ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଶିକ୍ଷକ ବସନ୍ତ କୁମାର ରଣାଙ୍କୁ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ୱର୍ଦ୍ଧନା ପ୍ରଦାନ କରିଛନ୍ତି। ଏହି ଜାତୀୟ ସ୍ତର ସଫଳତାରେ ଜିଲ୍ଲାପାଳ ନିଜର ଖୁସି ବ୍ୟକ୍ତ କରିବା ସହ ଏହା ଆମ ଜିଲ୍ଲା ମାଲକାନଗିରି ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ରଣାଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ଶ୍ରୀ ରଣା ସେପ୍ଟେମ୍ୱର ୩ରେ ବିଶାଖପାଟଣା ରୁ ନୂଆ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ଦେଇଛନ୍ତି ।
ସେପ୍ଟେମ୍ବର ୫ ରେ ଗୁରୁ ଦିବସ ଅବସରରେ ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ରଣା ପୁରସ୍କାର ଗ୍ରହଣ କରିବେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିଜର ଶିକ୍ଷକତା ଜୀଵନ ଆରମ୍ଭ କରିଥିବା ଶ୍ରୀ ରଣା କୁନି କୁନି ପିଲାଙ୍କ ନିମନ୍ତେ ଅଭିନବ ଶିକ୍ଷା ପଦ୍ଧତି ଆପଣେଇ ଥିଲେ । ମାଲକାନଗିରି ଜିଲ୍ଲା ର କନ୍ଦେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଶ୍ରୀ ରଣା ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟିତ ଓ ସେମାନଙ୍କ ପାଇଁ ଉତ୍ସର୍ଗୀକୃତ ।
