ଗାନ୍ଧିଜୀଙ୍କ କୃଷ୍ଠାଶ୍ରମ ଆଗମନର ଶତବାର୍ଷିକୀ ସମାରୋହ ଆୟୋଜନର ସ୍ଥିତି ପରଖିଲେ ଜିଲ୍ଲାପାଳ

କଟକ (ଓଡ଼ିଶା ତାଜା ନ୍ୟୁଜ୍) :-  କଟକ ନୁଆବଜାରସ୍ଥିତ କୃଷ୍ଠାଶ୍ରମଠାରେ ଗାନ୍ଧିଜୀଙ୍କ ଆଗମନର ଶତ ବାର୍ଷିକୀ ସମାରୋହ କଟକ ଜିଲ୍ଲା ପ୍ରଶାସନ,କଟକ ମହାନଗର ନିଗମ ଏବଂ କଟକ ଜିଲ୍ଲା କୃଷ୍ଠ କଲ୍ୟାଣ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ବୁଧବାର ଦିନ ମହାସମାରୋହରେ ପାଳନ କରାଯାଉଛି । ଏହି ଅବସରରେ ମାନ୍ୟବର ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଏବଂ ସଭାସ୍ଥଳରେ ଜନସମାଗମ ହେବା ପରୀପ୍ରେକ୍ଷୀରେ ପ୍ରସ୍ତୁତି ସ୍ୱରୂପ ସମସ୍ତ କାର୍ଯ୍ୟ ତଦାରଖ ନିମନ୍ତେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଆଜି ଅପରାହ୍ନରେ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ମାନଙ୍କ ସହ କୃଷ୍ଠାଶ୍ରମ ସଭାସ୍ଥଳ ଏବଂ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବା ସ୍ଥଳ ପରିଦର୍ଶନ କରି ସ୍ଥିତି ପରଖିଥିଲେ ।

ବିଶେଷକରି ସେଠାରେ ମଞ୍ଚ ନିର୍ମାଣ ଓ ଏହାର ସୁରକ୍ଷା ଉପରେ ଦୃଷ୍ଟି ଆକର୍ଷଣ କରି ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାବାକୁ ସଂପୃକ୍ତ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ବର୍ଷାକୁ ଦୃଷ୍ଟିରେ ରଖି ସଭା ସ୍ଥଳରେ ବର୍ଷା ଜଳ ପ୍ରବେଶର କୌଣସି ସମସ୍ୟା ନ ଉପୁଜେ ତଥା ନିଷ୍କାସନ ବ୍ୟବସ୍ଥା ନିମନ୍ତେ ସତର୍କତା ଅବଲମ୍ବନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ପ୍ରକାଶ ଥାଉକି ଜାତିର ଜନକ ମାହାତ୍ମା ଗାନ୍ଧୀ ୧୯୨୫ ମସିହା ଅଗଷ୍ଟ ମାସ ୨୦ ତାରିଖରେ ମଧୁବାବୁଙ୍କ ଡାକରାରେ କଟକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନୁଆବଜାରଠାରେ ଅବସ୍ଥିତ କୃଷ୍ଠାଶ୍ରମ ଯାହାକି ଏସିଆର ସର୍ବ ବୃହତ କୃଷ୍ଠାଶ୍ରମ ସେଠାକୁ ପ୍ରଥମ କରି ପରିଦର୍ଶନ କରିଥିଲେ ଏବଂ ସେଠାରେ ତାଙ୍କ ରହଣି ସମୟରେ ନିଜ ହାତରେ ଅନ୍ତେବାସୀଙ୍କ ସେବା କରିଥିଲେ ।

ସେ ସମୟରେ ସ୍ୱାଧୀନତା ଆନ୍ଦୋଲନରେ ବହୁ ଜନସାଧାରଣ ଯୋଗ ଦେଉଥିବା ପରିପ୍ରେକ୍ଷୀରେ ସେଠାରୁ ସେବା ଧର୍ମର ବାର୍ତ୍ତା ଦେଇ ସମସ୍ତଙ୍କୁ ଜାଗ୍ରତ କରିବା ସହ ଗାନ୍ଧିଜୀଙ୍କ ନେତୃତ୍ୱରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ କଟକ ମହାନଗର ନିଗମ ଆୟୁକ୍ତ, କିରଣ ଦୀପ କୌର ସାହୋତା ଉପସ୍ଥିତ ରହି ମହାନଗର ନିଗମ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଗାନ୍ଧିଜୀଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନ” ଗାନ ମଧ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି । ଅତିରିକ୍ତ ଜିଲ୍ଲାପାଳ(ଉନ୍ନୟନ) ଶ୍ରୀମତୀ ଇପ୍ସିତା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ତଥା ମହାନଗର ନିଗମର ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Exit mobile version