ଅଖଣ୍ଡ ବାରଙ୍ଗ ବିକାଶ ମଞ୍ଚ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ଯକ୍ରମ

କଟକ  (ଓଡ଼ିଶା ତାଜା ନ୍ୟୁଜ୍) :- ବାରଙ୍ଗ ବାଲିପଡ଼ା ନିକଟ ଲିଙ୍ଗିପୁର କେନାଲ ପାର୍ଶ୍ବରେ ଅଖଣ୍ଡ ବାରଙ୍ଗ ବିକାଶ ମଞ୍ଚର ଆବାହକ ଗଛମଣିଷ ଭାବେ ସୁପରିଚିତ ଶ୍ରୀଯୁକ୍ତ ବସନ୍ତ କୁମାର ମହାପାତ୍ରଙ୍କ ଉଦ୍ୟମରେ ବ୍ୟାପକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମକୁ ଜୟ ଭାରତ ଶିଶୁ ଶିକ୍ଷକ ତାଲିମ ଅନୁଷ୍ଠାନର ନିର୍ଦେଶକ ତଥା ପ୍ରବୀଣ ପ୍ରବକ୍ତା ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ପଣ୍ଡା ଉଦଘାଟନ କରି ଭବିଷ୍ଯତ ପିଢିର ଜୀବନ ଓ ପ୍ରକୃତିର ସୁରକ୍ଷା ପାଇଁ ଧନସମ୍ପଦ ସଞ୍ଚୟ ଅପେକ୍ଷା ବୃକ୍ଷରୋପଣ କରି ଅମ୍ଳଜାନର ଉତ୍ସ ବଢାଇବା ପାଇଁ ଉଦବୋଧନ ଦେଇଥିଲେ।

ମୁଖ୍ଯ ଅତିଥି ଭାବେ ଉତ୍କଳ ଗ୍ରାମ ସ୍ବରାଜ୍ୟର ସଭାପତି କଳିଙ୍ଗରତ୍ନ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣକୁ ବ୍ୟାପକ କରିବା ସହିତ ପ୍ରତ୍ୟେକଙ୍କ ଜନ୍ମଦିନରେ ଅନ୍ତତଃ ଗୋଟିଏ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ।ଅନ୍ୟତମ ଅତିଥି ଭାବେ ଯୋଗଦେଇ ସାମାଜିକ ସମୀକ୍ଷକ ତଥା ଆଧ୍ଯାତ୍ମିକ ଚେତନା ପରିଷଦ ଓ ବିଭୁବୈଭବର ସମ୍ପାଦକ ଲୋକଶିକ୍ଷକ ଲଷ୍ମୀପ୍ରସାଦ ଆଚାର୍ଯ୍ଯ ଆମ ସଂସ୍କୃତିରେ ବୃକ୍ଷ ସେବାର ଉଦାହରଣ ଦେଇ ପ୍ରାଣୀଜଗତ ପାଇଁ ପ୍ରକୃତିର ଶ୍ରେଷ୍ଠ ଅବଦାନ ବୃକ୍ଷର ଯତ୍ନ କରିବା ଓ ବୃକ୍ଷରୋପଣ ପାଇଁ ଯୁବପିଢିଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ।

ଏହି ଉତ୍ସବରେ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଓ ବାରଙ୍ଗ ଅଞ୍ଚଳର ବିଷିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଅଜୟ ମୁଦୁଲି ବୃକ୍ଷରୋପଣକୁ ଏକ ମହତ କାର୍ଯ୍ଯ ବୋଲି ଅବିହିତ କରି ସମସ୍ତଙ୍କୁ ବୃକ୍ଷରୋପଣ କରିବାକୁ ଆହ୍ବାନ ଦେଇଥିଲେ।ଅନୁଷ୍ଠାନର ଉପସଭାପତି ସମାଜସେବୀ କାଙ୍ଗାଳି ଚରଣ ପରିଡା ଆଗାମୀପିଢିକୁ ସୁସ୍ଥ ନିରାମୟ କରିବାକୁ ହେଲେ ବୃକ୍ଷରୋପଣ କାର୍ଯ୍ଯକ୍ରମକୁ ବୃଦ୍ଧି କରିବା ଏକ ଜୀବନରକ୍ଷକ କର୍ମ ବୋଲି ବୁଝାଇଥିଲେ। ବାରଙ୍ଗ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଶ୍ରୀଯୁକ୍ତ ମଦନ ମୋହନ ଷଡ଼ଙ୍ଗୀ ବିଗତ କୋଡିଏ ବର୍ଷ ଧରି ଏପରି ବୃକ୍ଷ ରୋପଣ କରିଆସୁଥିବା ସଭାପତି ଶ୍ରୀଯୁକ୍ତ ବସନ୍ତ ମହାପାତ୍ରଙ୍କୁ ସାଧୁବାଦ ଜଣାଇ ଏବଂ ଅନୁଷ୍ଠାନର କର୍ମକର୍ତ୍ତା ଓ ସ୍ଥାନୀୟ ଅଧିବାସୀଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀଙ୍କ ସମେତ ବିରଜା ପ୍ରସାଦ ଦାସ,ସୁକାନ୍ତ କୁମାର ଦାସ,ସନ୍ତୋଷ କୁମାର ସ୍ୱାଇଁ,ଜଳନ୍ଧର ବାଗ, ଭୁବନେଶ୍ୱର ମାରାଣ୍ଡି, ସ୍ଥାନୀୟ କେନ୍ଦୁପାଟଣା ଗ୍ରାମର ବବି,ଜମିୟା, କନିଷ୍କ ପ୍ରମୁଖ ବହୁ ପରିବେଶ ପ୍ରେମୀ ଯୁବକମାନେ ଉତ୍ସାହର ସହ ଯୋଗଦେଇ ଆମ୍ବ,ପିଜୁଳି,ପଣସ ଦେବଦାରୁ,ସାହାଡା ଇତ୍ୟାଦି ଶତାଧିକ ଚାରା ରୋପଣ କରିଥିଲେ l ଏଥିସହିତ ପଚାଶଟି ବଜ୍ରପାତର ସୁରକ୍ଷା କବଚ ତାଳଗଛ ଚାରା ଓ ଏକ ଶହରୁ ଅଧିକ ତାଳ ଗୋଟମା ବନ୍ଧ ପାର୍ଶ୍ବରେ ପୋତା ଯାଇଥିଲା l ଏହି ଅଞ୍ଚଳର ଯୁବକ ତଥା ସମାଜ ସେବୀମାନଙ୍କର ଏପରି ଗଚ୍ଛ ଲଗାଇବାର ମହତ୍ ଉଦ୍ଦେଶ୍ୟକୁ ସବୁଆଡେ ପ୍ରଶଂସା କରାଯାଇଛି ।

Exit mobile version