
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ରାଜଧାନୀ :- ୭୯ ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟତମ ଅତିଥି ରୂପେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ପୁଲିସ ଡିଜି ଶ୍ରୀ ୱାଇ ବି ଖୁରାନିଆ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଓ ଅନ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଓ ବହୁ ସଂଖ୍ୟାରେ ଜନତା ଉପସ୍ଥିତ ଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶର ସ୍ୱାଧୀନତା ନିମନ୍ତେ ପ୍ରାଣବଳୀ ଦେଇଥିବା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ ଆଜିର ଦିନ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ କେବଳ ଏକ ପ୍ରତୀକାତ୍ମକ ଉତ୍ସବ ନୁହେଁ । ଆଜିର ଦିନ ଆମକୁ କଷ୍ଟଲବ୍ଧ ସ୍ୱାଧୀନତା ବିଷୟରେ ସଚେତନ କରିବା ସହିତ ଦେଶର ଏକତା ଓ ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ବଜାୟ ରଖିବା ପାଇଁ ପ୍ରତି ମୂହୁର୍ତ୍ତରେ ସ୍ମରଣ କରାଇ ଥାଏ । ଆତଙ୍କବାଦ ବିରୁଦ୍ଧରେ ଦେଶର ନୀତି ଆହୁରି ଦୃଢ ଓ କଠୋର ହୋଇଛି । ଗତ ଏପ୍ରିଲ ୨୨ ତାରିଖର ପହଲଗାମଠାରେ ଯେପରି ଭାବେ ନିରୀହ ଲୋକଙ୍କୁ ଧର୍ମ ପଚାରି ବର୍ବୋରୋଚିତ ଭାବେ ହତ୍ୟା କରାଗଲା, ତାହା କେବଳ ଏକ ସାଧାରଣ ଆତଙ୍କୀ ଆକ୍ରମଣ ନ ଥିଲା, ଏହା ଭାରତର ଜାତୀୟତା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ଉପରେ ଆକ୍ରମଣ ଥିଲା । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଭାରତୀୟ ସେନା ‘ଅପରେସନ ସିନ୍ଦୁର’ ଜରିଆରେ ତା’ର ଉପଯୁକ୍ତ ଜବାବ୍ ଦେଇଥିଲା । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱକୁ ସମ୍ମାନ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ଭାରତୀୟ ସେନା ବାହିନୀର ବୀରତ୍ୱକୁ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଗତ ଚଉଦ ମାସ ହେବ ଓଡିଶା ବିକାଶର ଏକ ନୂଆ ଯାତ୍ରାରେ ସାମିଲ ହୋଇଛି । ମହିଳା, ଅନ୍ନଦାତା, ଗରିବ ଏବଂ ଯୁବବର୍ଗଙ୍କ ସହଯୋଗରେ ଏହାର ସଫଳ ରୂପାୟନ ପାଇଁ ସରକାର ଜୀବନଜୀବିକା, ଭିତ୍ତିଭୂମି, ସାମାଜିକ ବିକାଶ ଓ ସଶକ୍ତି କରଣ ଏବଂ ଓଡିଆ ଅସ୍ମିତା ଉପରେ ପ୍ରାଧାନ୍ୟ ଦେଉଛନ୍ତି । କୃଷି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏକ କୋଟି ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆ ଯାଉଛି । ଜୀବନଜୀବିକାର ଆଉ ଏକ ଦିଗ ହେଉଛି ଶିଳ୍ପାୟନ । ଆମ ସରକାର ଆସିବା ପରେ ଶିଳ୍ପନୀତିରେ ଆମୂଳଚୁଳ ପରିବର୍ତ୍ତନ କରାଯାଇ ପୁଞ୍ଜିବିନିଯୋଗ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି । ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଏବଂ ୧୩ ଲକ୍ଷ ନିଯୁକ୍ତି ସହିତ ଏହି କାର୍ଯ୍ୟକ୍ରମ ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଛି ।

