କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର : ରାତିରେ ଆକସ୍ମିକ ଭାବେ ଅଗ୍ନିକାଣ୍ଡ – ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ଯାଇଛି

କୁଜଙ୍ଗ (ଓଡ଼ିଶା ତାଜା ନ୍ୟୁଜ୍) :- କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୁଧବାର ରାତିରେ ଆକସ୍ମିକ ଭାବେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ଯାଇଛି । ବିଦ୍ୟୁତ ସର୍ଟ ସର୍କିଟ କିମ୍ବା ଅନ୍ୟ କୌଣସି କାରଣରୁ ଏହି ଦୁର୍ଘଟଣା ଘଟିଛି । ଘଟଣାରୁ ପ୍ରକାଶ ଯେ, କୁଜଙ୍ଗ ମେଡିକାଲ ପୁରାତନ ଅନ୍ତର୍ବିଭାଗକୁ କୋଭିଡ୍‌ ସମୟରେ ମରାମତି କରାଯାଇ ଷ୍ଟୋର ରୁମ୍ ଓ କୋଭିଡ୍‌ ଟିକାକରଣ ଆଦି ପରିଚାଳନା କରାଯାଉଥିଲା । ସେହିପରି ମେଡିକାଲ ପରିସରରେ ଥିବା ପରିତ୍ୟକ୍ତ ୫ ବଖରା ଗୃହ ଭଙ୍ଗାଯାଇ ମୂଲ୍ୟବାନ କାଠ, ଝରକା କବାଟ ଆଦି ସଂରକ୍ଷିତ କରାଯାଇ ରଖାଯାଇଥିଲା ।

ଗୃହରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ମଣ୍ଡଳ କାର୍ଯ୍ୟକ୍ରମ ପରିଚାଳକ ମନୋଜ କୁମାର ନାୟକ ଓ ଅନ୍ୟଜଣେ ସହଯୋଗୀ ସେହି ଘର ମଧ୍ୟରେ ରହିଥିବା ଦୁଇଟି ବାଇକ ଓ ଅନ୍ୟକିଛି ସାମଗ୍ରୀ ଉଦ୍ଧାର କରିଥିଲେ । ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏ ନେଇ ସିଡିଏମଓ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ପଚାରିବାରୁ ପୁରାତନ ପରିତ୍ୟକ୍ତ ଗୃହ ସର୍ଟସର୍କିଟ ଯୋଗୁଁ ଏହି ଘଟଣା ଘଟିଥିବା କହିଛନ୍ତି ।

Exit mobile version