Home ଓଡ଼ିଶା ନିର୍ବାଚନରେ ଭୋଟ ତାରତମ୍ୟ ଅଭିଯୋଗରେ ବିଜେଡିର ନିର୍ବାଚନ କମିସନଙ୍କ ଦ୍ୱାରସ୍ଥ ପ୍ରସଙ୍ଗ : ନିର୍ବାଚନରେ ସ୍ୱଚ୍ଛତା ପ୍ରତିପାଦନ କରିବାରେ ନିର୍ବାଚନ କମିସନ ବିଫଳ : ବିଜେଡି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବ ବିଜେଡି ନିର୍ବାଚନ କମିସନ ନିକଟରୁ ସନ୍ତୋଷଜନକ ଉତ୍ତର ମିଳିନାହିଁ ଫର୍ମ ୧୭ ସି ପ୍ରଦାନ ନ କରିବା, ନିର୍ବାଚନର ସ୍ୱଚ୍ଛତାକୁ ପ୍ରଶ୍ନ ଉଠାଉଛି କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବାର ବହୁ ପୂର୍ବରୁ ବିଜେଡି ଉଠାଇଥିଲା ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ୮ ମାସ ତଳେ ବିଜୁ ଜନତା ଦଳ ତରଫରୁ ଗତ ନିର୍ବାଚନରେ ପରିଲକ୍ଷିତ ଭୋଟ ଅସଙ୍ଗତିକୁ ନେଇ ନିର୍ବାଚନ କମିସନରଙ୍କ ନିକଟରେ ତଥ୍ୟ ପ୍ରଦାନ କରାଯାଇ ଉତ୍ତର ମଗାଯାଇଥିଲା, ଯାହାର ସନ୍ତୋଷଜନକ ଉତ୍ତର ଏପର୍ଯ୍ୟନ୍ତ ମିଳିନାହିଁ । ତେଣୁ, ବିଜୁ ଜନତା ଦଳ ଏହି ମାମଲାକୁ ନେଇ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି ଆଜି ସୂଚନା ଦେଇଛି । ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ପୂର୍ବତନ ରାଜ୍ୟସଭା ସାଂସଦ ତଥା ଦଳର ମୁଖପାତ୍ର ଶ୍ରୀ ଅମର ପଟ୍ଟନାୟକ, ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ଓ ବିଧାୟକ ଶ୍ରୀ ଧ୍ରୁବ ଚରଣ ସାହୁ ଏହି ସୂଚନା ଦେଇଛନ୍ତି । ଶ୍ରୀ ଅମର ପଟ୍ଟନାୟକ କହିଥିଲେ, ଗତ ନିର୍ବାଚନରେ ଭୋଟ ଶେଷ ହେବା ପରେ ନିର୍ବାଚନ କମିସନରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟକୁ ଅନୁଶୀଳନ କରିବା ପରେ ଅନେକ ତାରତମ୍ୟ ପରିଲକ୍ଷିତ ହୋଇଥିଲା । ଗୋଟିଏ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳ ହିସାବରେ, ବିଜେଡି ତରଫରୁ ନିର୍ବାଚନ କମିସନରଙ୍କୁ ଏହି ତାରତମ୍ୟ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ଏହି ତାରତମ୍ୟ ମୁଖ୍ୟତଃ ତିନୋଟି ବିନ୍ଦୁରେ କେନ୍ଦ୍ରିତ ଥିଲା । ପ୍ରଥମଟି ଥିଲା, ରାଜ୍ୟର ସମସ୍ତ ସଂସଦ କ୍ଷେତ୍ରରେ, ଇଭିଏମରେ ପଡ଼ିଥିବା ଭୋଟ ସଂଖ୍ୟା ଅପେକ୍ଷା ଗଣତି ହୋଇଥିବା ଭୋଟ ସଂଖ୍ୟା ଅଧିକ ଥିଲା । ଦ୍ୱିତୀୟଟି ହେଲା ସଂସଦ କ୍ଷେତ୍ରର ଭୋଟ ସଂଖ୍ୟା ଅପେକ୍ଷା ଏହା ମଧ୍ୟରେ ଆସୁଥିବା ବିଧାନସଭାର ସମୁଦାୟ ଭୋଟ ସଂଖ୍ୟା ମଧ୍ୟରେ ଉଲ୍ଲେଖନୀୟ ତାରତମ୍ୟ ରହିଥିଲା । ତୃତୀୟଟି ହେଲା, ନିର୍ବାଚନ ସମୟ ଶେଷ ହୋଇଯିବା ପରେ ଭୋଟ ପଡିବା ସଂଖ୍ୟା ପ୍ରାୟ ୭ ପ୍ରତିଶତରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ରହିଥିଲା । ପଚାଶ ପ୍ରତିଶତ ବିଧାନସଭା ଆସନରେ ଏହି ତାରତମ୍ୟ ୧୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ରହିଥିଲା । ଶ୍ରୀ ପଟ୍ଟନାୟକ କହିଥିଲେ, ୨୦୨୪ ମସିହା ଡିସେମ୍ୱର ୧୯ ତାରିଖରେ ବିଜେଡି ତରଫରୁ ଏହି ସମ୍ୱନ୍ଧରେ ଅଭିଯୋଗ ଦାଖଲ କରାଯାଇ, ଏହାର ଉତ୍ତର ରଖିବାକୁ ଅନୁରୋଧ କରାଯାଇଥିଲା । ଏହାଛଡା, ନିର୍ବାଚନ ପ୍ରକ୍ରିୟାକୁ ଅଧିକ ପାରଦର୍ଶିତା କରିବା ପାଇଁ, ଭୋଟର ଲିଷ୍ଟ ପ୍ରସ୍ତୁତିରୁ ଆରମ୍ଭ କରି ଭୋଟ ଗଣତି ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ଅଡିଟ୍ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା । ନିର୍ବାଚନ ପ୍ରକ୍ରିୟାର ଏପରି ଅଡିଟ୍ ବ୍ୟବସ୍ଥା ସମସ୍ତ ବିକଶିତ ରାଷ୍ଟ୍ର ମାନଙ୍କରେ ରହିଛି । ସେହିପରି ଭିଭିପ୍ୟାଡ଼ ବ୍ୟବସ୍ଥାରେ, କେବଳ ୫%ରେ ସୀମିତ ନରଖି, ସମସ୍ତ ଭୋଟ ପାଇଁ ଲାଗୁ କରାଯାଉ ବୋଲି ଅନୁରୋଧ କରାଯାଇଥିଲା । ନିୟମ ଅନୁଯାୟୀ ନିର୍ବାଚନ ପରେ, ଫର୍ମ ୧୭ ସି ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦାନ କରାଯିବା କଥା, କିନ୍ତୁ, ନିର୍ବାଚନ କମିସନ ତାହା ଦେଉନାହାନ୍ତି । ନିର୍ବାଚନ କମିସନ ଆମର ବିଭିନ୍ନ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି । ଭୋଟ ତାରତମ୍ୟ ସମ୍ପର୍କରେ ନିର୍ବାଚନ କମିସନଙ୍କ ତରଫରୁ କୁହାଯାଇଥିଲା, ଯେଉଁ ଇଭିଏମରେ ତ୍ରୁଟି ଥିଲା ସେହି ବାକ୍ସକୁ ଗଣତି ପାଇଁ ବିଚାର କରାଯାଇ ନଥିଲା । କିଛି ଇଭିଏମ୍ରେ ମକ୍ ପୋଲ ସମୟରେ ପଡ଼ିଥିବା ଭୋଟ ଗୁଡିକୁ ବାଦ୍ ଦିଆଯାଇ ନଥିବା କାରଣରୁ ଭୋଟ ଅଧିକ ହୋଇଥିଲା । କିନ୍ତୁ, ଏହାକୁ ବାଦ୍ ନଦେଇ ଭୋଟ ସଂଗ୍ରହ କରିବା ଏକ ଅପରାଧ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଯେହେତୁ, କିଛି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଫଳାଫଳକୁ ନେଇ ଉଚ୍ଚନ୍ୟାୟାଳୟରେ କେସ୍ ଦାଖଲ ହୋଇଛି, ସେଥିପାଇଁ ଫର୍ମ ୧୭ ସି ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ନିର୍ବାଚନ କମିସନଙ୍କ ଉତ୍ତର ସନ୍ତୋଷଜନକ ନୁହେଁ । କାରଣ, ଓଡିଶାରେ ମାତ୍ର ୨୮ଟି ନିର୍ବାଚନ ମଣ୍ଡଳୀରେ କେସ୍ ହୋଇଛି । ଏହାକୁ ଛାଡି ଅନ୍ୟ ନିର୍ବାଚନ ମଣ୍ଡଳୀ ଗୁଡିକର ଫର୍ମ ୧୭ ସି ପ୍ରଦାନ କରିବା କଥା, କିନ୍ତୁ ନିର୍ବାଚନ କମିସନ ସେଗୁଡିକ ମଧ୍ୟ ପ୍ରଦାନ କରୁନାହାନ୍ତି । ଶ୍ରୀ ପଟ୍ଟନାୟକ କହିଥିଲେ, ନିକଟରେ ରାହୁଲ ଗାନ୍ଧୀ ନିର୍ବାଚନରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇବା ପରେ ରାଜ୍ୟରେ କଂଗ୍ରେସ ମଧ୍ୟ ପ୍ରଶ୍ନ କରିଛି । କିନ୍ତୁ, ଏହାର ବହୁ ପୂର୍ବରୁ ବିଜୁ ଜନତା ଦଳ ଏହି ପ୍ରସଙ୍ଗ ଉଠାଇଥିଲା । ବିଜେଡି ଦ୍ୱାରା ପୂର୍ବରୁ ଦାବି କରାଯାଇଥିବା ଅଡିଟ୍ ବ୍ୟବସ୍ଥାକୁ ମଧ୍ୟ ରାହୁଲ ଗାନ୍ଧୀ ଦୋହରେଇଛନ୍ତି । ନିର୍ବାଚନ ଫଳାଫଳକୁ ନେଇ ରାଜ୍ୟବାସୀଙ୍କ ମନରେ ନିର୍ବାଚନର ସ୍ୱଚ୍ଛତାକୁ ସୃଷ୍ଟି ହୋଇଥିବା ସନେ୍ଦହକୁ ଦୂର କରିବାରେ ନିର୍ବାଚନ କମିସନ ସକ୍ଷମ ହୋଇପାରି ନାହାନ୍ତି, ଯେଉଁଥିପାଇଁ ବିଜୁ ଜନତା ଦଳ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଶ୍ରୀମତୀ ଶର୍ମିଷ୍ଠା ସେଠି କହିଥିଲେ, ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ପରଦିନ ମୁଁ ନିର୍ବାଚନ କମିସନଙ୍କୁ ଯାଜପୁର ସଂସଦ କ୍ଷେତ୍ରର ଫର୍ମ ୧୭ ସି ପାଇଁ ଆବେଦନ କରିଥିଲି । ଏହା ମୋତେ ପ୍ରଦାନ କରା ନ ଯିବାରୁ, ମୁଁ ଭାରତର ନିର୍ବାଚନ କମିସନଙ୍କୁ ଚିଠି ଲେଖିଥିଲି, କିନ୍ତୁ, ମୋତେ ସନ୍ତୋଷଜନକ ଉତ୍ତର ମିଳି ନଥିଲା । ଯାହା ଫଳରେ, ମୁଁ ବାଧ୍ୟହୋଇ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲି । ଏବେ ତାହା ବିଚାରାଧୀନ ରହିଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content Chandi Bhandar Unveils the “Aaranya” Edit for Durga Puja by Proprietor Abhimanyu Maharana October 5, 2026 ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ by Proprietor Abhimanyu Maharana October 4, 2026 ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 5, 2026