ ଭସାଣୀ ଉତ୍ସବ-୨୦୨୫ ଶାନ୍ତିଶୃଙ୍ଖଳା ଓ ଚିତ୍ତାକର୍ଷକ ଭାବେ ପାଳନ କରିବା ଉପରେ ଆୟୋଜିତ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ମତପ୍ରକାଶ ପାଇଛି । ଅପରାହ୍ନରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟଦ୍ୱାରା ଶହିଦ ଭବନଠାରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଅଧ୍ୟକ୍ଷତା କରି ସହରାଂଚଳ ଦୁର୍ଗାପୂଜା ନିମନ୍ତେ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସତର୍କତାମୂଳକ ଭାବେ ପାର୍ବଣ ପାଳନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ବିଶେଷକରି ସର୍ବସାଧାରଣ ରାସ୍ତାକୁ ଅବରୋଧମୁକ୍ତ ରଖି ତୋରଣ ନିର୍ମାଣ, ୫୦ ମିଟର ଦୂରତା ପର୍ଯ୍ୟନ୍ତ ରାସ୍ତା ଉପରେ ଲାଇଟ୍ ସାଜସଜ୍ଜା, ସମସ୍ତ ପୂଜାମଣ୍ଡପ ଓ ତୋରଣ ପାଇଁ ସୁରକ୍ଷା ପ୍ରମାଣପତ୍ର, ଅଗ୍ନିଶମ ପ୍ରମାଣପତ୍ର, ବିଦ୍ୟୁତ୍ ପ୍ରମାଣପତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କମିଟିର ଅନାପତି ପ୍ରମାଣପତ୍ର ହାସଲ କରିବାକୁ ବାଧ୍ୟତାମୂଳକ କରାଯାଇଥିବା ଜିଲ୍ଳାପାଳ କହିଛନ୍ତି । ସହରର ବିଭିନ୍ନ ସ୍ଥାନରେ କେବଳ ଆବେଦନ କରିଥିବା ପୂଜା କମିଟିିଙ୍କୁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଗେଟ୍ ନିର୍ମାଣ ପାଇଁ ଅନୁମତି ପ୍ରଦାନ କରାଯିବ । ବର୍ଦ୍ଧିତ ଅବଧି ସତ୍ତ୍ୱେ ୧୧୭ଟି ପୂଜା କମିଟି ସିଙ୍ଗଲ ୱିଣ୍ଡୋ ମାଧ୍ୟମରେ ଆବେଦନ କରିଛନ୍ତି । ବିଭିନ୍ନ ପୂଜା କମିଟି ଓ ଶାନ୍ତି କମିଟିର ଅନୁରୋଧ କ୍ରମେ ଆସନ୍ତା ୧୩ ତାରିଖ ଶନିବାର ବାରବାଟୀ ପ୍ୟାଲେସଠାରେ ସକାଳ ୧୧ ଘଟିକାଠାରୁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଗୋଟିଏ ଦିନ ପାଇଁ ପୁନର୍ବାର କାର୍ଯ୍ୟକ୍ଷମ ରଖିବା ନିମନ୍ତେ ଜିଲ୍ଲାପାଳ ଅନୁମୋଦନ କରିଛନ୍ତି । ପୂର୍ବବର୍ଷ ଭଳି ଚଳିତ ଥର ମଧ୍ୟ ଲେଜର ଲାଇଟ ଓ ଡିଜେକୁ ସମ୍ପୁର୍ଣ୍ଣ ନିଷେଧ କରାଯାଇଛି । ସହରର ସମସ୍ତ ରାସ୍ତାଘାଟ ମରାମତି, ଡ୍ରେନେଜ୍ ସଫେଇ, ଗଛ ଓ ବୁଦା କଟେଇ ଆଦି କାର୍ଯ୍ୟ ଆସନ୍ତା ୨୩ ତାରିଖ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରଯାଇଥିବା କଟକ ମହାନଗର ନିଗମ କମିଶନର ସୁଶ୍ରୀ କିରନଦୀପ କୌର ସହୋତା କହିଛନ୍ତି । ରାସ୍ତାରେ ଓହଳି ରହିଥିବା କେବୁଲ ତାର ଓ ବୈଦ୍ୟୁତିକ ତାର ହଟାଇବା ପାଇଁ ଆସନ୍ତା ୧୫ ତାରିଖରେ ଏକ ବୈଠକ ରଖାଯାଇଥିବା କମିଶନର କହିଛନ୍ତି । ସହରର ବିଭିନ୍ନ ସ୍ଥାନରେ ଡଷ୍ଟବିନ ଯୋଗାଇ ଦିଆଯିବ । ଏତଦବ୍ୟତୀତ ବିଭିନ୍ନ ଶୌଚାଳୟ ଗୁଡିକର ମରାମତି କରାଯିବା ସହ ଆବଶ୍ୟକ ମୋବାଇଲ ଟଏଲଟ ଯୋଗାଇ ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ । ମୃଣ୍ମୟୀ ପ୍ରତିମାଗୁଡିକର ସୁବିଧାଜନକ ବିସର୍ଜନ ନିମନ୍ତେ ଦେବୀଗଡାଠାରେ ତିନିଟି ଅସ୍ଥାୟୀ ଜଳାଶୟ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତିି । ଚୌଦ୍ୱାର କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ ପୂଜା ସମୟରେ ପରିଛନ୍ନତା ଉପରେ ବିଶେଷ ଗୁରୁତ୍ୱାରୋପ କରି ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ସହରରେ ଥିବା ବିଦ୍ୟୁତ ଖୁଂଟଗୁଡିକରେ ଝୁଲି ରହିଥିବା ଅକାମୀ କେବୁଲଗୁଡିକର ସ୍ଥାୟୀ ଭାବରେ ଅପସାରଣ, ତୋରଣଗୁଡିକ ଅତି ବେଶୀରେ ୧୦ରୁ୧୫ ଦିନ ମଧ୍ୟରେ ଖୋଲାଯିବା ଦିଗରେ ପଦକ୍ଷେପ ନେବାକୁ ସେ ପ୍ରସ୍ତାବ ବାଢିଥିଲେ । କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ କଟକ ନଗର ଦୁର୍ଗାପୂଜା ନିମନ୍ତେ ମହାନଗର ନିଗମ ତରଫରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବାକୁ ପ୍ରତିଶୃତି ରଖିଥିଲେ । କଟକ ମହାନଗର ପୂଜା କମିଟି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ,ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ ସଭା ପରିଚାଳନା କରି ଚଳିତ ବର୍ଷ ଦୁର୍ଗାପୂଜା ପାଳନ ପାଇଁ ସମସ୍ତ ପୂଜା କମିଟି ପ୍ରଶାସନ ପକ୍ଷରୁ ପୁନଶ୍ଚ ଖୋଲାଯାଇଥିବା ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାର ସୁଯୋଗ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶାବଳି ପାଳନ ପୂର୍ବକ ସୁଚାରୁରୂପେ ଦୁର୍ଗାପୂଜା ପାଳନ କରିବାକୁ ପରାମର୍ଶ ଦେଇଥିଲେ । ପ୍ରକାଶ ଥାଉକି, କଟକ ମହାନଗର ଶାନ୍ତି କମିଟି ସଭାପତି ଶ୍ରୀ ଦେବେନ୍ଦ୍ରନାଥ ସାହୁ ମତାମତ ରଖିଥିବା ବେଳେ ସମ୍ପାଦକ ଶ୍ରୀ ଭିକାରୀ ଦାସ କମିଟି ପକ୍ଷରୁ ଗୃହୀତ ପ୍ରସ୍ତାବ ପାଠ କରିଥିଲେ। ସେହିଭଳି ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ଶ୍ରୀ ବିଜୟ କୁମାର ସାହୁ ନିଜର ମତାମତ ରଖିଥିଲେ ଏବଂ ସମ୍ପାଦକ,ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ କମିଟି ପକ୍ଷରୁ ଗୃହୀତ ପ୍ରସ୍ତାବ ପାଠ କରିଥିଲେ । ସଭାରେ ଆଂଚଳିକ ଶାନ୍ତି କମିଟି କର୍ମକର୍ତ୍ତା ଏବଂ ଅଲିଶା ବଜାର, କାଜିବଜାର, ବାଲୁବଜାର, ଫିରିଙ୍ଗି ବଜାର ତଥା ଅନ୍ୟାନ୍ୟ ପୂଜା କିମଟିର ସଦସ୍ୟମାନେ ପୂଜା ପୂର୍ବରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ । ଆଜିର ଏହି ଦୁର୍ଗାପୂଜା ପ୍ରଶାସନିକ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହାନଗର ନିଗମ ଡେପୁଟି ମେୟର, ସୁଶ୍ରୀ ଦମୟନ୍ତୀ ମାଝୀ ଯୋଗଦେଇଥିବା ବେଳେ ବରିଷ୍ଠ ନେତୃବୃନ୍ଦ ଶ୍ରୀ ନୟନ କିଶୋର ମହାନ୍ତି,ଶ୍ରୀ ସୁକାନ୍ତ ବିଶ୍ଵାଳ, ଶ୍ରୀ ମଧୁସୂଦନ ସାହୁ, ଶ୍ରୀ ସୁରେଶ ମହାପାତ୍ର, ଶ୍ରୀ ଅମରେନ୍ଦୁ ମହାନ୍ତି ପ୍ରମୁଖ ବୈଠକରେ ଉପସ୍ଥିତ ରହି ସମଗ୍ର ସହରରେ ଚଳିତ ବର୍ଷ ଦୁର୍ଗାପୂଜା ଉଭୟ ପ୍ରଶାସନ ଓ ପୂଜା କମିଟିମାନଂକ ସହୋଯୋଗରେ ମାନ୍ୟବର ନ୍ୟାୟାଳୟଙ୍କ ଦ୍ଵାରା ପ୍ରଣୀତ ନୀତି ନିୟମ ପାଳନ ପୂର୍ବକ ଅନୁଷ୍ଠିତ ହେବ ବୋଲି ମତବ୍ୟକ୍ତ କରି ପୂଜା ପୁର୍ବରୁ ଆବଶ୍ୟକୀୟ ରାସ୍ତା ମରାମତି, କେବୁଲ ଅପସାରଣ ଏବଂ ଅନ୍ୟାନ୍ୟ ବିଷୟରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଥିଲେ। ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ ଦୁର୍ଗାପୂଜା ପାଇଁ ପ୍ରଶାସନିକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଥିବା ସମ୍ପର୍କରେ ଅବଗତ କରାଇଥିଲେ । ଏଥି ସହ ଚଳିତ ବର୍ଷ ନିୟମ ଅନୁପାଳନ ନିମନ୍ତେ ସମସ୍ତ ପୂଜାକମିଟିର ସହଯୋଗ କାମନା କରି ଧନ୍ୟବାଦ ଜ୍ଞାପନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ନିଜ ନିଜର ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ବାରଖମାରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ନେଇ ପଞ୍ଚାୟତ ବାସୀଙ୍କ ବିରୋଧ by Proprietor Abhimanyu Maharana April 30, 2026 ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ by Proprietor Abhimanyu Maharana April 30, 2026 ଆଇପିଏଲ ବେଟିଂ ରାକେଟ ୪ ଗିରଫ ୫୭ ଲକ୍ଷ ଟଙ୍କା ଜବତ by Proprietor Abhimanyu Maharana April 30, 2026 ସ୍ବଚ୍ଛ ପୁରୀ ଗର୍ବ ଆମରି ବଳଗଣ୍ଡି ଛକରେ ଅଳିଆ ପାହଡ by Proprietor Abhimanyu Maharana April 30, 2026 କୋଣାର୍କ ଅଞ୍ଚଳର “ନଟ୍ ଫାଇନାଲ” ଜମି ସମସ୍ୟା ଦୂର କରିବାକୁ ଅନୁରୋଧ by Proprietor Abhimanyu Maharana April 30, 2026 ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଦିନିକିଆ ଜିଲ୍ଲା ଗସ୍ତ ବିଭିନ୍ନ ବିଭାଗକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ by Proprietor Abhimanyu Maharana April 30, 2026