ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓ ମାନସ ମଙ୍ଗରାଜଙ୍କ ପାଇଁ ଦଳ ଆଉ ୫ଟି ଜିଲ୍ଲାର ସଭାପତି ଚୂଡ଼ାନ୍ତ ହୋଇପାରୁନଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ଖୋର୍ଦ୍ଧା, ବାଲେଶ୍ୱର, ଢେଙ୍କାନାଳ ସମେତ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ସଭାପତି ଚୟନ ପ୍ରକ୍ରିୟା ୪ମାସ ପରେ ମଧ୍ୟ ସମ୍ଭବପର ହୋଇପାରିନାହିଁ । ଢେଙ୍କାନାଳ ଜିଲ୍ଲାରେ ଦଳର ଦୁଇ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ଓ ନୃସିଂହ ସାହୁଙ୍କୁ କିଭଳି ସନ୍ତୁଷ୍ଟ କରାଯିବ ସେହି ଅଡ଼ୁଆ ଏପର୍ଯ୍ୟନ୍ତ ତୁଟିପାରିନଥିବାରୁ ବବି ନିଜର ଖାସ୍ ଅନୁଗତଙ୍କୁ ଜିଲ୍ଲା ସଭାପତି ପଦବୀରେ ଥଇଥାନ କରିପାରୁନାହାନ୍ତି ।
ଯେଉଁଥିପାଇଁ ଦଳ ଏହି ଜିଲ୍ଲାର ସଭାପତି ଘୋଷଣା ନକରି ପକାଇ ରଖିଛି । ସେହିପରି ବାଲେଶ୍ୱର ଜିଲ୍ଲାରେ ଦଳର ନେତା ରବୀନ୍ଦ୍ର ଜେନା ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ଅନ୍ୟମାନଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଯୋଗୁ କାହାରିକୁ ଦଳ ଦାୟିତ୍ୱ ଦେଇପାରିନି । ସେହିପରି ଖୋର୍ଦ୍ଧା, କୋରାପୁଟ ଓ ରାୟଗଡ଼ାରେ ଥିବା ବ୍ୟବସାୟିକ କାରବାରକୁ ସୁରକ୍ଷା ଦେବା ନିମନ୍ତେ ନିଜର ଅନୁଗତଙ୍କୁ ଥଇଥାନ ନିମନ୍ତେ ପାଣ୍ଡିଆନଙ୍କ ଅନୁଗତ ଗ୍ରୁପ୍ ଉଦ୍ୟମ କରୁଥିବାରୁ ଏହି ଜିଲ୍ଲାଗୁଡ଼ିକର ସଭାପତି ନାଁ ମଧ୍ୟ ବିଜେଡି ଘୋଷଣା କରିପାରିନଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି । ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକଙ୍କୁ ନବମଥର ସଭାପତି ଚୟନ କରିବା ନିମନ୍ତେ ବିଜେଡି ଗତ ଏପ୍ରିଲ ମାସରେ ଦଳର ୧୮ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିବାକୁ ବାଧ୍ୟ ହୋଇଥିଲା । ମେ’ ମାସରେ ଆଉ ୬ଟି ଜିଲ୍ଲାର ଓ ମଙ୍ଗଳବାର ଆଉ ୪ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି । ଅବଶିଷ୍ଠ 5ଜିଲ୍ଲାର ସଭାପତି କେବେ ଚୟନ କରାଯାଉଛି ତାକୁ ସମସ୍ତଙ୍କ ଅପେକ୍ଷା l
