କଥା କଥାରେ ପ୍ରାୟ ସମସ୍ତେ କହନ୍ତି, ମୁଁ ମୁହେଁ ମୁହେଁ କହିଦିଏ । ମୁଁ ସିଧା ସିଧା ସତ କହିଦିଏ । ମୋର ଲୁଚା ଛପା ନାହିଁ । ମୁଁ ପୂରା ସତ ସାଇତା ସତ !

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍)  :- ନିଜକୁ ନିଜେ ପ୍ରଶଂସାରେ ପୋତି ଚାଲେ । ପୁଣି କେତେବେଳେ ଏକଥା ଦେଇଥାଏ, ଯେତେବେଳେ ଯୁକ୍ତିତର୍କ ହୁଏ ବା ଗୋଟେ ଘଟନା ଉପରେ କଥା ରଖୁଲାବେଳେ ବା ଅନ୍ୟର ତ୍ରୁଟିକୁ ଧରିଥିବା ବେଳେ ବା ନିଜ ସପକ୍ଷରେ ସଫେଇ ଦେଉଥୁଲାବେଳେ ବା ନିଜ କଥାର ଗୁରୁତ୍ୱକୁ ସିଦ୍ଧ କରିବାକୁ ଉଦ୍ୟମ କଲାବେଳେ ଏଇଭଳି କଥା କୁହାଯାଏ । ମୁଁ ମିଛ କହେ ନାହିଁ । ମିଛ ମୋର ପସନ୍ଦ ନୁହେଁ l ମୋତେ ଜମାରୁ ମିଛ ଭଲ ଲାଗେ ନାହିଁ ।

ଏକଦା ମୁଁ ଗୋଟେ ସଭାରେ ବକ୍ତବ୍ୟ ରଖିଲାବେଳେ ହଠାତ ଗୋଟେ ତର୍କ ରଖୁବାକୁ ଯାଇ କହିଲି ‘ମିଛ’ ହିଁ ସତ । ସେଇକଥାକୁ କେହି ଗରୁତ୍ଵ ନ ଦେଲା ଭଳି ଲାଗିଲା, ହୁଏତ କଥାର ଚାତୁରୀ ବୋଲି ଧରିନେଇ ‘ମିଛ’ ହିଁ ସତ ବାକ୍ୟଟିକୁ ହାଲକା ଭାବରେ ନେଲେ । ତେଣୁ ଆଉଥରେ କହିଲି । ‘ମିଛ’ ହିଁ ସତ । ତା’କୁ ବାଖ୍ୟା କରିବାକୁ ଯାଇ କହିଲି – ‘ମିଛ’ ଶବ୍ଦ ହିଁ ସତ । କାରଣ ‘ମୁଁ ସତ କୁହେ’ ଯେତେଥର କୁହା ନ ଯାଏ ତା’ଠାରୁ ବହୁ ଗୁଣ କୁହାଯାଏ- ମୁଁ ମିଛ କହେ ନାହିଁ ।

ମୋତେ ମିଛ ଶୁଣିବାକୁ ଭଲ ଲାଗେ ନାହିଁ l ଅର୍ଥାତ୍ ମିଛ ଶବ୍ଦ ସାଥ୍‌ରେ ଆମର ଏତେ ନିବିଡ଼ ସମ୍ପର୍କ ଯେ ସତ ଶବ୍ଦ ଅପେକ୍ଷା ମିଛ ଶବ୍ଦଟି ଆମ ପାଟିକୁ ଆଗ ଆସେ । ଏଠି ଗୋଟେ ପ୍ରଶ୍ନ ମୋ’ ମନକୁ ଆସେ, ମଣିଷ ସତ କଥା ଲୁଚାଇବାକୁ ଚେଷ୍ଟା କରେ ନା ମିଛ କଥା ଲୁଚେଇବାକୁ ଚେଷ୍ଟା କରେ ? ଯଦି ସତ କଥା ଲୁଚେଇବାକୁ ଚେଷ୍ଟା କରେ ତେବେ ମିଛ ହିଁ କୁହେ । ଆଉ ଯଦି ମିଛ ଲୁଚେଇବାକୁ ଚେଷ୍ଟା କରେ ତେବେ କ’ଣ କୁହେ ? ମିଛ ହିଁ କୁହେ !

 

ତେବେ କେଉଁଟା ଠିକ୍ ? ଆଉ ଗୋଟେ କଥା ମନକୁ ଆସେ- ସତ କହୁଥିବା ଲୋକର ସାହସ ବେଶି ? ନା ସତ ଶୁଣୁଥିବା ଲୋକର ସାହସ ବେଶି ? ସ୍ଵତଃ ଉତ୍ତର ଆସିବ ସତ କହିବାକୁ ସାହସ ଥିବା ଦରକାର । ସତ କହିବା ଏକ ସାହସିକତା । ମୋ ବିଚାରରେ ସତ କହିବାପାଇଁ ଯେତିକି ସାହସ ଦରକାର ସତ ଶୁଣିବାବାଲାର ତା’ଠାରୁ ଅଧୁକା ସାହସ ଦରକାର। ତା’ର କଲିଜା ଶକ୍ତ ଥିବା ଦରକାର। କାରଣ ଏମିତି ବି ସାଧାରଣ ଭାବରେ କଥା ହେବା ସାଧାରଣତଃ ସତ।

ବେଳେବେଳେ ନିଜର ସାମର୍ଥ୍ୟ ଜାହିର କରିବାକୁ ଟାଣ ଭାବରେ ସତ କୁହାଯାଇପାରେ । ନିଜର ଦୋଷ ଦୁର୍ବଳତା ଏବଂ ନିଜକୁ ରକ୍ଷା କରିବାକୁ ମିଛର ସାହାରା ନିଆଯାଇପାରେ । ସତ ଶୁଣିବା ବେଳେବେଳେ ଅତିଶୟ ଆନନ୍ଦ ଦିଏ ଏବଂ ନିଜପାଇଁ ଯେବେ ସତ ଶୁଣିବାକୁ ପଡ଼େ ତାହା ଯଦି ହଜମଯୋଗ୍ୟ ନ ହୋଇଥାଏ ତେବେ କଥା ସତ ଶୁଣିବାବାଲା, କେଉଁମାନେ ? ଏଠି କେତୋଟି ଉଦାହରଣ ଦେବା ।

ରାଜନୀତିର ବିଭିନ୍ନ ପର୍ଯ୍ୟାୟର ଶୀର୍ଷରେ ଥିବା ବ୍ୟକ୍ତି ବା ବ୍ୟକ୍ତିମାନଙ୍କୁ – ସେମାନଙ୍କର ଦୋଷ ତୃଟିକୁ କେହି ଭରସି କରି କୁହନ୍ତି ନାହିଁ କାରଣ କହିବାକୁ ଚାହୁଁଥିବା ଲୋକଟି ଭାବେ ଶୀର୍ଷ ନେତୃତ୍ବ ଯଦି ରୁଷ୍ଟ ହେବ ବା ଅନ୍ୟଥା ଗ୍ରହଣ କରିବ ତେବେ ତା’ର କ୍ଷତି ହେବ । ଏକଥା ଅମଲାତନ୍ତ୍ରରେ ମଧ୍ୟ ବହୁଳ ଦେଖାଯାଏ । ବ୍ୟବସାୟରେ, ପ୍ରତିଷ୍ଠାନମାନଙ୍କରେ ଏପରିକି ସମ୍ପର୍କୀୟମାନଙ୍କ ସାଥ୍‌ରେ ଅବା ସର୍ବୋପରି ନିଜ ଘର ମଧ୍ୟରେ ମଧ୍ୟ I

ଏଥିରୁ ସାରାଂଶରେ ଉପନୀତ ହେବା ଉପର ପାହାଚର ମଣିଷମାନଙ୍କର ଶୁଣିବା ଏବଂ ଗ୍ରହଣ କରିବା ତରିକା ଯେହେତୁ କ‌ହିଲାବାଲାଙ୍କୁ ସୁହାଉନି ବା ସାହସ ଯୋଗଉନି ସେଇଥୁପାଇଁ ସିଏ ଚାପି ହେଇ ରହିଯାଏ ଅର୍ଥାତ ସତ ସାଇତି ହୋଇ ରହିଯାଏ । ଏଇ ବୃଥା ଅଂହକାର ଯୋଗୁଁ ନମନୀୟ ନ ହେବା ଫଳରେ ଜୀବନର କେଉଁ ଗତି ପଥରେ କଚାଡ଼ି ହେଇ ପଡ଼େ ।

ତେବେ ଆମେ ଉପନୀତ ହେବା ଆମ ଯୁକ୍ତିରେ – ସତ ଶୁଣିଲାବାଲା – ସୃଷ୍ଟି କରିବ ଗ୍ରହଣୀୟତାର ପରିବେଶ, ନମନୀୟତାର ଭାବ, ଭୟ ରହିତ ଭାବନାର କ୍ଷେତ୍ର, ତେବେ ଯାଇ କ‌ହିଲାବାଲା ପାଟିରୁ ଝରିପଡ଼ିବ ସତ, ସବୁ ସତ । ସତ ଶୁଣିବା- ତା’କୁ ଗ୍ରହଣ କରିବା, ଯେତେ କଷ୍ଟଦାୟକ ହେଲେ ମଧ୍ୟ ତାକୁ ଯଦି ହଜମ କରିପାରିବ ଏବଂ ନିଜ ଭିତରେ ପରିବର୍ତ୍ତନ ଆଣି ପାରିବ ତେବେ ତାହା ସାଧନା ।

Exit mobile version