ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀର ପ୍ରଥମ ବିଧାୟକ, ସ୍ୱାଧୀନତା ସଂଗ୍ରାମୀ , ସମାଜବାଦୀ ଆନ୍ଦୋଳନର ପ୍ରବକ୍ତା ସ୍ୱର୍ଗତ ଗୋକୁଳାନନ୍ଦ ପ୍ରହରାଜଙ୍କ ୨୦ତମ ଶ୍ରାଦ୍ଧ ବାର୍ଷିକ ତାଙ୍କ ଜନ୍ମସ୍ଥାନ ଗୋଳାଗଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦାନ କରି ସ୍ୱର୍ଗତ ପ୍ରହରାଜ ଜଣେ ଗରିବ, ଖଟିଖିଆ ଓ ଚାଷୀ ମୂଲିଆର ନେତା ଭାବେ ପ୍ରକାଶ କରିଥିଲେ । ସେ ଜଣେ ସମାଜବାଦୀ ପ୍ରବକ୍ତା ଭାବେ ରାମମନୋହର ଲୋହିଆ, ସୁରେନ୍ଦ୍ର ନାଥ ଦ୍ୱିବେଦୀ ପ୍ରମୁଖଙ୍କ ପଟ୍ଟଶିଷ୍ୟ ଭାବେ ସାରା ଓଡ଼ିଶାରେ ପରିଚିତ ବୋଲି ବିଧାୟକ ତ୍ରିପାଠୀ ଉଲ୍ଲେଖ କରିଥିଲେ ।
ସମ୍ମାନିତଅତିଥି ଭାବେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବାସ ଚନ୍ଦ୍ର ପାଢୀ, ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ସେନାପତି, ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ବିଜେପି ନେତା ଅଜୟ କୁମାର ସ୍ୱାଇଁ, କବି ରବିନାରାୟଣ ମଙ୍ଗରାଜ, ସିଦ୍ଧେଶ୍ୱର ପାଇକରାୟ ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ପ୍ରହରାଜ ବାଙ୍କୀରୁ ବିଧାନ ସଭାକୁ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇ ବାଙ୍କୀର କୃଷକ, ଗରିବ, ଖଟିଖିଆ ଓ ଜଣେ ଦରିଦ୍ର ଜନତାର ବନ୍ଧୁ ଭାବେ ପରିଚିତ ବୋଲି ଉଲ୍ଲେଖ କରିଥିଲେ । ସ୍ମୃତି ସଂସଦର ସଂପାଦକ କମଳାକାନ୍ତ ପ୍ରହରାଜ ଅତିଥି ପରିଚୟ ଦେବା ସହ ବିବରଣୀ ପାଠ କରିଥିଲେ ।
