ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ସମନ୍ୱିତ ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀ (ଆଇଏଡିଡବ୍ଲୁଏସ)ର ପ୍ରଥମ ସଫଳ ପରୀକ୍ଷଣ ସମ୍ପନ୍ନ କରିଛି । ୨୩ ଅଗଷ୍ଟ ୨୦୨୫ରେ ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଓଡ଼ିଶା ଉପକୂଳରୁ ଏହି ପରୀକ୍ଷଣ କରାଯାଇଥିଲା । ଆଇଏଡିଡବ୍ଲୁଏସ ଏକ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯେଉଁଥିରେ ସମସ୍ତ ସ୍ୱଦେଶୀ ତ୍ୱରିତ ମୁକାବିଲା କ୍ଷମତା ସମ୍ପନ୍ନ ଭୂପୃଷ୍ଠରୁ ଆକାଶମାର୍ଗକୁ ଲକ୍ଷ୍ୟ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର ସଂଯୋଗ କରାଯାଇଛି । ଏହାଛଡ଼ା ଏଥିରେ ଉନ୍ନତ ଅତି ସ୍ୱଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ର ଏବଂ ଉଚ୍ଚ କ୍ଷମତାସମ୍ପନ୍ନ ଲେଜର ଆଧାରିତ ଲକ୍ଷ୍ୟଭେଦକାରୀ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର (ଡିଇଡବ୍ଲୁ) ମଧ୍ୟ ଖଞ୍ଜା ହୋଇଛି ।
ଏହି କାର୍ଯ୍ୟକ୍ରମର ଅଗ୍ରଣୀ ପ୍ରୟୋଗଶାଳା ରୂପେ ମାନ୍ୟତା ଲାଭ କରିଥିବା ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରୟୋଗଶାଳା ଦ୍ୱାରା ବିକଶିତ ଏକ ସମନ୍ୱିତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ର ଦ୍ୱାରା ଅସ୍ତ୍ର ପ୍ରଣାଳୀର ସବୁ ଉପକରଣକୁ ସମନ୍ୱିତ ପରିଚାଳନା ଓ ନିୟନ୍ତ୍ରିତ କରାଯାଇଥାଏ । ଭିଏସଏଚଓଆରଏଡିଏସକୁ ରିସର୍ଚ୍ଚ ସେଣ୍ଟର ଇମାରତ ଦ୍ୱାରା ବିକଶିତ କରାଯାଇଥିବା ବେଳେ ଡିଇଡବ୍ଲୁକୁ ସେଣ୍ଟର ଫର୍ ହାଇ ଏନର୍ଜି ସିଷ୍ଟମ୍ସ ଆଣ୍ଡ ସାଇନ୍ସେସ୍ ଦ୍ୱାର ବିକଶିତ କରାଯାଇଛି । ଆଜିର ଆକାଶମାର୍ଗ ପରୀକ୍ଷଣ ସମୟରେ ଦୁଇଟି ଉଚ୍ଚ ଗତିଶୀଳ ଫିକ୍ସଡ୍ ୱିଙ୍ଗ ମାନବବିହୀନ ଆକାଶମାର୍ଗର ଲକ୍ଷ୍ୟ ଏବଂ ଗୋଟିଏ ମଲ୍ଟି କ୍ୟାପ୍ଟର ଡ୍ରୋନ୍ ସମେତ ତିନୋଟି ଭିନ୍ନ ଭିନ୍ନ ଲକ୍ଷ୍ୟକୁ ଏକ ସଙ୍ଗେ ଟାର୍ଗେଟ୍ କରାଯାଇଥିଲା ।
