ପିତୃପକ୍ଷ ଆରମ୍ଭ ତୀର୍ଥ ପୁଷ୍କରିଣୀରେ ତର୍ପଣ

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର  :-  ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଆଜି ଠାରୁ ତର୍ପଣ ଆରମ୍ଭ ହୋଇଛି । ବିଶେଷକରି ବ୍ରାହ୍ମଣ ମାନେ ପୂର୍ବ ପୁରୁଷଙ୍କୁ ତର୍ପଣ କରିବା ପରେ ଦେବ କାର୍ଯ୍ଯ ଆରମ୍ଭ କରିଥାନ୍ତି । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ମହାଳୟା ଅମାବାସ୍ୟା ୧୪ ଦିନ ପର୍ଯ୍ୟନ୍ତ ଏହି ତର୍ପଣ କାର୍ଯ୍ଯ ଚାଲୁରହେ ।ଏହି ସମୟରେ ପିତୃପୁରୁଷ ମାନେ ମର୍ତ୍ତ୍ୟମଣ୍ଡଳକୁ ଆସି ଆତ୍ମୀୟସ୍ବଜନଙ୍କ ଠାରୁ ତିଳ ତର୍ପଣ ଓ ପିଣ୍ଡ ଗ୍ରହଣ କରିବା ବିଶ୍ବାସ ରହିଛି । ତୀର୍ଥରାଜ ମହୋଦଧି, ଶ୍ବେତଗଙ୍ଗା, ମାର୍କଣ୍ଡେୟ, ଇନ୍ଦ୍ରଦ୍ୟୁମ୍ନ ଓ ନରେନ୍ଦ୍ର ପୁଷ୍କରିଣୀରେ ତର୍ପଣ କରୁଥିବା ଶ୍ରଦ୍ଧାଳୁ ମାନେ ପ୍ରାତଃ ସ୍ନାନ କରି ତିଳ ତର୍ପଣ କରୁଥିବା ଦେଖିବାକୁ ମିଳିଛି ।

ଏହାସହ ବ୍ରାହ୍ମଣଙ୍କ ପରିବାରରେ ଘରେ ଜ୍ଯେଷ୍ଠ ପୁତ୍ର ତର୍ପଣ କରୁଥିବା ଦେଖିବାକୁ ମିଳୁଛି । ତର୍ପଣ ପାଇ କୁଶ,ବଟୁ, ଗୁଆ, ପାତ୍ରୀ, ଜବଧାନ, ରାଶି, ଫୁଲ ଚନ୍ଦନ ଧୂପଦୀପ ଓ ଅରୁଆ ଚାଉଳ, ହଳଦୀଗୁଣ୍ଡକୁ ବ୍ଯବହୃତ ହୋଇଥାଏ । ନିଷ୍ଠା ଭକ୍ତି ଓ ଶ୍ରଦ୍ଧାର ସହ ବିଧିବିଧାନ ଅନୁଯାଇ ମନ୍ତ୍ର ଉଚ୍ଚାରଣ ସହ ତର୍ପଣ କରାଯାଉଛି ।

Exit mobile version