୨୨ତମ ଖୁଦୁରୁକୁଣୀ ମହୋତ୍ସବ ଉଦଯାପିତ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର  :- ଉତ୍କଳ ମାଟିର ଅନନ୍ୟ କଳା, ସଂସ୍କୃତି ଓ ଐତିହ୍ୟର ଗାଥା ବହନ କରୁଥିବା ଖୁଦୁରୁକୁଣୀ ପୂଜା ଇତି ମଧ୍ୟରେ ଶେଷ ହୋଇଛି । କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ଥିବା ସର୍ବ ପୁରାତନ ଗ୍ରାମ ସୁନ୍ଦରପଦାରେ ଦେଖିବାକୁ ମିଳିଛି ଏକ ଅନନ୍ୟ ମହୋତ୍ସବ ଯାହାକି ଦୀର୍ଘ ୨୧ବର୍ଷ ଧରି ସେବାପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଖୁଦୁରୁକୁଣୀ ମହୋତ୍ସବ ଭାବେ ସ୍ଥାନୀୟ ସୁନ୍ଦରେଶ୍ଵର ପୋଖରୀ ନିକଟସ୍ଥ ଗୋଖିବାବା ଆଶ୍ରମ,

ପତିତପାବନ ଓ ସୁନ୍ଦରେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଆସୁଅଛି । ଏହା ସହ ଦେଖିବାକୁ ମିଳିଛି ୩୦ ରୁ ୩୫ ଗୋଟି ଖୁଦୁରୁକୁଣୀ ବା ମାଆ ମଙ୍ଗଳାଙ୍କ ମୂର୍ତ୍ତି ଯାହାକୁ ପ୍ରତ୍ୟେକ ବର୍ଷ ପ୍ରସ୍ତୁତ କରୁଛନ୍ତି ଅବିବାହିତ କନ୍ୟା ରତ୍ନ। ଏହି ସବୁ ମଣ୍ଡପର ଆଲୋକମାଳା, ଫୁଲଫଳ ତଥା ବିଭିନ୍ନ ସାଜସଜ୍ଜା ଜନମାନସକୁ ଆକୃଷ୍ଟ କରିଥିଲା ।ସୂଚନାଯୋଗ୍ୟ, ସେବା ପ୍ରତିନିଧି ତରଫରୁ ଆୟୋଜିତ ହୋଇଥିବା ଏହି ୨୨ତମ ଖୁଦୁରୁକୁଣୀ ମହୋତ୍ସବକୁ ଉଦଘାଟନ କରିଥିଲେ ସ୍ଥାନୀୟ ବିଧାୟକ ବାବୁ ସିଂ, ସ୍ଥାନୀୟ କର୍ପୋରେଟର ମଧୁସ୍ମିତା ପ୍ରଧାନ, ବୀଣାପାଣି ରଥ ଓ ପ୍ରଲିପ୍ତ ନନ୍ଦ । ସେହିପରି ସଭା ପରିଚାଳନା କରିଥିଲେ ଵିଷ୍ଣୁ ପ୍ରସାଦ ନନ୍ଦ । ପରେ ସୁନ୍ଦରପଦାର ଅଜିତ କୁମାର ନନ୍ଦଙ୍କ ନିର୍ଦ୍ଦେଶିତ ପୌରାଣିକ ନାଟକ ତଅପୋଇ ମଞ୍ଚସ୍ଥ ହୋଇଥିଲା, ଯେଉଁଥିରେ ସାତ ସାଧବ, ସାତ ସାଧବାଣୀ ସୁନ୍ଦରପଦାର ସୁନ୍ଦରେଶ୍ଵର ପୋଖରୀରେ ବୋଇତ ବନ୍ଦାଣ କରି ସାଧବମାନଙ୍କୁ ବାଣିଜ୍ୟକୁ ପଠାଇଥିଲେ ।

ପରେ ସାଧବାଣୀମାନେ ତଅପୋଇକୁ ଅନ୍ୟର ପ୍ରରୋଚନାରେ ପଡି ଛେଳି ଜଗାଇ ନାନା ଯାତନା ଦେଇଥିଲେ  । କିନ୍ତୁ ତଅପୋଇ ଜଙ୍ଗଲରେ ମାଆ ମଙ୍ଗଳାଙ୍କୁ ପୂଜା କରି ପୁଣି ନିଜ ଭାଇମାନଙ୍କ ସହ ହସଖୁସିର ପରିବାରକୁ ଫେରି ପାଇଥିଲେ। ଏହି ପୂର୍ବ ପ୍ରଥାକୁ ଉଜ୍ଜିବୀତ କରି ରଖିବା ପାଇଁ ଖୁଦୁରୁକୁଣୀ ମହୋତ୍ସବ ଦୀର୍ଘ ୨୩ ବର୍ଷ ଧରି ସୁନ୍ଦରପଦା ଗ୍ରାମରେ ଚାଲିଆସୁଛି ।ସେହିପରି ଖୁଦୁରୁକୁଣୀ ମହୋତ୍ସବର ଦ୍ଵିତୀୟ ଦିବସରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ଵରୀୟ ବିଦ୍ୟାଳୟର ରଞ୍ଜୁ ଦିଦି, ସୁକାନ୍ତ ଭାଈ, ସ୍ଵର୍ଣ୍ଣାଞ୍ଜଳୀ ଦିଦି ପରମାତ୍ମାଙ୍କ ଦିବ୍ୟ ପରିଚୟ ପ୍ରଦାନ କରିଥିଲେ। ପରେ ବିଭିନ୍ନ ସ୍ଥାନରୁ ଆସିଥିବା ୫୦ ଜଣ ପ୍ରତିଭା ସମ୍ପନ୍ନ ସାହିତ୍ୟିକ ସେମାନଙ୍କ ସ୍ବରଚିତ କବିତା ଆବୃତ୍ତି କରି ସମସ୍ତଙ୍କ ମନ ଜିଣିଥିଲେ। ଏହି ସଭାକୁ ସଭାପତିତ୍ବ କରିଥିଲେ ଖୁଦୁରୁକୁଣୀ ମହୋତ୍ସବ ତଥା ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ଓ ମଞ୍ଚାସୀନ ଥିଲେ ସାହିତ୍ୟ ଏକାଡେମୀର ସଚିବ ସଞ୍ଜୟ ଛୁଆଳସିଂ,

ବିଷ୍ଣୁ ପ୍ରସାଦ ନନ୍ଦ ଓ କାକଟପୁରର ବ୍ୟଙ୍ଗ କବି ସମ୍ପଦ ରଥ ଓ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ମମତା ଦେବୀ। ପରେ ଯାଦୁକର ଅରୁଣ ତାଙ୍କ ଯାଦୁ ପ୍ରଦର୍ଶିତ କରି ସମସ୍ତଙ୍କୁ ଆକୃଷ୍ଟ କରିଥିଲେ । ପରିଶେଷରେ କୁନି କଳାକାର ଓ ସାହିତ୍ୟିକମାନଙ୍କୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ମହୋତ୍ସବର ସଫଳ ଆୟୋଜନ ପାଇଁ ଶ୍ରୀ ନନ୍ଦ ପରିଶେଷରେ ସମସ୍ତଙ୍କୁ ତଥା ଗ୍ରାମବାସୀଙ୍କୁ ବିଶେଷ ଭାବେ ଧନ୍ୟବାଦ ଜଣାଇଥିଲେ ।

Exit mobile version