ପଣା ହାଣ୍ଡି ଭଙ୍ଗା ଯିବା ଆଶରୀର ମାନେ ପଣା ପାଇ ପ୍ରୀତ ହେଲେ
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ରଥଉପରେ ଆଜି ସୋମବାର ସନ୍ଧ୍ୟା ରେ ଅଧର ପଣା ନିତୀ ଅନୁଷ୍ଠିତ ହେବ | ଶ୍ରୀମନ୍ଦିର ପ୍ରଶାସନ ପକ୍ଷ ରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି | ଛୋଟ ଓ ବଡ ହାଣ୍ଡି ୯ ଟି ରେ ପଣା ଭୋଗ ଲାଗି ହେବ | ପଣା ହାଣ୍ଡି ଭଙ୍ଗା ଯିବା ପରେ ପାର୍ଶ୍ୱ ଦେବଦେବୀ, ଅଶରୀର ମାନେ ପଣା ପାଇ ପ୍ରୀତ ହେବେ |ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ‘ଅଧରପଣା’। ଏଥିରେ ରଥରେ ବିଜେ କରିଥିବା ତିନି ମୁଖ୍ୟ ବିଗ୍ରହଙ୍କୁ, ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗିବ।
ପୂର୍ବେ ଶ୍ରୀଜଗନ୍ନାଥଙ୍କ ରଥର ବିଜେ ପ୍ରତିମା ଶ୍ରୀମଦନମୋହନ ଓ ଶ୍ରୀବଳଭଦ୍ରଙ୍କ ରଥର ବିଜେ ପ୍ରତିମା ରାମ ଓ କୃଷ୍ଣଙ୍କୁ ମଧ୍ୟ ଆଉ ତିନିଟି ଛୋଟ ପଣାହାଣ୍ଡି ଭୋଗ ଲାଗୁଥିଲା । ଏବେ ତିନିଟି ଲେଖାଏଁ ମୋଟ ନଅଟି ପଣାହାଣ୍ଡି ଭୋଗ ଲାଗୁଛି । ଏହି ପଣାଭୋଗର ବିଶେଷତ୍ୱ ହେଉଛି, ଭୋଗ ପରେ ଏହି ପଣାହାଣ୍ଡି ଗୁଡ଼ିକୁ ପଣା ଥିବା ଅବସ୍ଥାରେ ଭାଙ୍ଗି ଦିଆଯିବ ।

ଦ୍ୱାଦଶୀ ତିଥିରେ ଅଧର ପଣା ରଥ ଉପରେ ଭୋଗ ହେଉଛି । ଅଧରପଣା’ର ଇତିହାସ ଅନୁଧ୍ୟାନ ରୁ ଜଣାଯାଏ ଯେ ଏହି ନୀତି ପ୍ରଥମେ ବାହୁଡ଼ା ଦଶମୀ ଦିନ ହେଉଥିଲା ।
ପରେ ଏହା ଏକାଦଶୀରେ ଓ ଆହୁରି ପରେ ଦ୍ୱାଦଶୀ ଦିନ କରାଗଲା। କାରଣ, ଅନେକ ସମୟରେ ବାହୁଡ଼ା ଯାତ୍ରାର ତିନି ରଥ, ସେହି ଦିନ ଆସି ସିଂହଦ୍ୱାର ଆଗରେ ପହଞ୍ଚି ପାରୁ ନଥିଲା। ତେଣୁ ଦଶମୀ ପରିବର୍ତ୍ତେ ଏକାଦଶୀ ଦିନ ଦୁଇଟି କରି ତିନି ରଥରେ ଛଅ ହାଣ୍ଡି ଅଧରପଣା ଭୋଗ ହେଲା । ଦ୍ୱାଦଶୀ ଦିନ ଆଉ ଗୋଟିଏ ଲେଖାଏଁ ହାଣ୍ଡି ଅର୍ଥାତ୍ ଶେଷ ତିନି ହାଣ୍ଡି ପଣା ଭୋଗ ହେଉଥିଲା। କିନ୍ତୁ ସେଥିରେ ମଧ୍ୟ ଅସୁବିଧା ଦେଖାଦେଲା । କାରଣ, ଏକାଦଶୀ ଦିନ ସୁନାବେଶ ହେଉଥିବାରୁ, ତାହା ଦେଖିବାକୁ ବହୁ ସଂଖ୍ୟାରେ ଭକ୍ତ ଆସିଲେ।
ତା’ ସାଙ୍ଗକୁ ସେଦିନ ମଧ୍ୟ ହରିଶୟନ ନୀତି ଥିବାରୁ, ଅଧରପଣା ନୀତି ପାଇଁ ସମୟାଭାବ ହେଲା। ଫଳରେ ନଅହାଣ୍ଡି ଯାକ ଅଧରପଣା ଭୋଗ ଦ୍ୱାଦଶୀ ଦିନ କରାଗଲା । ରାମ ଓ କୃଷ୍ଣ ଏବଂ ମଦନ ମୋହନଙ୍କ ତିନି ହାଣ୍ଡି ଅଧରପଣା ଭୋଗ ମଧ୍ୟ ସେହିଦିନ ହେଉଥିଲା। ପାକକାର (ମହାସୁଆର) ଦୁଇଭାଗ ଜଳ, ଏକଭାଗ ବିମଳ (ଛାଚି ବା ଖଣ୍ଡ ବା ନବାତ)ଏବଂ ଏକଭାଗ ଲେଖାଏଁ ସିତା (ଦୁଗ୍ଧ), ଆମିକ୍ଷା (ଛେନା), ଦୁଗ୍ଧ ସାର (ସର) ଓ ପାଚିଲା କଦଳୀ ମିଶାଇ ଏହି ପଣା ପ୍ରସ୍ତୁତ କରିବେ। ସେଥିରେ କର୍ପୂର, ଗୋଲମରିଚ ଗୁଣ୍ଡ ଆଦି ମିଶାଇ ଏହି ‘ଅମୃତକୁଣ୍ଡ’ ମହାପ୍ରଭୁଙ୍କୁ ଅର୍ପଣ କରିବେ। ଶ୍ରୀମନ୍ଦିରର ପରିଚାଳନା ଭାର ସରକାରଙ୍କ ହାତକୁ ଯିବା ପରେ, ଗଜପତି ମହାରାଜାଙ୍କ ପରିବର୍ତ୍ତେ ଶ୍ରୀମନ୍ଦିର ପ୍ରଶାସନ ଭୋଗ ସାମଗ୍ରୀ ଯୋଗାଉଛି । ଅନ୍ୟ ଦୁଇ ମଠର ଅଧରପଣା ସେବା ଅବ୍ୟାହତ ଅଛି।ଏହି ପଣାଭୋଗ ପାଇଁ ନଅଟି ସାମଗ୍ରୀ ଲାଗିଥାଏ। ସେହି ନଅ ସାମଗ୍ରୀ ହେଉଛି- କ୍ଷୀର, ସର, ଛେନା, ଛାଚି (ବା ନବାତ) ପାଚିଲା କଦଳୀ, ଗୋଲମରିଚ ଗୁଣ୍ଡ, ଜାଇଫଳ, କର୍ପୂର ଓ ଜଳ। ପୂର୍ବେ ଏଥିପାଇଁ ଶ୍ରୀମନ୍ଦିର ସାମ୍ନା ଦୋଳମଣ୍ଡପ ସାହିର ରାଧାବଲ୍ଲଭ ମଠରୁ ଜଳ ଅଣା ଯାଉଥିଲା । ଏବେ ସିଂହଦ୍ୱାର ନିକଟ ଛାଉଣୀ ମଠରୁ ଜଳ ଅଣା ଯାଉଛି । ପାଣିଆପଟ ସେବକ ଶୁଦ୍ଧପୂତ ଭାବରେ ଏହି ଜଳ ଆଣୁଛନ୍ତି ।
ପାଳିଆ ମହାସୁଆର ବିଧି ମୁତାବକ ଏହି ପଣାଭୋଗ ପ୍ରସ୍ତୁତ କରୁଛନ୍ତି।ଠାକୁରମାନଙ୍କ ଅଧରକୁ ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ବଡ଼, ତୁମ୍ବ ଆକୃତିର ଡେଙ୍ଗା ମାଟି ପାତ୍ରରେ ଏହି ପଣାଭୋଗ କରା ଯାଇଥାଏ। ପ୍ରଥମେ ବଡ଼ ପିତ୍ତଳ ହଣ୍ଡାରେ ପଣା ପ୍ରସ୍ତୁତ କରାଯାଇ ପରେ ତାହାକୁ ଅଧର ହାଣ୍ଡିରେ ଢଳାଯାଏ ।ପଣା ପ୍ରସ୍ତୁତିି ସମୟରେ ଶ୍ରୀଜଗନ୍ନାଥଙ୍କ ରଥରେ ଭିତରଛ ମହାପାତ୍ର, ଶ୍ରୀ ବଳଭଦ୍ରଙ୍କ ରଥରେ ତଳୁଛ ମହାପାତ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ କନାର ଘେର ଦେଇ ଥାଆନ୍ତି। ତାହା ପରେ ରଥ ଶୋଧ ହୋଇ ‘ଟେରା’ ବନ୍ଧାଯାଏ ଏବଂ ଭୋଗ ଅର୍ପଣ କରାଯାଏ। ପୂଜାପଣ୍ଡା ସେବକ ଏହି ଭୋଗ କରି ଥାଆନ୍ତି। ଏହାର ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି- ଭୋଗ ହେବା ପରେ, ରଥ ଉପରେ ଏହି ହାଣ୍ଡିଗୁ ଡ଼ିକ ଭାଙ୍ଗି ଦିଆଯାଏ। କାହିଁକି ପ୍ରଭୁଙ୍କୁ ଅନ୍ୟ ପ୍ରସାଦ ପରି ଭକ୍ତମାନଙ୍କୁ ବିତରଣ ନ କରି ଏହି ପଣାହାଣ୍ଡିକୁ ଭାଙ୍ଗି ଦିଆଯାଏ, ସେ ସଂପର୍କରେ ଭିନ୍ନ ଭିନ୍ନ ମତ ମିଳେ। ଗୋଟିଏ ମତ ଅନୁସାରେ, ଏହା ପଛରେ ବୈଷ୍ଣବ ଧର୍ମର ପ୍ରଚ୍ଛନ୍ନ ପ୍ରଭାବ ରହିଛି। ଶ୍ରୀକୃଷ୍ଣଙ୍କ ‘ଦହିହାଣ୍ଡି ଭଙ୍ଗା’ ସହିତ ଏହାର ସଂପର୍କ ରହିଛି ।ଏହି ପଣା ପ୍ରସ୍ତୁତିରେ ୪୨ ଟି କଦଳୀ ଲାଗୁ ଥିବାରୁ, ଏହାକୁ ତିନି ରଥର ୪୨ ଚକ ସହିତ ମଧ୍ୟ କେତେକ ଯୋଡ଼ି ଥାଆନ୍ତି।
ଭୋଗ ପରେ, ଏହି ଅଧରହାଣ୍ଡି ଭଙ୍ଗାର ଅନ୍ୟ ବିଶେଷତ୍ୱ ରହିଥିବା ଜଣାଯାଏ । ଏ ସଂପର୍କରେ କୁହାଯାଏ ଯେ ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଓ ତିନି ବିଜେ ପ୍ରତିମାଙ୍କ ସହିତ, ତିନି ରଥଧ୍ୱଜଙ୍କୁ ପ୍ରତିଦିନ ଭୋଗ ନୈବେଦ୍ୟ ଅର୍ପଣ କରା ଯାଇଥାଏ. | ରଥର ପାର୍ଶ୍ଵ ଦେବଦେବୀଙ୍କୁ କୌଣସି ଭୋଗ ଅର୍ପଣ କରାଯାଇ ନଥାଏ। ରଥ ସହିତ ଗୁଣ୍ଡିଚାଯାତ୍ରା ଓ ବାହୁଡ଼ା ଯାତ୍ରାରେ ବହୁ ଅଶରୀରୀ ଗମନାଗମନ କରି ଥାଆନ୍ତି। ଠାକୁର ମାନଙ୍କ ଲାଗି ପ୍ରସାଦ ପାଇ ମୋକ୍ଷ ଲାଭ କରିବା ନିମନ୍ତେ ସେମାନଙ୍କର ଲାଳସା ରହିଥାଏ। ତେଣୁ ସେମାନଙ୍କର ସନ୍ତୋଷ ବିଧାନ ପାଇଁ ଏହି ପଣାହାଣ୍ଡି ଗୁଡ଼ିକୁ ଭୋଗ ପରେ ଭାଙ୍ଗି ଦିଆଯାଏ । ସେମାନେ ରଥର ଚାରିପଟୁ ଝରି ପଡ଼ୁଥିବା ସେହି ଅମୃତ ପଣା ପାଇ ତୁଷ୍ଟ ହୁଅନ୍ତି ଓ ମୁକ୍ତିଲାଭ କରନ୍ତି। ଏଇଥିପାଇଁ ରଥରେ ଭୋଗ ହେବା ପରେ ଅଧରହାଣ୍ଡି ଭଙ୍ଗା ଯିବ।
ତିନି ରଥରେ ମଙ୍ଗଳ ଆଳତି -୦୭.୦୦ ରୁ ୦୭.୨୦,
ମଇଲମ -୦୭.୪୦ ରୁ ୦୭.୫୦, ତଡ଼ପ ଲାଗି -୦୭.୫୫ ରୁ ୦୮.୧୦
, ତିନି ରଥରେ ଅବକାଶ ପୂଜାଠା -୦୮.୧୫ ରୁ ୦୮.୪୦ ଅବକାଶ ପୂଜା-୦୮.୨୫ ରୁ ୦୮.୫୦,ତିନି ରଥରେ ବେଶ ଶେଷ -୦୮.୪୫ ରୁ ୦୯.୨୫,ତିନି ରଥରେ ଗୋପାଳବଲ୍ଲଭ ପୂଜା -୦୯.୫୫ ରୁ ୧୦.୧୫ଅନୁଷ୍ଠିତ ହୋଇ ଅନ୍ୟାନ୍ୟ ନିତୀ ଜାରି ରହିଛି| ସକାଳୁ ଶ୍ରଦ୍ଧାଳୁ ମାନେ ରଥ ଉପରେ ଶ୍ରୀଜଗନ୍ନାଥ ଙ୍କୁ ଦର୍ଶନ ପାଇଁ ଭିଡ଼ ଲଗାଇଛନ୍ତି |