ବାଲିପାଟଣା ଉପନିବନ୍ଧକ କାର୍ଯ୍ୟାଳୟର ଲାଞ୍ଚୁଆ କିରାଣୀକୁ ଧରିଲା ଭିଜିଲାନ୍ସ

ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ୱରର ଉପକଣ୍ଠ ବାଲିପାଟଣା ଉପନିବନ୍ଧକ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସୁଶାନ୍ତ ସିଂହ ଓ ତାଙ୍କ ସହଯୋଗୀ ଲାଞ୍ଚ ନେବାବେଳେ ଆଜି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ବହୁଦିନ ଧରି ସେ ଏହି କଳା କାରବାରରେ ଜଡ଼ିତ ରହିଥିବା ନେଇ ଜନସାଧାରଣଙ୍କ ପକ୍ଷରୁ ବହୁବାର ଅଭିଯୋଗ ହୋଇ ଆସୁଥିଲା। ଆଜି ଗୋଟିଏ ଟ୍ରଷ୍ଟର ପଞ୍ଜିକରଣ ପାଇଁ ୪ହଜାର ଟଙ୍କା ଲାଞ୍ଚ ନେବାବେଳେ ଉପନିବନ୍ଧ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଓ ତାଙ୍କ ସହଯୋଗୀଙ୍କୁ ଭିଜିଲାନ୍ସ ବିଭାଗର କର୍ମଚାରିମାନେ ଧରିଛନ୍ତି ।

ଜୟଦେବ ନିର୍ବାଚନ ମଣ୍ଡଳୀର ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟମାନଙ୍କରେ ବ୍ୟାପକ ଲାଞ୍ଚ କାରବାର ଯୋଗୁଁ ଜନସାଧାରଣ ତଥା ଗରୀବ ଲୋକମାନେ ସରକାରଙ୍କର ଥିବା ବିଭିନ୍ନ ଉନ୍ନୟନ ଯୋଜନାର ସୁଫଳ ପାଉ ନାହାନ୍ତି ବୋଲି ବହୁ ଅଭିଯୋଗ ହୋଇ ଆସୁଅଛି । ଏଠାରେ ସରକାରଙ୍କର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଲାଣି। ନ୍ୟାୟ ପାଇବା ପାଇଁ ସାଧାରଣ ଲୋକେ ଜିଲ୍ଲା ପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଠାରେ ଅଭିଯୋଗମାନ କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କୁହାଯାଏ ।

ଏଠାରେ ଦଲାଲ ଏବଂ କର୍ମ ଚାରୀଙ୍କ ମଧ୍ୟରେ ରାଧେ ରାଧେ ଅର୍ଥରେ ମଧୁ ଚନ୍ଦ୍ରିକା ଚାଲିଥିବାର ବହୁ ଗରୀବ ଲୋକମାନେ ଅଭିଯୋଗ କରିଛନ୍ତି । ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବାରୁ ସେଥି ନେଇ ଏଠାରେ ସରକାରୀ ଯୋଜନା ବିଫଳ ହୋଇଛି । ଆଉ ମଧ୍ୟ ଏହି ସବୁ କାର୍ଯ୍ୟାଳୟ ମାନଙ୍କରେ ବିଭିନ୍ନ ଅଧିକାରୀମାନେ ନଥିବାରୁ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି ଏହି ବ୍ଲକରେ ମୁଖ୍ୟତଃ ବିଡ଼ିଓ ଦାୟିତ୍ୱରେ ତହସିଲଦାର ଅଛନ୍ତି। ବାଲିପାଟଣା ସହିତ ବାଲିଅନ୍ତା ଦାୟିତ୍ଵ ବି ନେଇଛନ୍ତି ।

ତୁରନ୍ତ ଏଠାରେ ପୁରୁଣା କର୍ମଚାରୀଙ୍କୁ ବଦଳି କରି ନୂତନ କର୍ମଚାରୀଙ୍କୁ ସରକାର ନିଯୁକ୍ତି ପ୍ରଦାନ କରିଲେ ଲୋକମାନେ ଠିକ୍ ଭାବରେ ସରକାରୀ ଯୋଜନା ପାଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏହି ସବୁ କାର୍ଯ୍ୟାଳୟରେ ହେଉଥିବା ବିଭିନ୍ନ ଦ୍ରୁନୀତିପ୍ରତି ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଦୃଷ୍ଟି ଦେଲେ ବିଭିନ୍ନ ଦୁର୍ନୀତି ହଟିବା ସହ,ଏଠାରେ ଲୋକେ ନ୍ୟାୟ ପାଇପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।

Exit mobile version