କଟକ (ଓଡ଼ିଶା ତାଜା ନ୍ୟୁଜ୍) ସମ୍ବଲପୁର ନି:ପ୍ର :- ସମ୍ବଲପୁର ପୌର ନିଗମ ନିର୍ବାଚନ ପାଇଁ ବାଟ ଫିଟିଛି । ୨୦୧୫ରୁ ହାଇକୋର୍ଟରେ ବିଚାରାଧୀନ ଏ ସଂପର୍କିତ ମାମଲାର ଶୁଣାଣିରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି । ସଂରକ୍ଷଣ ନିୟମ ଉଲ୍ଲଂଘନ କରି ନବ ଗଠିତ ସମ୍ବଲପୁର ପୌର ନିଗମ ୱାର୍ଡ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ଅଭିଯୋଗକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି । ୱାର୍ଡ ସଂରକ୍ଷଣ ସଂପର୍କିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ସଂରକ୍ଷଣ ୫୦ ପ୍ରତିଶତ ଭିତରେ ସୀମିତ ରଖି ତଥା ସଂରକ୍ଷଣ ନିୟମାବଳୀ ପାଳନ କରି ସମ୍ବଲପୁର ପୌର ନିଗମର ୱାର୍ଡ ସଂରକ୍ଷଣ ନେଇ ସାନି ବିଜ୍ଞପ୍ତି ୬ ସପ୍ତାହ ଭିତରେ ପ୍ରକାଶ କରିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏଥି ସହିତ ଅଜୟ କୁମାର ମହାନ୍ତିଙ୍କ ତରଫରୁ ଦାୟର ଆବେଦନର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି । ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲର ଶଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି ।ଉଲ୍ଲେଖଯୋଗ୍ୟ ଯେ ନବଗଠିତ ସମ୍ବଲପୁର ପୌର ନିଗମ ପାଇଁ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୱାର୍ଡ ସଂରକ୍ଷଣ ନେଇ ବିଜ୍ଞପ୍ତି ଜାରି କରିଥିଲେ । ୫୦ ପ୍ରତିଶତରୁ ଅଧିକ ୱାର୍ଡ ସଂରକ୍ଷିତ ବର୍ଗଙ୍କ ପାଇଁ ରଖାଯାଇ ପ୍ରକାଶିତ ବିଜ୍ଞପ୍ତି କରାଯାଇଥିଲା ଅଭିଯୋଗ ହୋଇଥିଲା । ସଂରକ୍ଷଣ ନିୟମ ଅନୁସାରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ପ୍ରଦାନ କରାଯାଇ ପାରିବ ନାହିଁ ।
