ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶା ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନ୍ (OAA)ର ଷଷ୍ଠତମ ବାର୍ଷିକ ସମ୍ମିଳନୀ ୨୩ ରୁ ୨୪ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରର ମେଫେୟାର ହୋଟେଲରେ ଅନୁଷ୍ଠିତ ହେଉଛି । ଏଥିରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୨୦୦ରୁ ଅଧିକ ଅର୍ଥୋପେଡିକ୍ ସର୍ଜନ ଡାକ୍ତରମାନେ ଅଂଶଗ୍ରହଣ କରିଛନ୍ତି । ସମ୍ମିଳନୀରେ ବୈଜ୍ଞାନିକ ଅଧିବେଶନ, ଅସ୍ତ୍ରୋପଚାରର ସିଧାସଳଖ ପ୍ରଦର୍ଶନ ଏବଂ ଗଣ୍ଠି ପ୍ରତିରୋପଣ ଅସ୍ତ୍ରୋପଚାର ସମ୍ବନ୍ଧୀୟ ଵିଭିନ୍ନ ନୂତନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଜାତୀୟ ଓ ରାଜ୍ୟସ୍ତରୀୟ ବିଶିଷ୍ଟ ବକ୍ତାମାନେ ଅଣ୍ଟା ଓ ଆଣ୍ଠୁ ପ୍ରତିରୋପଣ, ସଂଶୋଧନ ଶଲ୍ୟଚିକିତ୍ସା ଏବଂ ରୋଗୀ ସେବା ପ୍ରବୃତ୍ତିରେ ବିଶେଷ ଭାବେ ପ୍ରଚଳିତ ଚିକିତ୍ସା ବିଷୟରେ ଆଲୋଚନା ହୋଇଛି ।
୨୨ ଅଗଷ୍ଟରେ କଟକ ଏସ୍ସିବି ମେଡିକାଲ କଲେଜରେ ହିପ୍ ଏବଂ ଆଣ୍ଠୁ ପ୍ରତିରୋପଣ ଶଲ୍ୟଚିକିତ୍ସା ଉପରେ ହ୍ୟାଣ୍ଡସ୍-ଅନ୍ କାଡାଭେରିକ୍ କର୍ମଶାଳା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବହୁ ସଂଖ୍ୟକ ଅର୍ଥୋପେଡିକ୍ ଡାକ୍ତରମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଓଏଏ ସଭାପତି ଡ଼ା. ନିର୍ମଳ ଚନ୍ଦ୍ର ମହାପାତ୍ର ଓଡ଼ିଶାରେ ଗଣ୍ଠି ପ୍ରତରୋପଣ ଅସ୍ତ୍ରୋପଚାର ଶଲ୍ୟଚିକିତ୍ସାକୁ ଆଗକୁ ବଢ଼ାଇବା ପ୍ରତି ଓଏଏର ପ୍ରତିବଦ୍ଧତାକୁ ଉଲ୍ଲେଖ କରିଥିଲେ । ଆସୋସିଏସନ୍ର ଉପାଧ୍ୟକ୍ଷ ଏବଂ ଭାରତୀୟ ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନ୍ର (ଆଇଏଏ)ର ସମ୍ପାଦକ ଡ଼ା. ଦେବବ୍ରତ ପାଢୀ ଅର୍ଥୋପେଡିକ୍ ବୃତ୍ତିଧାରୀମାନଙ୍କୁ ବିଶ୍ୱସ୍ତରୀୟ ଜ୍ଞାନ ଏବଂ ପ୍ରଶିକ୍ଷଣ ଦେବାରେ ଏହି ପ୍ଲାଟଫର୍ମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
