ରାଜସୁନାଖଳା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୯ତମ ଜ୍ଞାନ ବିଜ୍ଞାନ ମେଳା      

ରଣପୁର  (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଶିକ୍ଷା ଅନ୍ତର୍ଗତ ରାଜସୁନାଖଳା ସଙ୍କୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୯ତମ ଜ୍ଞାନ ବିଜ୍ଞାନ ମେଳା ମଙ୍ଗଳବାରଦିନ ପ୍ରଧାନ ଆଚାର୍ଯ୍ୟ ବିଚିତ୍ର କୁମାର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ,

ସମ୍ମାନିତ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଗୌର ଚରଣ ସାମନ୍ତସିଂହାର, ସହସମ୍ପାଦକ ଯଦୁନାଥ ସାମନ୍ତରାୟ ଓ କୋଷଧକ୍ଷ ମାନସ କୁମାର ସାହୁ ପ୍ରମୁଖ ଯୋଗଦେଇ ସଭାକାର୍ଯ୍ୟ ଉଦ୍ଘାଟନ କରିବା ସହ କୁନି କୁନି ବୈଜ୍ଞାନିକମାନଙ୍କୁ ଆଧୁନିକ ଯୁଗରେ ବିଜ୍ଞାନର ଉପକାରିତା ସମ୍ପର୍କରେ ଅବଗତ କରାଇ ଥିଲେ ।

ଏହି ଅବସରରେ ୩୧୫ଜଣ ପିଲାମାନେ ନିଜ ନିଜର ପ୍ରକଳ୍ପ ନେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ୩ ବର୍ଗରେ ଯଥା ପ୍ରାକ ଶିଶୁ ବର୍ଗ, ଶିଶୁ ବର୍ଗ,ବାଲ ବର୍ଗ,କିଶୋର ବର୍ଗରେ ବିଭକ୍ତ କରାଯାଇ ଥିଲା। ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ପ୍ରତି ବର୍ଗର ପ୍ରଥମ ସ୍ଥାନ ଅଧିକୃତ କରୁଥିବା ପ୍ରତିଯୋଗୀମାନଙ୍କୁ ସଙ୍କୁଳସ୍ତରକୁ ଉନ୍ନୀତ କରାଯିବ ଏବଂ ସେମାନେ ସଙ୍କୁଳସ୍ତରରେ ପ୍ରତିଯୋଗିତାରେ ଭାଗ ନେଇ ଜିଲ୍ଲାସ୍ତରକୁ ଯିବେ ବୋଲି ପ୍ରଧାନ ଆଚାର୍ଯ୍ୟ କହିଥିଲେ ।

ପ୍ରତ୍ୟେକ ବର୍ଗର ପିଲାମାନେ ନିଜ ନିଜ ପାଠ୍ୟକ୍ରମ ଆଧାରରେ ଗଣିତ,ବିଜ୍ଞାନ, କୃଷି, ଜଙ୍ଗଲ ସମ୍ପଦ ଆଦି ବିଷୟରେ ପ୍ରକଳ୍ପ ଆଣିଥିଲେ । ପିମ୍ପଲ ଲଡ଼ୁକେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଜୟ କୁମାର ଦଳବେହେରା  ଓ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ମିନତି ସାହୁ ଏହାକୁ ପର୍ଯ୍ୟବେକ୍ଷଣ କରିଥିଲେ ।

ଏଥିମଧ୍ୟରୁ ଜ୍ଞାନ ବିଜ୍ଞାନ ମେଳା ପ୍ରତିଯୋଗିତାରେ ୩୭ଜଣ କୁନି ବୈଜ୍ଞାନିକ ଆସନ୍ତା ୧୧ ତାରିଖରେ ବୋଲଗଡ଼ଠାରେ ଅନୁଷ୍ଠିତ ହେବାକୁ ଥିବା ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଯୋଗଦେଇ ବିଜ୍ଞାନ ପ୍ରକଳ୍ପ ପଦର୍ଶିତ କରିବେ ! ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ !

Exit mobile version