ମୁଡ଼ୁମୁଡ଼ିଆରେ ଜିଲ୍ଲାସ୍ତରୀୟ ନନ୍ଦ ଉତ୍ସବ-୨୦୨୫

ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ମୋହନା ବ୍ଲକ ଶିକୁଳିପଦର ପଞ୍ଚାୟତ ଅନ୍ତର୍ଗତ ମୁଡ଼ୁମୁଡ଼ିଆ ଗ୍ରାମଠାରେ ଷୋହଳଖଣ୍ଡ ଗୋପାଳ ସମାଜର ଜିଲ୍ଲା ସ୍ତରୀୟ ଶ୍ରୀକୃଷ୍ଣ ଜନ୍ମ ମହୋତ୍ସବ ଓ ନନ୍ଦ ଉତ୍ସବ-୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି । ଶହ ଶହ ଯାଦବ ମହିଳାମାନଙ୍କ ଦ୍ୱାରା କଳସ ଯାତ୍ରା, ନଗର ପରିକ୍ରମା କରାଯିବା ପରେ ଶ୍ରୀକୃଷ୍ଣଙ୍କୁ କ୍ଷୀର, ଦହି, ମହୁ ଓ ଜଳଦ ମିଶ୍ରଣ କରି ସ୍ନାନ କରାଯାଇଥିଲା । ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା, ହୋମ,ଯଜ୍ଞ, ପାରମ୍ପରିକ ସଂକୀର୍ତ୍ତନ କରାଯାଇଥିଲା । ଜୟ ଯାଦବ, ଜୟ ମାଧବ ନାରାରେ ସଭାସ୍ଥଳ ଫାଟି ପଡ଼ୁଥିଲା| ଶ୍ରୀକୃଷ୍ଣଙ୍କ ପାଇଁ ସ୍ୱତନ୍ତ୍ର ଦୋଳନ ପ୍ରସ୍ତୁତ କରି ଝୁଲଣ ଉତ୍ସବ ପାଳନ କରାଯାଇଥାଏ ।

ମାଧବଙ୍କ ଦହି ହାଣ୍ଡି ଭଙ୍ଗା ଯିବା ଦୃଶ୍ୟ ଦେଖିବା ଲାଗି ଶହ ଶହ ମହିଳା, ପୁରୁଷ ରୁଣ୍ଢ ହୋଇଥିଲେ । ଏହା ବେଶ ଚିତ୍ତାବର୍ଷକ ଥିଲା । ଷୋଳଶଖଣ୍ଡ ଗୋପାଳ ସମାଜର ଜିଲ୍ଲା ସଭାପତି ଖଦାଳ ଗୌଡ଼ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯାଦବ ମହାସଂଘର ଉପ ସଭାପତି ହୃଷିକେଶ ଗୌଡ଼, ଜଗବନ୍ଧୁ ଦାଶ,ତରଣୀସେନ ଦାଶ, କୃଷ୍ଣଚନ୍ଦ୍ର ଦୋରା , ରାଜେନ୍ଦ୍ର ଗୌଡ଼, କୈଳାସ ଗୌଡ଼, ନରସିଂହ ଗୌଡ଼, ବିଜୟ ଗୌଡ଼, ତାରିଣୀ ଗୌଡ଼ ପ୍ରମୂଖ ନିମନ୍ତ୍ରୀତ ଅତିଥି ଭାବେ ଯୋଗଦେଇଥିଲେ ।

ବିଭିନ୍ନ ମୁଠାରୁ ଆସିଥିବା ତାଲୁକା କର୍ମକର୍ତ୍ତାମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚାସୀନ ଅତିଥିମାନେ ଶ୍ରୀକୃଷ୍ଣଙ୍କ କଥାମୃତ, ଶିକ୍ଷା,ଦୀକ୍ଷା, ବାଲ୍ୟଲୀଳା, ରାସଲୀଳା ପରାକ୍ରମ , ଜୀବନଶୈଳୀ ଓ ବୃତ୍ତାନ୍ତ ଉପରେ ମତବ୍ୟକ୍ତ କରିଥିଲେ । କୁନି କୁନି ଶିଶୁମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଅତିଥିମାନଙ୍କ ଦ୍ୱାରା କୃତୀ ଶିଶୁମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଏହି ଉତ୍ସବକୁ ରାୟଗଡ଼,କନ୍ଧମାଳ, ଗଞ୍ଜାମ ଓ ଆନ୍ଧ୍ର ପ୍ରଦେଶ ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ଶହ ଶହ ଯାଦବ ଯୋଗ ଦେଇଥିଲେ ।

Exit mobile version