Home ଓଡ଼ିଶା ଚତୃଦ୍ଧାମୂର୍ତ୍ତି ଙ୍କ ନୀଳାଦ୍ରି ବିଜେ ଓ ରସଗୋଲା ଭୋଗ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ସନ୍ଧ୍ୟାଧୂପ ନୀତି ପରେ ଗୋଟି ପହଣ୍ଡିରେ ନୀଳାଦ୍ରି ବିଜେ କରିଛନ୍ତି। ନୀଳାଦ୍ରି ବିଜେ ସମୟରେ ମହାପ୍ରଭୁଙ୍କୁ ରସଗୋଲା ଭୋଗ ଲାଗି ହେବା ପରମ୍ପରା ଅଛି। ପ୍ରଥମେ କୃଷ୍ଣବଳରାମ, ମଦନ ମୋହନଙ୍କୁ ଦକ୍ଷିଣ ଘରକୁ ବିଜେ କରାଯାଇଥିଲା | ପରେ ପରେ ଶ୍ରୀସୁଦର୍ଶନ, ପରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ କାଳିଆ ଠାକୁରଙ୍କୁ ରତ୍ନ ସିଂହାସନକୁ ବିଜେ କରାଯାଇଥିଲା। ଚାରମାଳ ଆସିବା ପରେ ଭେଟ ମଣ୍ଡପରେ ମହାଲକ୍ଷ୍ମୀ ଓ ଜଗନ୍ନାଥଙ୍କ ଭେଟ ନୀତି କରାଯାଇଥିଲା | ପରମ୍ପରା ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହେବେ। ଶାସ୍ତ୍ରରେ ଉଲ୍ଲେଖ ରହିଛି ଦ୍ଵାଦଶୀ ଦିନ ମହାପ୍ରଭୁ ନୀଳାଦ୍ରି ବିଜେ କରନ୍ତି, କିନ୍ତୁ ପ୍ରକୃତ ପକ୍ଷେ ଏକାଦଶୀ ଦିନ ସୁନାବେଶ, ଦ୍ଵାଦଶୀରେ ଅଧରପଣା ଓ ତ୍ରୟୋଦଶୀ ତିଥିରେ ନୀଳାଦ୍ରି ବିଜେ ହୋଇଛି।ଏହି ପରମ୍ପରା ଅନେକ ବର୍ଷ ଧରି ପାଳିତ ହୋଇଆସୁଛି। ନୀଳାଦ୍ରି ବିଜେ ପହଣ୍ଡି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଦଇତାପତି ନିଯୋଗ ସହ ଏ ସମ୍ବନ୍ଧରେ ଆଲୋଚନା କରାଯାଇ ପହଣ୍ଡି ହୋଇଥିଲା। ନୀଳାଦ୍ରି ବିଜେ ଦିନ ରଥ ଉପରେ ଠାକୁରମାଙ୍କର ସନ୍ଧ୍ୟାଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ହୋଇଥିଲା। ଏହାପରେ ପ୍ରଥମେ ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହୋଇଥିଲା। ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣି ଘରକୁ ବିଜେ କରାଇଥିଲେ। ଏହାପରେ ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ ହୋଇଥିଲେ। ପହଣ୍ଡି ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଇଥିଲା ଓ ଅଖଣ୍ଡ ବଇଠା ବସିଥିଲା। ଠାକୁରମାନେ ପହଣ୍ଡିରେ ଆସିବାବେଳେ ମନ୍ଦିର ପରିସରସ୍ଥ ଶୁଆଶାରୀ ଦେଉଳଠାରେ ପ୍ରସାଦ ଲାଗି, ଘସା, ବିଡ଼ିଆ ମଣୋହି ଓ ବନ୍ଦାପନା ନୀତି ବଢ଼ିଥିଲା। ଜଗମୋହନଠାରେ ମଧ୍ୟ ଏହି ନୀତି ପାଳିତ ହୋଇଥିଲା। ଗୁଣ୍ଡିଚା ମନ୍ଦିରଠାରେ ରଥ ଉପରୁ ଠାକୁରମାନେ ଗୁଣ୍ଡିଚା ଘର ରତ୍ନସିଂହାସନକୁ ପହଣ୍ଡି ବିଜେ କରିବା ସମୟରେ ରଥ ଉପରେ ଯେଉଁ ପ୍ରକାର ନୀତି ଅନୁସୃତ ହୋଇଥାଏ, ଠିକ୍ ସେହିପରି ସିଂହଦ୍ଵାରଠାରେ ନିଳାଦ୍ରୀ ବିଜେ ପହଣ୍ଡିରେ ସମନୀତି ପାଳିତ ହୋଇଥିଲା।ଶ୍ରୀ ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରିବା ପରେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥିଲେ। ଉଭୟ ଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟ ହୋଇଥିଲେ। ଏହାପରେ ଲକ୍ଷ୍ମୀଙ୍କ ତରଫରୁ ଭିତରଚ୍ଛ ବନ୍ଦାପନା ନୀତି ବଢ଼ାଇଥିଲେ। ଏହି ସମୟରେ ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ଵାର ନିକଟରେ ପହଞ୍ଚିବା ବେଳେ ସାମୟିକ ଭାବେ ଦ୍ଵାର ବନ୍ଦ ରହିଥିଲା ଓ କିଛି କ୍ଷଣ ପରେ ଦ୍ଵାର ଖୋଲିଥିଲା। ପୁଣିଥରେ ଜଗନ୍ନାଥ ମହାପ୍ରଭୁ ଜୟ ବିଜୟ ଦ୍ଵାର ନିକଟରେ ବିଜେ କରିବା ସମୟରେ ଉକ୍ତ ଦ୍ଵାର ଭିତର ପଟୁ ବନ୍ଦ କରାଯାଇଥିଲା। ଲକ୍ଷ୍ମୀ ଠାକୁରାଣୀଙ୍କ ତରଫରୁ ଜୟ ବିଜୟ ଦ୍ଵାରର ଭିତର ପଟେ ଜନୈକ ଦେବଦାସୀ ଏବଂ ମହାପ୍ରଭୁଙ୍କ ତରଫରୁ ଜଣେ ଦଇତାପତି ଦ୍ଵାରର ଅପରପାର୍ଶ୍ଵରେ ରହିବା ସଙ୍ଗେ ସଙ୍ଗେ ଉଭୟଙ୍କ ମଧ୍ୟରେ ଲୋକ ପରମ୍ପରାଗତ ବଚନିକା ପରେ ଜୟ ବିଜୟ ଦ୍ଵାର ଫିଟିଥିଲା। ଏହାପରେ ଗଇଁଠାଳ (ଋକ୍ମିଣୀ ବିବାହ କାଳର) ଫିଟାଯାଇଥିଲା ଓ ବନ୍ଦାପନା କରାଯାଇଥିଲା। ମହାପାତ୍ରଙ୍କ ଦ୍ଵାରା ରସଗୋଲା ଭୋଗ ଭିତରକୁ ସମାହିତ ହୋଇଥିଲା। ଏହାପରେ ଘସା, ବିଡ଼ିଆ ମଣୋହି ସରିଲେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥିଲେ।ବର୍ଷକୁ ଗୋଟିଏ ଦିନ ଶ୍ରୀମନ୍ଦିର ଭିତରେ ନୀଳାଦ୍ରିବିଜେ ସମୟରେ ଜଗନ୍ନାଥ ମହାପ୍ରଭୁଙ୍କୁ ରସଗୋଲା ଭୋଗ ଲାଗି କରାଯାଇଥିଲା। ଭିତରଚ୍ଛ ମହାପାତ୍ରଙ୍କ ନିଜସ୍ଵ ଗୃହରେ ଅତ୍ୟନ୍ତ ଶୁଦ୍ଧ ପୂତ ଭାବରେ ଏହି ରସଗୋଲା ତିଆରି କରିଥିଲେ। ପରମ୍ପରା ଅନୁସାରେ ବିଭିନ୍ନ ମଠ ଏବଂ ସେବକ ନିଯୋଗ ପକ୍ଷରୁ ପ୍ରଭୁଙ୍କୁ ପଂକ୍ତିଭୋଗ ଭାବେ ରସଗୋଲା ଭୋଗ କରାଯାଇଥିଲା। Categories: ଓଡ଼ିଶା, ପୁରୀ, ମନୋରଞ୍ଜନ, ହୋମ୍ Related Content ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026 ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ by Proprietor Abhimanyu Maharana August 4, 2026