ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟରେ ମାତ୍ରାଧିକ ନାରୀ ନିର୍ଯାତନା,ଅତ୍ୟାଚାର ଓ ଦୁଷ୍କର୍ମ ଆଜି ପ୍ରତ୍ୟହ ଖବରକାଗଜ ପୃଷ୍ଠା ମଣ୍ଡନ କରୁଛି । ବର୍ଷକ ମଧ୍ୟରେ ନାରୀ ନିର୍ଯାତନା ବିଗତ ବିଜେଡି ସରକାରର ରେକର୍ଡକୁ ଟପିଥିବା ବେଳେ ବର୍ତମାନର ବିଜେପି ସରକାରଙ୍କ ଅମାନବୀୟ ବ୍ୟବହାରକୁ ନେଇ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟ, କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପିସିସି ପ୍ରଚାର ମିଡ଼ିଆ, ପ୍ରସାର ଏବଂ ସୂଚନା ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସ ଗଣମାଧ୍ୟମକୁ କଂଗ୍ରେସ ଦଳର ଅଭିମତ ଉପସ୍ଥାପନା କରିବା ସହ ସରକାରଙ୍କ ଲଜ୍ୟାଜନକ ଉଦାସୀନତାକୁ କଟୁ ସମାଲୋଚନା କରିଥିଲେ ।
ଅଧ୍ୟକ୍ଷ ଶ୍ରୀ ଦାସଙ୍କ ସହିତ ମୁଖପାତ୍ର ଡକ୍ଟର ମନୀଷା ଦାସ ପଟ୍ଟନାୟକ ଓ ଜୟଶ୍ରୀ ପାତ୍ର ବାଲେଶ୍ୱର ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ ସରକାରଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିବା କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀଙ୍କ ପୂର୍ବର ଏକ ବର୍ବରତାପୂର୍ଣ୍ଣ କାରନାମାର ଭିଡିଓ ଗଣମାଧ୍ୟମକୁ ପ୍ରଦର୍ଶନ କରି ସରକାରଙ୍କ ଦୋମୁହାଁ ନୀତି ବିରୁଦ୍ଧରେ କଡା ସମାଲୋଚନା କରିଥିଲେ । ଅଧ୍ୟକ୍ଷ ଶ୍ରୀ ଦାସ ଅହେତୁକ ବୃଦ୍ଧି ପାଉଥିବା ନାରୀ ନିର୍ଯାତନାକୁ ନେଇ ପ୍ରଶ୍ନବାଣ କରିଛନ୍ତି ।

