ପୂର୍ବରୁ ସମାଲୋଚନା କରୁଥିବା ଯୋଜନାର କେବଳ ନାମ ପରିବର୍ତ୍ତନ କରି ଲାଗୁ କରୁଛନ୍ତି ରାଜ୍ୟ ସରକାର, ଆମ ଶାସନକୁ ମିଶାଇ ୨୫ ଯୋଜନାର ନାମ ପରିବର୍ତ୍ତନ କରି ଲାଗୁ ହୋଇଛି l
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ଆରମ୍ଭ କରାଯାଇଥିବା “ଆମ ଶାସନ’ ବ୍ୟବସ୍ଥା, ପୂର୍ବ ସରକାରଙ୍କ ଦ୍ୱାରା ୨୦୧୯ ମସିହାରୁ କାର୍ଯ୍ୟକାରୀ ହୋଇ ଆସୁଥିବା ‘୫-ଟି ଓ ମୋ ସରକାର’ ବ୍ୟବସ୍ଥାର କପି ପେଷ୍ଟ ବୋଲି ବିଜେଡି କହିଛି । ବିରୋଧୀ ଦଳର ଦାୟିତ୍ୱ ନିର୍ବାହ କରିବା ସମୟରେ ବିଜେପି ଏହି ବ୍ୟବସ୍ଥାକୁ ସମାଲୋଚନା କରିଆସୁଥିବା ବେଳେ, ସରକାରକୁ ଆସିବାର ୧୪ ମାସ ପରେ ସମାନ ବ୍ୟବସ୍ଥାକୁ, କେବଳ ନାମ ପରିବର୍ତ୍ତନ କରି ଲାଗୁ କରିଛି ବୋଲି ବିଜେଡି କହିଛି । କ୍ଷମତାକୁ ଆସିବାର ୧୪ ମାସ ପରେ ‘୫-ଟି ଓ ମୋ ସରକାର’ ବ୍ୟବସ୍ଥାର ଉପାଦେୟତାକୁ ବିଜେପି ସରକାର ସ୍ୱୀକାର କରିଛନ୍ତି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ପୂର୍ବ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଅନେକ ଲୋକପ୍ରିୟ ଯୋଜନାକୁ କେବଳ ନାମ ପରିବର୍ତ୍ତନ କରି ଓ ପୂର୍ବ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ସରକାରୀ ଭବନ ଗୁଡିକର ରଙ୍ଗ ପରିବର୍ତ୍ତନ କରିବା ପ୍ରାଥମିକତା ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ଗୁଡିକ ଭିତରୁ ୨୪ଟି ଯୋଜନାର ନାମ ପୂର୍ବରୁ ହୋଇସାରିଥିଲା ଓ ଆଜି ଆରମ୍ଭ ହୋଇଥିବା ‘ଆମ ଶାସନ’ ବ୍ୟବସ୍ଥା ପରେ ଏହି ସଂଖ୍ୟା ୨୫କୁ ଛୁଇଁଲା ।
