– ଟାଟା ଷ୍ଟିଲ ଓ ପଠାଣୀ ସାମନ୍ତ ପ୍ଲାନେଟାରିୟମ ସହଯୋଗିତାରେ କାର୍ଯ୍ୟକ୍ରମ ଆୟୋଜିତ
– ଚଳିତ ସଂସ୍କରଣର ବିଷୟବସ୍ତୁ ରହିଛି “ଆଜିର ନକ୍ଷତ୍ରଦର୍ଶୀ, କାଲିର ମହାକାଶଯାତ୍ରୀ”
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଟାଟା ଷ୍ଟିଲ ପକ୍ଷରୁ ପଠାଣୀ ସାମନ୍ତ ପ୍ଲାନେଟାରିୟମ, ଭୁବନେଶ୍ୱର ସହଯୋଗିତାରେ ଆୟୋଜନ କରାଯାଉଥିବା ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ)ର ୧୯ତମ ସଂସ୍କରଣର ଶୁଭାରମ୍ଭ ହୋଇଯାଇଛି । ସ୍ଥାନୀୟ ଲୋକସେବା ଭବନଠାରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆନୁଷ୍ଠାନିକ ଭାବେ ଏହାର ଉଦଘାଟନ କରିଛନ୍ତି । ସାରା ଓଡ଼ିଶାର ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମହାକାଶ ବିଜ୍ଞାନ, ଆଷ୍ଟ୍ରୋଫିଜିକ୍ସ ଓ ଜ୍ୟୋତିର୍ବିଜ୍ଞାନ ପ୍ରତି ଥିବା ନିଜ ଆଗ୍ରହ ଓ ଅଭିରୂଚି ପ୍ରଦର୍ଶନ କରିବା ପାଇଁ ୟାଟ୍ସ କାର୍ଯକ୍ରମ ଏକ ସ୍ୱତନ୍ତ୍ର ମଂଚ ପ୍ରଦାନ କରି ଆସୁଛି । ଓଡ଼ିଶାର କିମ୍ବଦନ୍ତୀ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଅବଦାନକୁ ମଧ୍ୟ ଏହା ରୁଦ୍ଧିମନ୍ତ କରି ଆସୁଛି ।
