ମୁଁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ କହୁଛି —

ମୁଁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ କହୁଛି ସୃଷ୍ଟି କରିଛି ଅନେକ କଳାକାର, ପ୍ରସିଦ୍ଧି ଲାଭ କରିଛନ୍ତି ଉତ୍କଳରେ ମୋ କଳାକାର ମଞ୍ଚ ଦୁଲୁକାଇ ହୋଇଛନ୍ତି ପ୍ରଖ୍ୟାତ ଓ ଖ୍ଯାତନାମା । ମୁଁ ଏବେ ବୃଦ୍ଧା ଜରାଜୀର୍ଣ୍ଣ ମୋ ଶରୀର , କଳାକାର ମାନଙ୍କ ଲହୁର ଲୁହ ଝରଝର ହୋଇ ଖଣ୍ଡିଆ ଇଟାରୁ ଝରୁଛି, କୋହ ଉଠା ଲୁହ ଠପ ଠପ ହୋଇ ତଳେ ପଡୁଛି | ମୋ ଶରୀର ଏବେ କ୍ଷତାକ୍ତ, ପିଞ୍ଜରା ହାଡ ଉପରେ ମୁଣ୍ଡ ହଲୁଛି ମୁଁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ କହୁଛି |

ମୋ ଦୁଃଖ କିଏ ଶୁଣୁଛି କଅଁଳ ହାତରେ ମୋ ଦେହକୁ କିଏ ଆଉଁସୁଛି, ମୋ ଜରାଜୀର୍ଣ୍ଣ ଅବସ୍ଥା ଦେଖି ଅନେକ ବ୍ଯକ୍ତି ଦେଖିଲେଣି ଦିନରେ ସ୍ବପ୍ନ, ଚିକଚିକ୍ ହୋଇ ଚମକିବ ଅନ୍ନପୂର୍ଣ୍ଣା ରଙ୍ଗୀନ ଶାଢୀ ପିନ୍ଧି ବୃଦ୍ଧା ହେବ ଯୁବତୀ, ହେଲେ ସବୁ ସ୍ବପ୍ନ ଭାଙ୍ଗି ଯାଇଛି ମୋ ଶରୀର ହୋଇଛି ମଶାଣି ଭୂଇଁ ରାତିରେ କଳାକାରଙ୍କ କ୍ରନ୍ଦନ ଶୁଭୁଛି । କେତେ ପାଉଡର, ସ୍ନୋ, ଅଳତା ପଡି ପଡି ଏଠି ପାହଡ ହୋଇଛି, କେତେ ଉଛୁଳା ଯୌବନ ନାଚି ନାଚି ଏଠି ମଉଳି ଯାଇଛି, ଆଉ ଶୁଭୁନି କଂସା କବାଟ ନାଟକର ଝଣ ଝଣ ଶଦ୍ଦ, ଲକ୍ଷେ ହୀରା ନାଟକ ମାଟିରେ ମିଶିଛି, ଆଉ ଶୁଭୁନି ତଅପୋଇ ନାଟକର ଆକୁଳ କ୍ରନ୍ଦନ, କେବଳ ମର୍କଟ ମାନେ ଦିନ ରାତି ଡେଇଁ ଡେଇଁ ମୋତେ କଲେଣି ଖିନଭିନ ।

ମୁଁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ କହୁଛି କର୍ପୂର ଉଡିଗଲେ ବି କନା ପଡିଛି, ମୋ ଶରୀରର କଙ୍କାଳରେ ଏବେ ଅନ୍ତବସ୍ତ୍ର ଶୁଖୁଛି, ସରୀସୃପ ତରୁଲତା ଖାଇ ଗଲେଣି ମୋର ମାଂସ ହାଡ, ତଥାବି ମୁଁ ବଞ୍ଚିଛି କଳାକାର ପାଇଁ, ଯେଉଁଠି ରାତି ହେଲେ ରଙ୍ଗୀନ ହେଉଥିଲା ରଙ୍ଗମଞ୍ଚ, ସେଠି ଏବେ ଜଳୁଛି ଡିବିରି ଓ ଲଣ୍ଠନ | ଆଉ ଶୁଭୁନି କଂସ ରାବଣଙ୍କ ବିକଟାଳ ଶଦ୍ଦ, ଏବେ ଶୁଭୁଛି ମାଙ୍କଡଙ୍କ ଖେଁଙ୍କେରା ଶଦ୍ଦ | କଳାକାରର ଠାଣି, ବାଣି,

ଚାହାଁଣୀ ଆଉ ଦେଖିବାକୁ ମିଳୁନି, ଏବେ ଅଣକଳାକାରଙ୍କ ରାଜ ମୋତେ ଅତିଷ୍ଠ କଲାଣି, ମୁଁ ଏବେ ଶୋଇଛି ଶର ଶଯ୍ଯାରେ, ଶାସକ,ପ୍ରଶାସକ, କଳାକାର,ଭାବୁକ ଲେଖକ,ସାମ୍ବାଦିକ ଶୁଣି ପାରୁନାହାନ୍ତି, ମୋର ଅନ୍ତ କ୍ରନ୍ଦନ ର ସ୍ୱର ଚିପୁଡା ଲହୁ କୋହର ଲୁହରେ ମୁଁ ଏବେ ପଡି ରହିଛି | କଳା, କାଳିଆ ଓ କଳାକାର କ୍ଷେତ୍ରରେ, ସତେ କଣ ମୁଁ ନବଯୌବନ ପାଇବି ମୁଁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ କହୁଛି |

Exit mobile version