ବୃଦ୍ଧାଙ୍କୁ ଆକ୍ରମଣ କରି ନାମନେଲେ ଯୁବକ

◆ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

◆ ବୃଦ୍ଧା ଗୁରୁତର, ଯୁବକ ଥାନାରେ ଅଟକ

ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଶିମିଳିସାହି ପଞ୍ଚାୟତ ଅଭୟପୁର ଗ୍ରାମରେ ଆଜି ଜଣେ ଯୁବକଙ୍କ ଉନ୍ମତକାଣ୍ତ ଅସହ୍ୟ ହୋଇଛି । ଯୁବକ ଜଣଙ୍କ ଦୀର୍ଘଦିନ ଧରି ଗାଁରେ ଦାଦାଗିରି ଚଲାଇ ଆସିଥିବା ବେଳେ ଆଜି ଜଣେ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ ପରେ ଯୁବକକୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଛନ୍ତି ଗ୍ରାମବାସୀ । ପରେ ପୁଲିସ ପହଞ୍ଚି ଯୁବକକୁ ଉଦ୍ଧାର କରିଥିବା ବେଳେ ବୃଦ୍ଧା ଜଣଙ୍କ ଗୁରୁତର ଅବସ୍ଥାରେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ ଆଜି ଗ୍ରାମର ସତ୍ୟଭାମା ଜେନା ନାମକ ବୃଦ୍ଧା ନଦୀକୁ ଗାଧୋଇ ଯାଇଥିଲେ । ଏହି ସମୟରେ କୈାଣସି କଥାକୁ ନେଇ ଗ୍ରାମର ବିନାୟକ ନାଏକ ନାମକ ଯୁବକ ସହ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବୃଦ୍ଧା ଜଣଙ୍କ ଧରିଥିବା ବାଡ଼ିକୁ ଛଟାଇ ବିନାୟକ ମରଣାନ୍ତକ ଆକ୍ରମଣ କରିଥିଲା । ଏହାଦେଖି କିଛି ଲୋକ ଛଡ଼ାଇବାକୁ ଯାଇଥିବା ବେଳେ ଯିଏ ପାଖକୁ ଗଲା ତାକୁ ମଧ୍ୟ ବାଡ଼େଇଥିଲା ।

ଏହାପରେ ବିନାୟକ ଖସି ପଳାଇଥିବା ବେଳେ ଗ୍ରାମବାସୀ ଏକାଠି ହୋଇ କାବୁ କରିବା ସହ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ । ଖବରପାଇ ପୁଲିସ ଉଦ୍ଧାର କରି ନିଜ ହେପାଜତକୁ ନେଇଥିବା ବେଳେ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଯୁବକକୁ ଅଟକ ରଖିଛି । ଏପଟେ ବୃଦ୍ଧାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା‌ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Exit mobile version