ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ସରକାରୀ ତହବିଲ୍ ରୁ ମୋଟା ଅଂକର ଦରମାନେଇ , ସଂଧ୍ୟାହେଲେ ସହର ମୁହାଁ ହୋଇ ନିଘୋଡ଼ ନିଦ୍ରାରେ ଶୋଉଛନ୍ତି ବନକର୍ମଚାରୀ । ଏପଟେ ଦଶପଲ୍ଲା ର ଅଧିକାଂଶ ବିଟ୍ ହାଉସ୍ ମୁକୁଳା । ଏହାର ସୁଯୋଗ ନେଇ ଜଂଗଲ ମାଫିଆ କରୁଛନ୍ତି ଜଂଗଲ୍ ରାଜ୍ । ହେଲେ ବିନା ପାରିଶ୍ରମିକ ରେ ଜଙ୍ଗଲ ନିକଟବର୍ତ୍ତି ଗ୍ରାମଗୁଡ଼ିକର ଅଧିବାସୀମାନେ ଜଙ୍ଗଲର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାୟିତ୍ବ ହାତକୁ ନେଇଥିବା ବେଳେ ଆଜି ଠେଙ୍ଗାପାଳି ପାଇଁ ଜଙ୍ଗଲ ଜଗିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି | ସେ ମଉଣମୁହଁରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି |
ଗୁରୁତର ବ୍ୟକ୍ତି ଜଣକ ହେଲେ ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଭୋଗବାଡ଼ି ପଞ୍ଚାୟତ ପୁଟୁବାରି ଗ୍ରାମର ରବୀନ୍ଦ୍ର ମାଝି (୪୫)। ସୂଚନା ଅନୁଯାୟୀ ପୁଟୁବାରୀ ଗ୍ରାମ ନିକଟରେ ଥିବା ଗୟଳମଡ଼ା ଜଙ୍ଗଲର ସୁରକ୍ଷା ପାଇଁ ଗ୍ରାମବାସୀ ଦାୟିତ୍ବ ହାତକୁ ନେଇଛନ୍ତି | ଗ୍ରାମରେ ୪୫ ପରିବାର ବସବାସ କରୁଥିବା ବେଳେ ଦୈନିକ ଦୁଇଜଣ ବ୍ୟକ୍ତି ଜଙ୍ଗଲ ଜଗିବା ଦାୟିତ୍ବରେ ଅଛନ୍ତି । ସକାଳୁ ହାତରେ ଠେଙ୍ଗାଧରି ଜଙ୍ଗଲ ଜଗିବା ନିମନ୍ତେ ଚାଲି ଯାଆନ୍ତି। ଆଜି ରବୀନ୍ଦ୍ର ଓ ବଂଶୀଧର ମାଝୀଙ୍କ ପାଳି ରହିଥିଲା । ଉଭୟ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ସହିତ ମୁହାଁମୁହିଁ ହୋଇ ଯାଇଥିଲେ। ଭାଲୁ ଦେଖି ବଂଶୀଧର ଚେତାଶୂନ୍ୟ ହୋଇ ପଡ଼ିଥିବା ବେଳେ ରବିନ୍ଦ୍ରଙ୍କୁ ଭାଲୁଟି ଆକ୍ରମଣ କରିଥିଲା ।
ତାଙ୍କ ହାତକୁ ଗଭୀର ଭାବେ ଆଘାତ କରିବା ସହ ଆଙ୍ଗୁଠି ଓ ଜଙ୍ଘକୁ ମଧ୍ୟ ଆଘାତ କରିଥିଲା | ଭାଲୁ ମୁହଁରୁ ବର୍ଷିବା ପାଇଁ ସେ ସଂଘର୍ଷ କରିବା ସହ ପାଟି କରିବାରୁ ଭାଲୁଟି କିଛି ସମୟ ପରେ ଚାଲି ଯାଇଥିଲା | ଏହାପରେ ଉଭୟ ଗାଁରେ ପହଞ୍ଚିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଯାହାକି ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ସେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି | ଅନ୍ୟପାର୍ଶ୍ବରେ ଏଭଳି ଭାଲୁ ଆକ୍ରମଣକୁ ନେଇ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବର ଲେଖାଯିବା ସୁଦ୍ଧା ବନବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାପଡିଛି । ରବିନ୍ଦ୍ରଙ୍କ ଚିକିତ୍ସା ନିମନ୍ତେ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।
