ଆଦିବାସୀ, ହରିଜନ ଛାତ୍ରୀ କଂ ସୁରକ୍ଷା ପ୍ରତି ଆଖି ବୁଜିଦେଇଛି ମଂଗଳ ବିଭାଗ

◆ ଅ – ସୁରକ୍ଷିତ ବୁଗୁଡା କନ୍ୟାଶ୍ରମ ଛାତ୍ରୀ ନିବାସ ।

◆ ବର୍ଷେ ହେଲା ଭାଙ୍ଗି ପଡ଼ିଛି ପାଚେରି,ହେଉନି ମରାମତି ।

ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍)  :-  ଆଦିବାସୀ ଓ ହରିଜନ ସଂପ୍ରଦାୟର ସାମଗ୍ରୀକ ଉନ୍ନତି ପାଇଁ ଡିଣ୍ଡିମ ପିଟୁଥିବା ମଂଗଳ ବିଭାଗ ଏବେ ଏହି ସଂପ୍ରଦାୟର ଅ – ମଂଗଳ ଚିନ୍ତା କରୁଥିବା ଦେଖିବାକୁ ମିଳୁଛି । ସାଧାରଣତଃ ଏହି ବିଭାଗ ଦ୍ବାରା ପରିଚିତ , ଆବାସିକ ବିଦ୍ୟାଳୟ ମାନଙ୍କରେ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ଵ ଦିଆଯାଉଥିବା ବେଳେ , ନୟାଗଡ଼ ଜିଲ୍ଲାର ସର୍ବ ବୃହତ୍ ତଥା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଟାକରା ପଞ୍ଚାୟତରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୁଗୁଡ଼ାରେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି ଅନ୍ତେବାସୀ ଛାତ୍ରୀ ।

ଖୋର୍ଦ୍ଧା – ଚଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଅବସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ, ଏହି ବିଦ୍ୟାଳୟର ପାଚେରି ଗତ ପ୍ରାୟ ୧ ବର୍ଷ ହେଲା ଭାଙ୍ଗିବା ସହ ମୁକୁଳା ହୋଇ ପଡ଼ିରହିଛି। ଏ ଦିଗରେ ବିଭାଗୀୟ ଅଧିକାରୀ ସାମାନ୍ୟତମ ଗୁରୁତ୍ବ ଦେଉନଥିବା ହେତୁ ଏବେ ହଷ୍ଟେଲ ମଧ୍ୟରେ ଅନ୍ତେବାସୀ ଛାତ୍ରୀଙ୍କ ସୁରକ୍ଷା ନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟତଃ ଦେଖିବାକୁ ଗଲେ ନୟାଗଡ଼ ଜିଲ୍ଲାର ବିଭିନ୍ନ ଆଶ୍ରମ ବିଦ୍ୟାଳୟ ତଥା ଆବାସିକ ବିଦ୍ୟାଳୟମାନଙ୍କ ମଧ୍ୟରେ ଏହି ବିଦ୍ୟାଳୟରେ ସର୍ବାଧିକ ଅନ୍ତେବାସୀ ଛାତ୍ରୀ ରହି ଆସୁଛନ୍ତି ।

ଷଷ୍ଠ ଠାରୁ ଦଶମ ପର୍ଯ୍ୟନ୍ତ ପ୍ରାୟ ୨୬୭ ଜଣ ଅନ୍ତେବାସୀ ଛାତ୍ରୀ ରହୁଥିବା ବେଳେ ବାହାରର ପ୍ରାୟ ୩୫ ଜଣ ଛାତ୍ରୀ ଅଧ୍ୟୟନ ପାଇଁ ଆସିଥାନ୍ତି ରାଜପଥ ପାର୍ଶ୍ଵରେ ବିଦ୍ୟାଳୟଟି ଅବସ୍ଥିତ ଥିବା ହେତୁ ଯାତାୟାତରେ ସୁବିଧା ନିମନ୍ତେ ଜିଲ୍ଲା ଓ ଜିଲ୍ଲା ବାହାରର ଛାତ୍ରୀ ଏହି ବିଦ୍ୟାଳୟରେ ରହି ଅଧ୍ୟୟନ କରିବା ପାଇଁ ପସନ୍ଦ କରନ୍ତି । ଫଳରେ ନୟାଗଡ଼ ଜିଲ୍ଲା ସମେତ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଆଦି ଜିଲ୍ଲାର ଆଦିବାସୀ ଓ ଦଳିତ ବର୍ଗର ଛାତ୍ରୀ ରହି ଆସୁଛନ୍ତି | ଗତବର୍ଷ କାଳବୈଶାଖୀ ପ୍ରଭାବରେ ହଷ୍ଟେଲ ମଧ୍ୟରେ ଥିବା ଏକ ବିରାଟ ଆମୃଗଛ ଉପୁଡ଼ି ପଡ଼ିଥିଲା । ଏହାଦ୍ବାରା ବିଦ୍ୟାଳୟ ପଛପାର୍ଶ୍ଵ ପାଚେରି ଭାଙ୍ଗି ପଡ଼ିଛି ।

ଫଳତଃ ବିଦ୍ୟାଳୟ ମଧ୍ୟକୁ ବିଭିନ୍ନ ସମୟରେ ସାଧାରଣ ଲୋକଙ୍କ ଅବାଧରେ ପ୍ରବେଶ ହେଉଥିବା ଅଭିଯୋଗ ହେଉଛି । ଏହି ବିଦ୍ୟାଳୟ ମଧ୍ୟରେ ଶହଶହ ସଂଖ୍ୟାରେ ଛାତ୍ରୀ ରହୁଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି ପ୍ରାଥମିକତା ଦେବାର ଆବଶ୍ୟକ‌ତା ରହିଛି । ମାତ୍ର ବର୍ଷେହେଲା ପାଚେରିଟି ମୁକୁଳା ପଡ଼ିଥିବା ବେଳେ ଏହି ପାଚେରି ନିର୍ମାଣ ପ୍ରତି ଗୁରୁତ୍ବ ଦିଆଯାଉନଥିବା ଦେଖିବାକୁ ମିଳିଛି! ଏହାକୁ ନେଇ ଅନ୍ତେବାସୀ ଛାତ୍ରୀଙ୍କ ସୁରକ୍ଷା ପ୍ରତି ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ବ୍ଲକ୍ ସମାଜ ମଙ୍ଗଳ ଅଧିକାରୀ ରଶ୍ମି ରଞ୍ଜନ ବାରିକଙ୍କ କହିବା ଅନୁଯାୟୀ ଏହା ଉପରେ ପ୍ରପୋଜାଲ୍ ଯାଇଥିଲା ଅନୁଦାନ ଆସିଲେ ଏହା ନିର୍ମାଣ କରାଯିବ ବୋଲି କହିଛନ୍ତି ଏଦିଗରେ ତୁରନ୍ତ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେବାକୁ ଦାବି ହେଉଛି ।

Exit mobile version