ଆର୍ଥିକ ସଂକଟରେ ଥିବା ଆଇନଜୀବୀଙ୍କୁ ଯଥାଶୀଘ୍ର ଆର୍ଥିକ ସହାୟତା

ଆଇନଜୀବୀଙ୍କୁ ଆର୍ଥିକ ସହାୟତା ସଂକ୍ରାନ୍ତରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ବୈଠକରେ କେତେକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆର୍ଥିକ ସଂକଟରେ ଥିବା ଆଇନଜୀବୀଙ୍କୁ ଯଥାଶୀଘ୍ର ଆର୍ଥିକ ସହାୟତା ପ୍ରଦାନ ପ୍ରସଂଗରେ ଆଲୋଚନା କରାଯାଇ କତେକେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶୁକ୍ରବାର) କଟକ :- ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ଆଡଭୋକେଟ୍ସ ୱେଲଫେୟାର କର୍ପସ୍ ଫଣ୍ଡକୁ ବର୍ତ୍ତମାନ ପାଇଁ ୩ କୋଟି ୬୬ ଲକ୍ଷ ୮୫ ହଜାର ଟଙ୍କା ପ୍ରଦାନ ପାଇଁ ଆଡଭୋକେଟ୍ସ ୱେଲଫେୟାର ଟ୍ରଷ୍ଟ କମିଟିକୁ ଅନୁରୋଧ କରାଯିବ । ଏଥିସହିତ ଆଇନଜୀବୀ ପରିଷଦର ସ୍ବତନ୍ତ୍ର କମିଟିକୁ ୫୦ ଲକ୍ଷ ଟଙ୍କା ୱେଲଫେୟାର କର୍ପସ୍ ଫଣ୍ଡ ପ୍ରଦାନ ପାଇଁ ଅନୁରୋଧ କରାଯିବ। ଆର୍ଥିକ ସହାୟତା ଆବଶ୍ୟକ କରୁଥିବା ସବୁ ଆଇନଜୀବୀଙ୍କୁ ଏକ ଘୋଷଣାନାମା (ଡିକ୍ଲୋରେସନ୍) ଦାଖଲ କରିବାକୁ କୁହାଯିବ । ବାର୍ ଆସୋସିଏସନର ଅନ୍ତରୀଣ କମିଟି ସଭାପତି/ସଂପାଦକ ଏପରି ଘୋଷଣାନାମାକୁ ସାର୍ଟିଫାଏ କରିବେ । ଆଇନଜୀବୀମାନେ ଦାଖଲ କରିବାକୁ ଥିବା ‌ଘୋଷଣାନାମା ସହିତ ଆବେଦନକାରୀଙ୍କ ନାଁ ଓ ଏନରୋଲମେଣ୍ଟ ନମ୍ବରର ତାଲିକା ସଂପୃକ୍ତ ବାର୍ ଆସୋସିଏସନ ଗୁଡିକୁ ପଠାଯିବ ।

ଏହାପରେ ସଂପୃକ୍ତ ବାର୍ ଆସୋସିଏସନର ଅନ୍ତରୀଣ କମିଟି ଏପରି ଘୋଷଣାନାମାକୁ ତୁରନ୍ତ ପଠାଇବାର ବ୍ୟବସ୍ଥା କରିବେ । ପୂର୍ବରୁ ଆର୍ଥିକ ସହାୟତା ପାଇଁ ଦାଖଲ ହୋଇଥିବା ଆବେଦନ ଗୁଡିକୁ ସଂପୃକ୍ତ ବାର୍ ଆସୋସିଏସନ୍ ସବୁକୁ ଆବଶ୍ୟକ ଯାଞ୍ଚ ପାଇଁ ପଠାଯିବ । ଆବେଦନ ଗୁଡିକ ସହିତ ଆଇନଜୀବୀଙ୍କ ଘୋଷଣାନାମା ବାର୍ ଆସୋସିଏସନ୍ ପୁଣି ପରିଷଦ ନିକଟକୁ ପଠାଇବେ । ଘୋଷଣାନାମା ମିଳିବାପରେ ଆର୍ଥିକ ସହାୟତା ପ୍ରଦାନ ପାଇଁ ତୁରନ୍ତ ଏସବୁ କମିଟି ନିକଟରେ ଉପସ୍ଥାପନ କରାଯିବ ବୋଲି ଗ୍ରହଣ କରାଯାଇଥିବା ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି । କମିଟି ଅଧ୍ୟକ୍ଷ ଆଇନଜୀବୀ ଅଜୟ କୁମାର ବରାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସଦସ୍ୟ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ, ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ, ଭୂପେଶ ଚନ୍ଦ୍ର ମହାନ୍ତି, ସୁରେଶ କୁମାର ଜେନା, ପରିଷଦ ସଚିବ ଯଯାତି କେଶରୀ ସାମନ୍ତରାୟ, ପରିଷଦ ସ୍ବତନ୍ତ୍ର ଅଧିକାରୀ (ଅର୍ଥ) ସଂଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । (ଲେଖକ – ରଶ୍ମିତା ମହାପାତ୍ର କଟକ)

Exit mobile version