ଜିଲ୍ଲାସ୍ତରୀୟ ଏକ୍ ପେଡ୍ ମା କେ ନାମ୍

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :-  ପୁରୀ ଜିଲ୍ଲାସ୍କୁଲ୍ ପରିସର ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଏକ୍ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୀ ଜିଲ୍ଲାପାଳ ଚଞ୍ଚଲ ରାଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ, ସେମାନଙ୍କ ମା , ଅଭିଭାବକ ଅଭିଭାବିକା , ଶିକ୍ଷକ-ଶିକ୍ଷୟିତ୍ରୀ ଓ ଜିଲ୍ଲା ଶିକ୍ଷା ବିଭାଗୀୟ ଅଧିକାରୀ ମାନଙ୍କ ଗହଣରେ ବିଦ୍ୟାଳୟ ପରିସରରେ ଏକାଧିକ ଔଷଧୀୟ ଓ ଅନ୍ୟାନ୍ୟ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟସ୍ଥ ୧୦ ଟି ଶ୍ରେଣୀର ଦଶ ଜଣ ମନିଟର୍ ସେମାନଙ୍କ ନାମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ ।

ଜିଲ୍ଲାପାଳ ଶ୍ରୀଯୁକ୍ତ ରାଣା ପ୍ରତି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ବାରି/ବଗିଚା କିମ୍ବା ନିଜ ନିଜ ହତା ଭିତରେ ଥିବା ଯେ କୌଣସି ଖାଲି ସ୍ଥାନରେ ନିଜ ନିଜ ମା ମାନଙ୍କ ନାମରେ ଗୋଟିଏ ଗୋଟିଏ ବୃକ୍ଷ ଲଗାଇ ଯତ୍ନର ସହିତ ସେ ଗୁଡିକୁ ବଢ଼ାଇବା ପାଇଁ ପରାମର୍ଶ ଓ ଉତ୍ସାହ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଚଳିତ ମାସ ତା ୧୬ ରୁ ତା ୨୧ ରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜନ କରାଯିବ । ସମଗ୍ର ଜିଲ୍ଲାରେ ପ୍ରାୟ ୧ ଲକ୍ଷ ୬୮ ହଜାର ୩୧୫ଟି ବୃକ୍ଷ ରୋପଣ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବିଜ୍ଞ ବ୍ୟକ୍ତିତ୍ଵ, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ -ଅଭିଭାବିକା ଓ ଶିକ୍ଷା ବିଭାଗୀୟ ଅଧିକାରୀମାନଙ୍କ ଠାରୁ ଏକ ଫଳକରେ “ବୃକ୍ଷ ରୋପଣ” ସମ୍ପର୍କରେ ବିଭିନ୍ନ ସ୍ଲୋଗାନ ସଂଗ୍ରହ କରାଯାଇ ତାହା ପ୍ରଦର୍ଶନ କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ଭୁଷଣ ସମରଥ, ପୁରୀ ସଦର ବିଇଓ ପ୍ରମୋଦ କୁମାର କର, ଜିଲ୍ଲା ସ୍କୁଲ୍ ଆଲୁମିନି କମିଟିର ସଭାପତି ରାଜକିଶୋର ପାତ୍ର, ସମ୍ପାଦକ ରବୀନ୍ଦ୍ର କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଧାଂଶୁ ଶେଖର ରାୟ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ବଜିତ ବାନାର୍ଜୀ ଶିକ୍ଷକ ବିଦ୍ୟାଧର ମିଶ୍ର ଓ ଅରୁଣ କୁମାର ଭଟ୍ଟାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କ ସହଯୋଗରେ ବୃକ୍ଷରୋପଣ କରିଥିଲେ ।

ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ବୃକ୍ଷ ରୋପଣ କରିବା ସହ ତାଙ୍କର ପୃଷ୍ଟପୋଷକତା , ପ୍ରୋତ୍ସାହନ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ସାମଗ୍ରିକ ଭାବେ ପରିଚାଳିତ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ଅଂଶଗ୍ରହଣକାରୀ ପ୍ରତ୍ୟେକଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଡିସିସି ଓ ଡିଇଓ, ପୁରୀଙ୍କ କାର୍ଯ୍ୟାଳୟର ଏସି ଏସଟି ସଂଯୋଜୋକ ବରଦା ପ୍ରସନ୍ନ ରାଉତ ଓ କର୍ମଚାରୀ ନରେନ୍ଦ୍ର ବାବୁ ଓ ଶିକ୍ଷକ ଅନାମ ଜ୍ୟୋତି ମୁଦୁଲି, ସୁଦର୍ଶନ ସାମଲ,ସମ୍ବିତ୍ ବେହେରା ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Exit mobile version