ଖୋର୍ଦ୍ଧାରୋଡ୍ ଡିଭିଜନରେ ଟ୍ରେନ୍ ଟିକେଟ୍ ପରୀକ୍ଷକଙ୍କ ବାୟୋମେଟ୍ରିକ୍ ଉପସ୍ଥାନ କାର୍ଯ୍ୟକାରୀ

ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର  :- ପୂର୍ବତଟ ରେଳପଥ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଦ୍ୱାରା ଚଳିତ ସେପ୍ଟେମ୍ବର ମାସ ୭ତାରିଖ ଠାରୁ ଟ୍ରେନ୍ ଟିକେଟ୍ ପରୀକ୍ଷକ (ଟିଟିଇ) ମାନଙ୍କ ପାଇଁ ବାୟୋମେଟ୍ରିକ୍ ସାଇନ୍-ଇନ୍ ଏବଂ ସାଇନ୍-ଅଫ୍ କାର୍ଯ୍ୟକାରୀ କରାଯାଇଛି । ଯାହା ରେଳ ପରିଚାଳନାରେ ସ୍ୱଚ୍ଛତା ଏବଂ ଦାୟିତ୍ୱ ବୋଧତା ଦିଗରେ ଏକ ପ୍ରମୁଖ ପଦକ୍ଷେପ।ରେଳ ମଣ୍ଡଳର ଟିକେଟ୍ ଯାଞ୍ଚ କର୍ମଚାରୀଙ୍କ ଦ୍ୱାରା ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।

ଡ୍ୟୁଟି ଉପସ୍ଥାନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ରେଳ ମଣ୍ଡଳର ଖୋର୍ଦ୍ଧାରୋଡ୍, ପୁରୀ, ଭୁବନେଶ୍ୱର, ଭଦ୍ରକ, ଯାଜପୁର କେଉଁଝର ରୋଡ୍,କଟକ, ବାଲୁଗାଁ, ବ୍ରହ୍ମପୁର, ପଲାସା, ଢେଙ୍କାନାଳ, ଅନୁଗୁଳ ଏବଂ ପାରାଦୀପ ଷ୍ଟେସନ ମାନଙ୍କ ଠାରେ ଅବସ୍ଥିତ ସମସ୍ତ ୧୨ଟି କମ୍ପ୍ୟୁଟରାଇଜଡ୍ ଟିଟିଇ ଲବିରେ ବାୟୋମେଟ୍ରିକ୍-ଆଧାରିତ ଲଗଇନ୍/ଅଫ୍ ପ୍ରଚଳନ କରାଯାଇଛି ।

ଏହି ସୁବିଧା ରେଳମଣ୍ଡଳ ଅଧୀନରେ କାର୍ଯ୍ୟରତ ପ୍ରାୟ ୫୫୦ ରୁ ଅଧିକ ଟିଟିଇଙ୍କୁ ସୁବିଧା ପ୍ରଦାନ କରିବ । ଆଧାର-ସକ୍ଷମ ବାୟୋମେଟ୍ରିକ୍ ପ୍ରମାଣୀକରଣ ସଠିକ୍ ସାଇନ୍-ଅନ୍/ଅଫ୍ ସୁନିଶ୍ଚିତ କରିବ, ମାନୁଆଲ୍ ଆଟେଣ୍ଡେନ୍ସ ସିଷ୍ଟମ୍‌ରେ ବିଭେଦ ଦୂର କରିବ ଏବଂ ଡ୍ୟୁଟିରେ ସାଇନ୍ କରିବା ସମୟରେ ସମ୍ପୃକ୍ତ ଷ୍ଟେସନ୍‌ରେ କର୍ମଚାରୀଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ନିଶ୍ଚିତ କରିବ ।

ଏହି ପ୍ରକଳ୍ପ “ଭାରତୀୟ ରେଳବାଇରେ କମ୍ପ୍ୟୁଟରାଇଜଡ୍ ଟିଟିଇ ଲବିର ପ୍ରସାର” ପଦକ୍ଷେପର ଏକ ଅଂଶ, ଯାହା ପୂର୍ବରୁ ସାରା ଦେଶରେ ୯୫୦ ରୁ ଅଧିକ ସ୍ଥାନରେ କାର୍ଯ୍ୟକାରୀ କରାଯାଇଛି । ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଉନ୍ନତ କମ୍ପ୍ୟୁଟିଂ ବିକାଶ କେନ୍ଦ୍ର (ସି-ଡିଏସି) ସହିତ ସମନ୍ୱୟରେ ବାୟୋମେଟ୍ରିକ୍ ବୈଶିଷ୍ଟ୍ୟ ବିକଶିତ କରାଯାଇଥିଲା ।

ଏହି ବ୍ୟବସ୍ଥା ଆଧାର-ଆଧାରିତ ଫିଙ୍ଗର ପ୍ରିଣ୍ଟ ପ୍ରମାଣୀ କରଣ ଡିଭାଇସ୍‌ଗୁଡ଼ିକ ବ୍ୟବହାର କରେ ଯାହା ୟୁ,ଆଇ,ଡି,ଏ, ଆଇ/ଏସ,ଟି, କିୟୁ,ସି ଦ୍ୱାରା ପ୍ରମାଣିତ ଏବଂ ଇ-ପ୍ରମାଣ ପୋର୍ଟାଲ୍ ସହିତ ସମନ୍ୱିତ । ଏହି ବୈଶିଷ୍ଟ୍ୟକୁ ପ୍ରମାଣିତ ଡିଭାଇସ୍‌ ଗୁଡ଼ିକ ସହିତ ନୂଆଦିଲ୍ଲୀ ଟିଟିଇ ଲବିରେ ସଫଳତାର ସହିତ ପରୀକ୍ଷଣ କରାଯାଇଛି, ଏବଂ ବର୍ତ୍ତମାନ ଭାରତୀୟ ରେଳବାଇର ଟିଟିଇ ଲବିରେ ନିୟୋଜିତ କରାଯାଉଛି ।

ଟ୍ରେନ୍ ଟିକେଟ୍ ପରୀକ୍ଷକ (ଟିଟିଇ) ମାନଙ୍କ ପାଇଁ ବାୟୋ ମେଟ୍ରିକ୍ ସାଇନ୍-ଇନ୍ ଏବଂ ସାଇନ୍-ଅଫ୍ ପଦକ୍ଷେପ କେବଳ ଦକ୍ଷତା ଏବଂ ସ୍ୱଚ୍ଛତା ଆଣିବ ନାହିଁ ବରଂ କର୍ମଚାରୀ ନିୟୋଜନର ତଦାରଖକୁ ମଧ୍ୟ ସୁଦୃଢ଼ କରିବ ଯାହା ଦ୍ୱାରା ଯାତ୍ରୀ ମାନଙ୍କ ପାଇଁ ସେବା ପ୍ରଦାନରେ ଉନ୍ନତି ଆସିବ ।

 

Exit mobile version