ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ଦ୍ୱାରା ଅକ୍ଷୟ ମହାନ୍ତି ସନ୍ଧ୍ୟା ଆୟୋଜନ


ଓଡ଼ିଶା ତାଜା ନ୍ୟୁଜ (୭ ସେପ୍ଟେମ୍ବର ସୋମବାର) କାନବେରା/ଭୁବନେଶ୍ୱର :- ଅଷ୍ଟ୍ରେଲିଆର ଓଡ଼ିଆ ସମାଜ “ଓରିଓଜ” ଦ୍ୱାରା ନିକଟରେ ଅକ୍ଷୟ ମହାନ୍ତି ସନ୍ଧ୍ୟା ଆୟୋଜନ କରାଯାଇଛି । “ଯାଯାବର” ଶୀର୍ଷକ ଅନଲାଇନରେ ଆୟୋଜିତ ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପ୍ରାବାଦ ପୁରୁଷ ଅକ୍ଷୟ ମହାନ୍ତି ଙ୍କର ୩୫ ଟି ବହୁ ଲୋକପ୍ରିୟ ସଂଗୀତ ସ୍ଥାନ ପାଇଥିଲା । “ଓରିଓଜ”ର ସାଂସ୍କୃତିକ କମିଟି ଦ୍ୱାରା ପ୍ରସ୍ତୁତ  ଏହି ଅଭିନବ ଉପସ୍ଥାପନାରେ ଦ୍ବୀପ ମହାଦେଶ ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ବସବାସ  କରୁଥିବା ଓଡ଼ିଆ ମାନେ ସେମାନଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଗୀତ ଗୁଡିକ ଜରିଆରେ ଭାଗ ନେଇଥିଲେ

ଓଡ଼ିଶାର ଚାଲିଚଳନ, ଲୋକକଥା ଏବଂ ପର୍ବ ପର୍ବାଣୀ କୁ ଆଧାରକରି ଖୋକାଭାଇଙ୍କ ଦ୍ୱାରା ସଂରଚିତ ଓ ପରିବେଷିତ ଏହି “ମାଇଲଷ୍ଟୋନ” ସଂଗୀତ ଗୁଡିକୁ “ଓରିଓଜ”ର କଳାକାରମାନେ ଯେଭଳି  ଜୀବନ୍ତ , ଅବିକଳ ଓ ପ୍ରାଞ୍ଜଳ ଭାବରେ ଅବତାରଣା କରିଥିଲେ ତାହା ଅଷ୍ଟ୍ରେଲିଆ, ଆମେରିକା, ୟୁକେ, ଭାରତ ତଥା ବିଶ୍ୱଭରି ଓଡ଼ିଆ ଶ୍ରୋତା  ମାନଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା । ଦୀର୍ଘ ତିନି ଘଣ୍ଟାର ଏହି ମନୋରଞ୍ଜକ ତଥା ମନୋରମ ଇଣ୍ଟରନେଟ ସଂଗୀତ ସନ୍ଧ୍ୟାକୁ ସୁପରିଚାଳନା  କରିବାରେ “ଓରିଓଜ’ର ସାଂସ୍କୃତିକ ସମ୍ପାଦକ ସୁଲିପ୍ତା  ତ୍ରିପାଠୀ ମୁଖ୍ୟ ଭୂମିକା ଗ୍ରହଣ  କରିଥିଲେ ।

ଏବେ ଭୁବନେଶ୍ୱର ଗସ୍ତରେ ଥିବା “ଓରିଓଜ”ର  ସଭାପତି ଡ଼.ନଳିନୀ ପତି ଏହି ୱେବ ସମାବେଶକୁ ସମ୍ବୋଧନ କରି ଓଡ଼ିଶାରୁ ବହୁ ଦୂରରେ ସୁଦୂର ଅଷ୍ଟ୍ରେଲିଆରେ ବସବାସ କରୁଥିବା ଓଡ଼ିଆ ମାନେ ସେମାନଙ୍କର ମାତୃପ୍ରଦେଶ ସହିତ ସାଂସ୍କୃତିକ , ସାମାଜିକ ଓ ଭାବଗତ ସମ୍ପର୍କକୁ ବଜାୟ  ରଖିଛନ୍ତି ଓ ନିଜର ଭାଷା , ସଂସ୍କୃତି , ଐତିହ୍ୟ  ତଥା ପରମ୍ପରା ପ୍ରତି ସଦା ସର୍ବଦା ସଜାଗ ରହିଥିବା ବିଷୟ ଅକ୍ଷୟ ମହାନ୍ତି ସନ୍ଧ୍ୟାର ଅଭୂତପୂର୍ବ ଲୋକପ୍ରିୟତା ରୁ ପ୍ରମାଣିତ ହୋଇଥିବା  ଦର୍ଶାଇଥିଲେ ।

Exit mobile version