ପଶ୍ଚିମ ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ

ଆତଙ୍କବାଦୀଙ୍କ କବଳରେ ହିଞ୍ଜିଳିକାଟୁ ବ୍ଲକର ପି.ଭେଙ୍କଟରମଣ : ନବୀନ ପଟ୍ଟନାୟକଙ୍କ ଉଦବେଗ

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) ହିଞ୍ଜିଳିକାଟୁ :- ପଶ୍ଚିମ ଆଫ୍ରିକା ମହାଦେଶର ମାଲି ଦେଶରେ ଆତଙ୍କବାଦୀ ମାନେ ୩ ଜଣ ଭାରତୀୟ ନାଗରିକଙ୍କୁ ଅପହରଣ କରି ନେଇଥିବା ଘଟଣା ସାରା ଭାରତ ବର୍ଷରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅପହୃତ ୩ ଭାରତୀୟଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ପି. ଭେଙ୍କଟରମଣ (୨୮) ରହିଛନ୍ତି। ଘଟଣା ନେଇ ଅପହୃତଙ୍କ ମା ପି. ନାର୍ସାମା ଶନିବାର ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।

ଭେଙ୍କଟ ରମଣଙ୍କଜ୍ୱାଇଁ ପି.ବବଲୁଙ୍କ ସୂଚନା ପ୍ରକାରେ ଅପହୃତ ଭେଙ୍କଟରମଣ ଗତ ନଭେମ୍ବର ମାସରେ ମୁମ୍ବାଇର ବ୍ଲୁଷ୍ଟର ନାମକ ଏକ ଘରୋଇ କମ୍ପାନୀ ପକ୍ଷରୁ ପଶ୍ଚିମ ଆଫ୍ରିକା ମହାଦେଶର ମାଲି ପ୍ରଦେଶର ଏକ ଘରୋଇ ସିମେଣ୍ଟ କମ୍ପାନୀରେ ନିଯୁକ୍ତି ପାଇଥିଲେ । ଗତ ୩୦ ତାରିଖରେ ଭେଙ୍କଟରମଣଙ୍କୁ ସେଠାକାର ପୁଲିସ ଗିରଫ କରିଥିବା ନେଇ କମ୍ପାନୀ ପକ୍ଷରୁ ପରିବାର ସଦସ୍ୟଙ୍କୁ ଫୋନ୍ ଯୋଗେ ଜଣାଯାଇଥିଲା । ପରିବାର ସଦସ୍ୟ ଘଟଣାକୁ ସହଜରେ ଗ୍ରହଣ କରିପାରିନଥିଲେ । ପରବର୍ତ୍ତୀ ସମୟରେ ଆତଙ୍କବାଦୀ ମାନେ ସଂପୃକ୍ତ ସିମେଣ୍ଟ କାରଖାନା ଉପରେ ହାମଲା କରି ୩ ଜଣ ଭାରତୀୟଙ୍କୁ ଅପହରଣ କରି ନେଇଯାଇଥିବା ନେଇ ସାମାଜିକ ଗଣମାଧ୍ୟମରୁ ଦେଖିବାକୁ ପାଇଥିଲେ ।ପରେ ସେଠାକାର ଏକ ଟିଭି ଚ୍ୟାନେଲରୁ ଘଟଣା ଜାଣିପାରି ତାଙ୍କ ପୁଅ ଅପହରଣ ହୋଇଥିବା ନିଶ୍ଚିତ ହେଇଥିଲେ। ଘଟଣା ନେଇ ମା ନର୍ସମ୍ମା ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ପରେ ଖବର ପାଇ ହିଞ୍ଜିଳିକାଟୁ ତହସିଲଦାର ତପନ ମହାପାତ୍ର ଭେଙ୍କଟରମଣଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି। ହିଞ୍ଜିଳି ବିଧାୟକ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଏହି ସମ୍ବେଦନଶୀଳ ଘଟଣାରେ ଉଦବେଗ ପ୍ରକାଶ କରିବା ସହ ଅପହୃତ ଭେଙ୍କଟ ରମଣଙ୍କୁ ଉଦ୍ଧାର କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ୍ସରେ ଟୁଇଟ କରି ନିବେଦନ କରିଛନ୍ତି।

ନବୀନଙ୍କ ନିର୍ଦ୍ଦେଶରେ ହିଞ୍ଜିଳି ବିଜେଡିର ଏକ ଟିମ୍ ଅପହୃତ ପରିବାର ସଦସ୍ୟଙ୍କୁ ସାକ୍ଷାତ କରି ଘଟଣାର ସମ୍ପୂର୍ଣ୍ଣ ବିବରଣୀ ନବୀନ ବାବୁଙ୍କୁ ପ୍ରେରଣ କରିଥିବା ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର କହିଛନ୍ତି । ଟିମରେ ପୂର୍ବତନ ସରପଞ୍ଚ ବାବାରାଓଙ୍କ ସହ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଏଣେ ମା ନାର୍ସମ୍ମା ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ପୁଅକୁ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରିଛନ୍ତି।

Exit mobile version