ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅଂଚଳରେ କଙ୍ଗାରୁ କୋର୍ଟ – ସ୍ୱାମୀଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ଦେଲେ ସ୍ତ୍ରୀ

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଲା ଅଡବା ଥାନା ଗରଡ଼ମା ଗ୍ରାମରେ ଦେଖୁବାକୁ ମିଳିଛି ଏକ ଅଭାବନୀୟ ଘଟଣା. ଏହି ଗ୍ରାମର ଜଣେ ମହିଳା ନିଜ ଭାଇ ଓ ସହଯୋଗୀଙ୍କ ଦ୍ୱାରା ଅଭିନବ ଢଙ୍ଗରେ କଙ୍ଗାରୁ କୋର୍ଟ ଆୟୋଜନ ଭଳି ନିଜ ସ୍ଵାମୀକୁ ଗାଁ ଦାଣ୍ଡରେ ଏକ ଖୁଣ୍ଟରେ ବାନ୍ଧି ରଖି ମାଡ଼ ଦେବା ଭଳି ଅମାନବିକ ଘଟଣା ଲୋକଲୋଚନକୁ ଆସିଛି l ଗଜପତି ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଡବା ଥାନା ଗରଡ଼ମା ପଞ୍ଚାୟତ ବୁଡୁଶିଳ ଗାଁର ଜଳନ୍ତ ବଳିୟାରସିଂ ଗତ ପ୍ରାୟ ୩ ବର୍ଷ ତଳେ ଗରଡ଼ମା ଗାଁର ସୁଭଦ୍ରା ମାଳବିଷୋୟୀଙ୍କୁ ପ୍ରେମ ବିବାହ କରିଥିଲେ ।

ତାଙ୍କର ଗୋଟିଏ ୨ ବର୍ଷର ସନ୍ତାନ ଅଛି । ତେବେ ଗତ କିଛି ମାସ ତଳେ ପାରିବାରିକ ଅଶାନ୍ତି ଯୋଗୁଁ ଉଭୟ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ଏଥିପାଇଁ ସ୍ତ୍ରୀ ସୁଭଦ୍ରା ସ୍ଵାମୀ ଜଳନ୍ତଙ୍କ ବିରୋଧରେ ଅଡବା ଥାନାରେ ଏତଲା ଦେଇଥିଲେ l ଅଡବା ଥାନାରେ କେଶ ନଂ ୧୪୭/୨୪ରେ ମାମଲା ରୁଜୁ ହୋଇଛି । ପୁଲିସ ଜଳନ୍ତକୁ ଗିରଫ କରି ୪୧ ବେଲବଣ୍ଡରେ ଛାଡିଥିଲେ l ସେବେ ଠାରୁ ସ୍ତ୍ରୀ ସୁଭଦ୍ରା ନିଜ ବାପ ଘରେ ଗରଡ଼ମା ଗ୍ରାମରେ ରହୁଥିଲେ l ଗତ ତିନି ଦିନ ତଳେ ବୁଧବାର ଦିନ ସ୍ଵାମୀ ଜଳନ୍ତ ଓ ତାଙ୍କ ସମ୍ପର୍କୀୟ ଭଉଣୀ ମହେଶ୍ୱେତା ଦଳାଇ ଖାଉଟି ଚାଉଳ ନେବାପାଇଁ ଗରଡ଼ମା ପଞ୍ଚାୟତକୁ ଆସିଥିଲେ l

ସେଠାରେ ଜଳନ୍ତଙ୍କୁ ଦେଖ୍ ସ୍ତ୍ରୀ ସୁଭଦ୍ରା, ତାଙ୍କ ଭାଇ ଓ ସହଯୋଗୀ ମିଶି ଜଳନ୍ତଙ୍କୁ ଉଠାଇ ନେଇ ଗାଁ ମଝିରେ ଥିବା ଖୁଣ୍ଟରେ ବାନ୍ଧି ରଖୁବା ସହ ନିସ୍ତକ ମାଡ଼ ମାରିଥିଲେ l ଅଡବା ପୋଲିସ ଖବର ପାଇ ରାତି ପ୍ରାୟ ୨ ଘଣ୍ଟା ପରେ ଗରଡ଼ମା ଗାଁରେ ପହଞ୍ଚିଥିଲେ । ଗୁରୁବାର ସକାଳେ ଜ୍ଵଳନ୍ତଙ୍କୁ ପୋଲିସ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଜଳନ୍ତଙ୍କୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ପୋଲିସ ରଖିଥିଲା । ପରେ ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା ଓ ସ୍ଥାନୀୟ ଜନପ୍ରତିନିଧାଙ୍କ ସମେତ ଉଭୟ ସ୍ଵାମୀ–ସ୍ତ୍ରୀଙ୍କ ପରିବାରକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ବୈଠକ କରିଥିଲେ । ବୈଠକ ପରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାବଣା ହୋଇଥିଲା l

Exit mobile version