– ୩୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୫୯ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ
– ୬୪୩ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ
– ୧୪ ଜୁଲାଇ(ସୋମବାର) ଦିନ ଅନୁଷ୍ଠିତ ହେବ ଏମ୍ସ ଭୁବନେଶ୍ବର ୫ମ ସମାବର୍ତ୍ତନ ସମାରୋହ
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତ୍ତନ ସମାରୋହ ଉତ୍ସବରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଚଳିତ ମାସ ୧୪ ତାରିଖ, ସୋମବାର ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ସ୍ମରଣୀୟ ଉତ୍ସବରେ ମହାମାନ୍ୟ ରାଷ୍ଟ୍ରପତି ମହୋଦୟାଙ୍କ ଉପସ୍ଥିତି ଛାତ୍ରଛାତ୍ରୀ, ଅଭିଭାବକ ତଥା ସମସ୍ତ ଏମ୍ସ ପରିବାରକୁ ଅନୁପ୍ରେରିତ କରିବା ନେଇ ମତରଖିଛନ୍ତି ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ।
ଶିକ୍ଷାଗତ ଉତ୍କର୍ଷତା, ସମର୍ପଣ ଏବଂ ଦେଶ ପ୍ରତି ସେବା ମନୋଭାବକୁ ପ୍ରତିପାଦିତ କରୁଥିବା ଏହି ସମାବର୍ତ୍ତନ ଉତ୍ସବକୁ, ଏମ୍ସ ଭୁବନେଶ୍ବର ପକ୍ଷରୁ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କୁ ସହୃଦୟତାର ସହିତ ସ୍ବାଗତ କରିଛନ୍ତି ଡ. ବିଶ୍ବାସ । ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହିତ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ହରି ବାବୁ କମ୍ଭମ୍ପାଟି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ମାନ୍ୟବର ସାଂସଦ (ଲୋକସଭା), ଭୁବନେଶ୍ୱର ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଯୋଗଦେବେ ବୋଲି ଡ. ବିଶ୍ୱାସ ସୂଚନା ଦେଇଛନ୍ତି।
