ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ଉପଖଣ୍ଡରେ ଖରିଫ୍ ଧାନ ଚାଷ ପାଇଁ ଚଳିତ ବର୍ଷ ଆବଶ୍ୟକୀୟ ବର୍ଷା ହୋଇନଥିବାରୁ ଚାଷ କାର୍ଯ୍ୟ ବିଶେଷତଃ ରୁଆପୋତା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି । ବାଙ୍କୀ ବ୍ଲକର ୨୦ଗୋଟି ପଂଚାୟତ, ଡମପଡ଼ା ବ୍ଲକର ୧୭ଗୋଟି ପଂଚାୟତ ଓ ବାଙ୍କୀ ବିଜ୍ଞାପିତ ପରିଷଦ ଅଞ୍ଚଳର ୧୭ଟି ୱାର୍ଡରେ ହେବାକୁ ଥିବା ଧାନଚାଷ ବର୍ଷାର ସମ୍ପୂର୍ଣ୍ଣ ଅଭାବରୁ ଅଦ୍ୟାବଧି ଚାଷୀମାନେ ରୁଆପୋତା କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରୁ ନାହାନ୍ତି । ଏପରିକି ପକାଯାଇଥିବା ତଳି ମଧ୍ୟ ପାକଳ ହୋଇ ନାଲି ପଡିଗଲାଣି । ଏହାର ପ୍ରତ୍ୟେକ୍ଷ ତଦନ୍ତ ପାଇଁ ବାଙ୍କୀ କୃଷି ବିଭାଗ ସମ୍ପୂର୍ଣ୍ଣ ନିରବ । ଜଣାପଡେ ବାଙ୍କୀରେ ଚାଷୀ ଓ ଚାଷ କାର୍ଯ୍ୟର ଉନ୍ନତି ପାଇଁ ସତେ ଯେପରି କୃଷି ବିଭାଗର କର୍ମଚାରୀ ନାହାଁନ୍ତି ।

ବର୍ଷା ଅଭାବରୁ ପୋଖରୀ ବନ୍ଧ ଏବଂ କ୍ଷୁଦ୍ର ଜଳସେଚନ ବିଭାଗର ପ୍ରକଳ୍ପରେ ଜଳ ନଥିବାରୁ ଚାଷୀମାନେ ଚେଷ୍ଟା କଲେ ମଧ୍ୟ କେନାଲ୍ ପମ୍ପ୍ ଦ୍ୱାରା ଜଳ ବ୍ୟବହାର କରି ଚାଷ କାର୍ଯ୍ୟ କରିପାରୁ ନାହାନ୍ତି । ବାଙ୍କୀରେ ଥିବା ହାତଗଣତି ସ୍ୱଳ୍ପ ଉଠାଜଳସଚେନ ପ୍ରକଳ୍ପ ମଧ୍ୟରୁ ଅନେକ ଅଚଳ ଥିବାରୁ ତାହା ମଧ୍ୟ ଚାଷୀଙ୍କ ଚାଷ କାର୍ଯ୍ୟରେ ବାଧକ ସାଜିଛି । ବିଶେଷତଃ ବାଙ୍କୀ ବ୍ଲକର ପଶ୍ଚିମ ବାଙ୍କୀର କାଳିପୋଇ, ବଳଭଦ୍ରପୁର, ଜଗନ୍ନାଥପୁର, ବରପୁଟ, ବୈଦ୍ୟେଶ୍ୱର, ନୂଆଗାଁ, କେନ୍ଦୁପଲ୍ଲୀ, ପୁଇଁଚା, ଅନୁଆରୀ , ଗୋଳାଗଣ୍ଡ, କଳାପଥର ଓ ଡମପଡ଼ା ବ୍ଲକରେ ବିଲିପଡା, ଶିମିଳିପୁର, ହରିରାଜପୁର, ଭେଡରାମଚନ୍ଦ୍ରପୁର, ରଗଡି,
ଗୋପାଳପୁର, ପାଟପୁର, ନରଗାଙ୍ଗ ପ୍ରମୁଖ ପଂଚାୟତ ଗୁଡିକରେ ବର୍ଷା ଅଭାବ ଜନିତ ସମସ୍ୟାରୁ ରୁଆପୋତା କାର୍ଯ୍ୟ ସମ୍ପୂର୍ଣ୍ଣ କରିନପାରି ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏପଟେ ବାଙ୍କୀ ଚାଷୀ ଚଳିତ ବର୍ଷ ସମବାୟ ବ୍ୟାଙ୍କ ମାଧ୍ୟମରେ ଖରିଫ୍ ରୁଣ କରି ତଥା ହାତ ଉଦ୍ଧାରି ମାଧ୍ୟମରେ ଟଙ୍କା ରୁଣ କରି ବିହନ କିଣା ଠାରୁ ଟ୍ରାକ୍ଟର ଭଡା ପର୍ଯ୍ୟନ୍ତ ଖର୍ଚ୍ଚକୁ କିପରି ଭରଣା କରିବେ ସେ ଚିନ୍ତାରେ । ଭାଦ୍ରବ ମାସ ଅଧା ହେବାକୁ ବସିଲାଣି । ଦିନେ ଦୁଇଦିନ ମଧ୍ୟରେ ଆବଶ୍ୟକ ବର୍ଷା ନହେଲେ ବାଙ୍କୀ ଉପଖଣ୍ଡରେ ଖରିଫ୍ ଧାନ ଚାଷ ସମ୍ପୂର୍ଣ୍ଣ ସଫଳ ହେବା ଆଶା କମ୍ ଓ ଧାନ ଚାଷ ଉପରେ ନିର୍ଭର କରୁଥିବା ସମସ୍ତ ବାଙ୍କୀର ଚାଷୀ ପରିବାର ଚଳିତ ବର୍ଷ ଜୀବନ ଜୀବିକା ନିର୍ବାହ କରିବା କଷ୍ଟ ହେବ ।
ଏଣୁ ଏବେ ଠାରୁ ଏହାର ବିକଳ୍ପ ସ୍ୱରୂପ ଜିଲ୍ଲା ପ୍ରଶାସନ ଓ ବାଙ୍କୀ ଉପଖଣ୍ଡ ପ୍ରଶାସନ ପ୍ରତ୍ୟେକ୍ଷ ତଦନ୍ତ କରି ଚଳିତ ବର୍ଷ ସମଗ୍ର ବାଙ୍କୀ ଚାଷୀ କରିଥିବା ଋଣ ଛାଡ କରିବା ସହ ଆଗାମୀ ଦିନରେ ବିକଳ୍ପ ଚାଷ ପାଇଁ ଆବଶ୍ୟକୀୟ ବିହନ ଓ ସାର ସୁଲଭ ମୂଲ୍ୟରେ ରାଜ୍ୟ ସରକାର ଯୋଗେଇ ଦେବାକୁ ବିଶିଷ୍ଟ କୃଷକ ନେତା ତଥା ବାଙ୍କୀ ବ୍ଲକର ପୂର୍ବତନ ଅଧ୍ୟକ୍ଷ କାହ୍ନୁଚରଣ ସିଂହ ଓ ଚାଷୀ ନେତ୍ରୀ ମିନତୀ ମହାପାତ୍ର ଦ୍ରୁଢ଼ ଦାବି କରିଛନ୍ତି । ଏ ସମ୍ପର୍କ ରେ ବାଙ୍କୀ କୃଷି ଅଧିକାରୀ ଙ୍କୁ ଫୋନ ରେ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ତାଙ୍କ ଫୋନ ସୁଇଜ ଅଫ ଥିଲା । ସୂଚନା ଯୋଗ୍ୟ ବାଙ୍କୀ କୃଷି ଅଧିକାରୀ ସପ୍ତାହ ରେ ବହୁ ଦିବସ ବାଙ୍କୀ ରେ ଅନୁପସ୍ଥିତ ଯାହା ଫଳରେ ସାଧାରଣ ଚାଷୀ ଟେ ତା ସମସ୍ୟା ତାଙ୍କୁ ଜଣେଇ ପାରୁ ନାହିଁ। ଏଥିପ୍ରତି ସରକାର ନଜର ଦେବାକୁ ବିଭିନ୍ନ ମହଲ ରେ ଦାବି ଜୋର ଧରିଲାଣି ।