ଅନ୍ତିକେରା ବ୍ରିଜ ନିକଟରୁ ୧୫୭ ବ୍ରାଉନ ସୁଗାର ଜବତ : ୩ ଗିରଫ

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) :- ଚନ୍ଦନପୁର ଥାନା ପୋଲିସ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଅନ୍ତିକେରା ବ୍ରିଜ ନିକଟରୁ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି l ସେମାନଙ୍କ ନିକଟରୁ ସମୁଦାୟ ୧୫୭.୩୮ ଗ୍ରାମ୍ ବ୍ରାଉନସୁଗାର ପୋଲିସ ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ । ଚନ୍ଦନପୁର ଥାନା ଅନ୍ତର୍ଗତ ନୂଆ ଜଗନ୍ନାଥ ସଡ଼କର ଭାଇଲିପୁର ନିକଟ ଅନ୍ତିକେରା ପୋଲ ଉପରେ ବ୍ରାଉନସୁଗାର ବିକ୍ରି ହେଉଥିବା ସୂଚନା ପାଇ ଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ଚଢ଼ଉ କରିଥିଲା ।ଚନ୍ଦନପୁର ଥାନା ଅଧିକାରୀ ଓ ପୋଲିସ ଟିମ୍ ସେଠାରେ ଚଢ଼ଉ କରିଥିଲେ । ଦୁଇଟି ମୋଟର ସାଇକେଲ୍ ଓ ଗୋଟିଏ ହୋଣ୍ଡା ଆକ୍ଟିଭା ପୋଲିସ ସିଜ଼ କରିଛି l ଗାଡ଼ିରେ ବ୍ରାଉନସୁଗାର ରଖି ସମ୍ପୃକ୍ତ ତିନି ଅଭିଯୁକ୍ତ ବିକ୍ରୀ ଉଦ୍ଦେଶ୍ୟରେ ସେଠାରେ ଛିଡା ହୋଇଥିଲେ । ପୋଲିସକୁ ଦେଖି ସେମାନେ ଖସିଯିବା ପାଇଁ ଉଦ୍ୟମ କରିଥିଲେ । ପୋଲିସ ତାଙ୍କୁ ଗୋଡାଇ ଧରିଥିଲା । ସେମାନଙ୍କୁ ପଚାରିବାରେ ସେମାନେ ବ୍ରାଉନସୁଗାର ବିକ୍ରି କରୁଥିବା ସ୍ୱୀକାର କରିଥିଲେ ।ଘଟଣାସ୍ଥଳରୁ ଦୁଇଟି ବାଇକ୍ ଓ ଗୋଟିଏ ହୋଣ୍ଡା ଆକ୍ଟିଭା ସହ ୧୫୭.୩୮ ଗ୍ରାମ୍ ବ୍ରାଉନସୁଗାର ଓ ନଗଦ ୧ ଲକ୍ଷ ୬୩ ହଜାର ୫୨୦ ଟଙ୍କା ପୋଲିସ ଜବତ କରିଛି । ଏହା ସହ ସେମାନଙ୍କ ନିକଟରୁ ୩ଟି ମୋବାଇଲ ଫୋନ୍‌, ଗୋଟିଏ ଭଙ୍ଗା କତୁରୀ ଓ ଗୋଟିଏ ଛୁରୀ ଜବତ ହୋଇଛି । ଏ ସଂକ୍ରାନ୍ତରେ ଚନ୍ଦନପୁର ଥାନାରେ ୧୫୧/୨୫, ଏନଡିପିଏସ ଆକ୍ଟ ୨୧(ବି), ୨୯ ରେ ଏକ ମାମଲା ରୁଜ୍ଜୁ ହୋଇଛି ।ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଅଭିଯୁକ୍ତ ମାନେ ହେଲେ ପ୍ରଦୀପ କୁମାର ପଣ୍ଡା (୨୨), ଲିଟୁ ପ୍ରଧାନ (୪୦) ଏବଂ ନିରଞ୍ଜନ ପରିଡ଼ା (୩୦) । ପ୍ରଦୀପଙ୍କ ଘର ଚନ୍ଦନପୁର ଥାନା ଅନ୍ତର୍ଗତ ଚାଷପଡ଼ା ଗ୍ରାମରେ ହୋଇଥିବା ବେଳେ ଲିଟୁ ଓ ନିରଞ୍ଜନଙ୍କ ଘର ସେହି ଥାନା ଅନ୍ତର୍ଗତ ଭାଇଲିପୁର ଗ୍ରାମରେ ବୋଲି ଜଣାପଡିଛି । ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରତୀକ ସିଂ ଏ ସମ୍ପର୍କ ରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

Exit mobile version